ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇଛି। ମଦ ମାଫିଅମାନେ ଅବକାରୀ ଓ ପୁଲିସକୁ ଚାଲେଞ୍ଜ ଦେଇ ମଦ ଚାଲାଣ କରୁଛନ୍ତି। ଏପରିକି ମଦ ମାଫିଆ ରିଭଲଭର୍‌ ଧରି ମଦ ଚାଲାଣ କରୁଥିବା ଭଳି ଘଟଣା ଆଜି ପର୍ଦ୍ଦାଫାସ୍‌ ହୋଇଛି। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଯାଞ୍ଚ ବେଳେ ଜଣେ ମଦ ମାଫିଆ ରିଭଲଭର୍‌ ସହିତ ଧରାପଡ଼ିଛି। ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ରାମକୃଷ୍ଣ ନଗରର ସାଗର ଗୌଡ଼(୩୦) ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିସନର୍‌ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ତା’ ନିକଟରୁ ସ୍କୁଟି ସହ ୬୦ଲିଟର ଦେଶୀ ମଦ ଜବତ କରାଯାଇଛି।

Advertisment

ଦିଗପହଣ୍ଡି ଥାନା ଅନ୍ତର୍ଗତ ବିକାଶପୁରରୁ ବେଆଇନ ଦେଶୀ ମଦ ବ୍ରହ୍ମପୁର ଚାଲାଣ ହେଉଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଅବକାରୀ ଏଏସ୍‌ଆଇ ଅନ୍ତର୍ଯ୍ୟାମୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ବରଗାଁ ଛକରେ ସାଦା ପୋଷାକରେ ଛକି ରହିଥିଲା। ଅପରାହ୍‌ଣ ପ୍ରାୟ ୩ଟା ବେଳେ ଜଣେ ଯୁବକ ଏକ ସ୍କୁଟିରେ କିଛି ସାମଗ୍ରୀ ଧରି ଆସୁଥିବା ବେଳେ ଅବକାରୀ ଟିମ୍‌ ସନ୍ଦେହରେ ତାକୁ ଅଟକାଇଥିଲା। ଯାଞ୍ଚ ପରେ ଏକ ଜରିବସ୍ତାରରୁ ଦେଶୀ ମଦ ଜବତ ହୋଇଥିଲା। ଏହା ସହିତ ଯୁବକ ଜଣକ ଏକ ରିଭଲଭର୍‌ ଧରିଥିବା ବେଳେ ଅବକାରୀ ଟିମ୍‌ ତାହା ମଧ୍ୟ ଜବତ କରିଥିଲା। ଅବକାରୀ ବିଭାଗ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।