ବୃକ୍ଷରୋପଣ ଲାଗି ପ୍ରୋତ୍ସାହନ: ଗ୍ରାମ ପଞ୍ଚାୟତ ଓ ଶିକ୍ଷାନୁଷ୍ଠାନକୁ ମିଳିବ ପୁରସ୍କାର

ଭୁବନେଶ୍ବର: ବୃକ୍ଷରୋପଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ଶ୍ରେଷ୍ଠ ବିବେଚିତ ଗ୍ରାମ ପଞ୍ଚାୟତ ଓ ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରାଯିବ। ପ୍ରତି ସବ୍‌ଡିଭିଜନ୍‌ସ୍ତରରେ ଗୋଟିଏ ଗ୍ରାମ ପଞ୍ଚାୟତ ଓ ଶିକ୍ଷାନୁଷ୍ଠାନ ଯଥାକ୍ରମେ ‌୨୦ ହଜାର ଓ ୧୦ ହଜାର ଟଙ୍କା ପୁରସ୍କାର ପାଇବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ମାର୍ଚ୍ଚ ୨୧ରେ ଜିଲ୍ଲା ସଦର ମହକୁମାରେ ପାଳିତ ହେବାକୁ ଥିବା ବିଶ୍ବ ବନ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ଗତ ତିନି ବର୍ଷ ଭି‌ତରେ କୌଣସି ଗ୍ରାମ ପଞ୍ଚାୟତ କିମ୍ବା ଶିକ୍ଷାନୁଷ୍ଠାନ ପର୍ଯ୍ୟାପ୍ତ ମାତ୍ର‌ାରେ ବୃକ୍ଷରୋପଣ, ବନୀକରଣ, ବନ ସୁରକ୍ଷା କରିଥିବା କିମ୍ବା ଜନ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଥିବା ଆବଶ୍ୟକ। ଯୋଗ୍ୟ ପଞ୍ଚାୟତ ଓ ଶିକ୍ଷାନୁଷ୍ଠାନ ଆସନ୍ତା ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ସମ୍ପୃକ୍ତ ରେଞ୍ଜ ଅଫିସ୍‌ରେ ଦରଖାସ୍ତ ଦେଇପାରିବେ। ନିର୍ଧାରିତ ଫର୍ମର ନମୁନା ଓ ଏସମ୍ପର୍କିତ ସବିଶେଷ ସୂଚନା ସମ୍ପୃକ୍ତ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ମିଳିପାରିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର