ଭୁବନେଶ୍ୱର : ଚିଠା ଭୋଟର ତାଲିକା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ହେଉଛି ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ ଜଣ। ଏହି ଭୋଟର ସଂଖ୍ୟାକୁ ମୁଖ୍ୟ ନିର୍ବାଚନ ଆୟୋଗ ଅନୁମୋଦନ ଦେଇଛନ୍ତି। ତେବେ ଚିଠା ଭୋଟର ତାଲିକା ସଂଶୋଧନ ପରେ ୨୦୧୯ ଜାନୁଆରି ୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହି ସଂଶୋଧନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ଏହା ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ନାଗରିକମାନେ ସେମାନଙ୍କ ଦାବି ଓ ଆପତ୍ତି ଅକ୍ଟୋବର ୩୧ ତାରିଖ ଭିତରେ ଦାଖଲ କରିପାରିବେ।

Advertisment

ତେବେ ଚୂଡ଼ାନ୍ତ ତାଲିକା ପ୍ରକାଶନ ସହିତ ନିର୍ବାଚନ ତାରିଖ ଘୋଷଣାର କୌଣସି ସଂପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର। ଫଳରେ ଯେ କୌଣସି ତାରିଖରେ ସାଧାରଣ ନିର୍ବାଚନ ଘୋଷଣା ହେବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଇତିମଧ୍ୟରେ ରାଜ୍ୟକୁ ଇଭିଏମ୍‌ ଓ ଭିଭିପାଟ୍‌ ଆସିଛି। ନିର୍ବାଚନରେ ସଂପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।

publive-image

ବିଭିନ୍ନ ରାଜନୈତିକ ଦଳ ଓ ଜିଲ୍ଲାପାଳମାନଙ୍କ ସହିତ ତୁହାକୁ ତୁହା ଆଲୋଚନା କରିବା ପରେ ସିଇଓ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ଭୋଟର୍‌ ତାଲିକା ସଂଶୋଧନ ସମ୍ପର୍କରେ ସୂଚନା ଦେଇଥିଲେ। ସିଇଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଲେ ଯେ ମୋଟ ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ଜଣ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ହେଉଛନ୍ତି ୧ କୋଟି ୬୧ ଲକ୍ଷ ୧୪ ହଜାର ୨୦୦ ଓ ମହିଳା ୧ କୋଟି ୫୧ ଲକ୍ଷ ୩୬ ହଜାର ୩୬। ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୦୯୭। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିବ। ଏହି ସମୟ ମଧ୍ୟରେ ନୂଆ ଯୁବ ଭୋଟର ଯେଉଁମାନେ ଆସନ୍ତା ୨୦୧୯ ଜାନୁଆରି ୧ ତାରିଖ ସୁଦ୍ଧା ୧୮ ବର୍ଷ ବୟସରେ ପଦାର୍ପଣ କରିବେ ସେମାନଙ୍କ ନାମ ପଞ୍ଜୀକରଣ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ଆଗାମୀ ୨୦୧୯ ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଶେଷ ସମୟସୀମା ପର୍ଯ୍ୟନ୍ତ ଭୋଟର ତାଲିକାକୁ ଉନ୍ନୀତ କରାଯିବ। ଅବଶ୍ୟ ସେହି ତାଲିକାରେ ୨୦୧୯ ଜାନୁଆରି ୧ ତାରିଖ ସୁଦ୍ଧା ୧୮ ବର୍ଷ ବୟସରେ ଉପନୀତ ହେଉଥିବା ଯୁବ ଭୋଟରମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତିି।

ଯୁବ ଭୋଟରଙ୍କ ସହିତ ଭିନ୍ନକ୍ଷମ, ଅନୁସୂଚିତ ଜାତି, ଜନଜାତି, ବିପଦସଙ୍କୁଳ ବର୍ଗର ଲୋକମାନଙ୍କ ପଞ୍ଜୀକରଣ ପ୍ରତି ମଧ୍ୟ ଅଗ୍ରାଧିକର ଦିଆଯିବ ବୋଲି ବୋଲି ସିଇଓ କହିଥିଲେ। ରାଜ୍ୟରେ ୧.୭୫ ଲକ୍ଷ ଭିନ୍ନକ୍ଷମ ଅଛନ୍ତିି। ଏହାବ୍ୟତୀତ, ଭୋଟର ତାଲିକାରୁ ବାଦ୍‌ ଦେବା ଓ ନୂଆ ଭୋଟରଙ୍କୁ ଯୋଡ଼ିବା ଆଦି ଏହି ସଂଶୋଧନ ପ୍ରକ୍ରିୟା ଚାଲିଥିବା ବେଳେ କରାଯିବ। ଏଥିପାଇଁ ବିଭିନ୍ନ ଫର୍ମ ଯଥା: ୭, ୮, ୮(କ) ଫର୍ମ ରହିଛି। ରାଜ୍ୟରେ ୩୭୬୦୬ଟି ବୁଥ୍‌ ରହିଛି। ଗତ ଫେବ୍ରୁଆରି ମାସରେ ଏହି ସଂଖ୍ୟା ଥିଲା ୩୫୮୯୬। ଇତି ମଧ୍ୟରେ ୧୭୦୦ଟି ନୂଆ ବୁଥ୍‌ ସୃଷ୍ଟି ହୋଇଛି। ଏ ସମସ୍ତ ବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନିଜ ନିଜ ଦଳର ବୁଥ୍‌ ଏଜେଣ୍ଟମାନଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି। ସେହି ଏଜେଣ୍ଟମାନେ ଭୋଟର ପଞ୍ଜୀକରଣ ପ୍ରକ୍ରିୟାରେ ସହାୟକ ହେବେ।

ଆସନ୍ତା ଅକ୍ଟୋବର ୩୧ ତାରିଖ ପରେ ଭୋଟର ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ। ଏକାଧିକ ସ୍ଥାନ ବା ବିଧାନସଭା ନିର୍ବାଚନମଣ୍ଡଳୀରେ ନାମ ଥିବା ଭୋଟରମାନଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ୭ ଦିନର ନୋଟିସ ଦେଇ ସେମାନଙ୍କ ମାମଲାର ଶୁଣାଣି କରାଯିବ। ଆବଶ୍ୟକ ସ୍ଥଳେ ସେହି ବ୍ୟକ୍ତିମାନଙ୍କ ନାମରେ ଲଟ୍‌କା ଝୁଲିବ। ତେବେ ସେହି ବିବାଦର ଫଇସଲା କରି ସଂପୃକ୍ତ ଭୋଟରଙ୍କ ନାମ ଗୋଟିଏ ସ୍ଥାନରେ ରଖିବାକୁ ଚୂଡ଼ାନ୍ତ କରାଯିବ। ଲୋକ ପ୍ରତିନିଧି ଆଇନ ୧୯୫୦ ଅନୁଯାୟୀ ଭୁଲ୍‌ ତଥ୍ୟ ଦେଇ ଏକାଧିକ ସ୍ଥାନରେ ନାମ ପଞ୍ଜୀକରଣ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ବର୍ଷର ଜେଲ୍‌ କିମ୍ବା ଜରିମାନାରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଚୂଡ଼ାନ୍ତ ତାଲିକାରୁ ମୃତ ବ୍ୟକ୍ତିଙ୍କ ନାମ ବାଦ୍‌ ଦିଆଯିବ। ଭୋଟରଙ୍କ ବିଭିନ୍ନ ଅଭିଯୋଗ ପାଇଁ ସିଇଓଙ୍କ କାର୍ଯ୍ୟାଳୟରେ ଆଜିଠାରୁ ହେଲ୍‌ପ-ଲାଇନ ଟୋଲ୍‌ ଫ୍ରି ନଂ. ୧୯୫୦ ଖୋଲାଯାଇଛି। ନୂଆ ଭୋଟରଙ୍କ ନାମ ତାଲିକାଭୁକ୍ତ ଅନ୍‌ଲାଇନ(www.ceoorissa.nic.in/www.nvsp.in)ରେ ମଧ୍ୟ କରିହେବ। ନିର୍ବାଚନ କମିସନଙ୍କ ନିର୍ଦେଶନାମା ଅନୁଯାୟୀ ଜଣେ ହେଲେ ବି ଭୋଟରଙ୍କୁ ବାଦ୍‌ ଦିଆଯିବ ନାହିଁ ବୋଲି ସିଇଓ କହିଥିଲେ।