ଘରୋଇ ସଂସ୍ଥାକୁ ଟେକିଦେଲେ ଜାଗା, କ୍ୱାର୍ଟର୍ସ ଚିନ୍ତାରେ ଆର୍‌ଜିଏଚ୍‌ ଡାକ୍ତର

ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ୧୬ କ୍ବାର୍ଟର୍ସ

ରାଉରକେଲା : ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ମାନ୍ୟତା ପାଇଥିବା ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ସମ୍ପ୍ରସାରଣରେ ବାଧକ ସାଜିଛି ଜାଗା ସମସ୍ୟା। ଆର୍‌ଜିଏଚ୍‌ ଅଧୀନସ୍ଥ ମୂଲ୍ୟବାନ ଜାଗାକୁ ଘରୋଇ ସଂସ୍ଥାକୁ ଟେକି ଦେବା ପରେ ବନ୍ଦ ହୋଇଛି ସମ୍ପ୍ରସାରଣ କାମ। ସବୁଠୁ ଅଧିକ ସମସ୍ୟା ରହିଛି ଡାକ୍ତର ଓ କର୍ମଚାରୀଙ୍କ ସରକାରୀ କ୍ବାର୍ଟର୍ସ। ବର୍ତ୍ତମାନ ମାତ୍ର ୧୬ଟି କ୍ବାର୍ଟର୍ସ ରହିଛି। ମାତ୍ର ୬ଟି କ୍ବାର୍ଟସରେ ଡାକ୍ତର ଓ ଅବଶିଷ୍ଟ ୧୦ଟି କ୍ବାର୍ଟର୍ସରେ କର୍ମଚାରୀ ରହୁଛନ୍ତି। ବରିଷ୍ଠ ଅଧିକାରୀଙ୍କ ପାଇଁ କ୍ବାର୍ଟର୍ସର ସରକାରୀ କ୍ବାର୍ଟର୍ସର ଯେମିତି ସ୍ବପ୍ନ ହୋଇଯାଇଛି। ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଆବଶ୍ୟକ କ୍ବାର୍ଟର୍ସ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲେଖିବାକୁ ଚାହୁଁଥିଲେ ହେଁ, ଅଧାରୁ ଅଟକି ଯାଉଛନ୍ତି। କାରଣ କ୍ବାର୍ଟର୍ସ ପାଇଁ ଆର୍‌ଜିଏଚ୍‌ ପରିସରରେ ଯେତିକି ଜାଗାର ଆବଶ୍ୟକତା ରହିଛି, ତା’ ନାହିଁ। ଆର୍‌ଜିଏଚ୍‌କୁ ବଦଳି ହୋଇଆସିଥିବା ଡାକ୍ତରଙ୍କୁ ସରକାରୀ କ୍ବାର୍ଟର୍ସ ଚିନ୍ତା ରହିଛି। କେଉଁଠି ରହିବେ ଚିନ୍ତାରେ ପଡ଼ିଯାଉଛନ୍ତି। ଅଧିକାଂଶ ଡାକ୍ତର ସହରରେ ଭଡା ନେଇ ରହୁଛନ୍ତି। କେବଳ ଡାକ୍ତର ନୁହେଁ ବିଭିନ୍ନ ବିଭାଗର କର୍ମଚାରୀଙ୍କ ମଧ୍ୟ ସେହି ସମାନସ୍ଥିତି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ହେଁ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନେକ ସମୟରେ ଆର୍‌ଜିଏଚ୍‌ର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୈତକ ଦଳଗୁଡ଼ିକ ଆନ୍ଦୋଳନ, ଧାରଣା ଦେଉଛନ୍ତି। ସେମାନଙ୍କ ଆନ୍ଦୋଳନ, ବିକ୍ଷୋଭ ଓ ଧାରଣା କିନ୍ତୁ କୌଣସି ପ୍ରଭାବ ପକାଇପାରୁନି।

Sambad English

ଉଲ୍ଲେଖଯୋଗ୍ୟ, ୨୭୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଦୈନିକ ଅର୍ନ୍ତବିଭାଗରେ ଭର୍ତ୍ତି ହେଉଛନ୍ତି ୩୮୦ ରୁ ୪୦୦ ‌ ରୋଗୀ। ବେଡ୍‌ ନଥିବାରୁ କିଛି ରୋଗୀ ବାରଣ୍ଡାରେ ଓ ଅନ୍ୟ କିଛି ବେଡ୍‌ ତଳ ଚଟଣାରେ ଚିକିତ୍ସିତ ହେଉଛନ୍ତି। ସ୍ମାର୍ଟ ସିଟିରେ ସ୍ବାସ୍ଥ୍ୟ ସେବାର ଏମିତି ବିକଳ ସ୍ଥିତି ବର୍ଷ ବର୍ଷ ଧରି ଜାରି ରହିଛି। ସବଠୁ ଆଶ୍ଚର୍ଯ୍ୟ କଥା, ସରକାରଙ୍କ ପାଣ୍ଠି ଅଭାବରୁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)କୁ ବିନିଯୋଗ ହେଉଛି। ଡାକ୍ତର, ଆମ୍ବୁଲାନ୍ସ ସେବା, ନର୍ସ ଏମିତି କି ମୋ ସରକାର ପାଣ୍ଠି ମଧ୍ୟ ଡିଏମ୍‌ଏଫ୍‌ରୁ ଆସୁଛି। କହିବାକୁ ଗଲେ ଆର୍‌ଜିଏଚ୍ ମାସକୁ ଯେତିକ ଅର୍ଥ ଖର୍ଚ୍ଚ ହେଉଛି, ତା’ର ପ୍ରାୟ ୩୦ରୁ ୪୦% ଡିଏମ୍‌ଏଫ୍ ବହନ କରୁଛି। ତେଣୁ ଯେଉଁଦିନ ଡିଏମ୍‌ଏଫ୍‌ରୁ ଅର୍ଥ ଆସିବା ବନ୍ଦ ହୋଇଯିବ, ସେହି ଦିନ ଆର୍‌ଜିଏଚ୍‌ରୁ ଅଧା ସୁବିଧାସୁଯୋଗ ଯେ ନ ହଟିଯିବ ତାହା କହିବା ମୁସ୍କିଲ। ଅବଶ୍ୟ ଏଠାରେ ଦୀର୍ଘଦିନର ଦାବି ପରେ ସିଟି ସ୍କାନ୍, ଡାୟଲେସିସ୍‌ ସୁବିଧା ହୋଇଛି। ତାହା କିନ୍ତୁ ପିପି ମୋଡରେ। ଏଥିସହ ଏକ୍ସ-ରେ, ଅଲଟ୍ରା ସାଉଣ୍ଡ, ଇସିଜି, କେମୋ ‌ଥେରାପି ଆଦି କିଛି ସୁବିଧା ଉପଲବ୍ଧ ରହିଛି। କିନ୍ତୁ ଆଇସିୟୁ, ଏମ୍‌ଆର୍‌ଆଇ ସୁବିଧା ଆଜି ଯାଏ ହେଉନି। ପୃଥକ ଦୁର୍ଘଟଣା ବିଭାଗ (ସେପାରେଟ୍‌ କାଜୁଆଲିଟି ବିଭାଗ) ଓ ମର୍ଗ ହାଉସ୍‌ରେ ଅଧିକାଂଶ ସମୟରେ ଏସି କାମ କରୁନି। ଶବ ସଢ଼ୁଛି। ସ୍ବତନ୍ତ୍ର ଶବ ବ୍ୟବଚ୍ଛେଦ ସେବା ସୁବିଧା ପାଇଁ ପାନପୋଷ ଏସ୍‌ଡିଏମ୍‌ଓ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି। ଫରେନ୍‌ସିକ୍‌ ବିଭାଗର ଆବଶ୍ୟକତା ରହିଛି।

ଶିଶୁ ବିଭାଗର ଆଇସିୟୁ ବ୍ୟବସ୍ଥା ହେବ ହେବ ବୋଲି ହେଉ ନାହିଁ। ରେଡିଓଲୋଜିଷ୍ଟ ନଥିବାରୁ ଅଲଟ୍ରା ସାଉଣ୍ଡ ସେବା ଠିକ୍ ଭାବେ ମିଳୁ ନାହିଁ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରମାନେ ଯେନତେନ ପ୍ରକାରେ ଚଳାଉଛନ୍ତି। ଅଡି‌ଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ ଓ ସାଇକ୍ରେଟିକ୍ସ ବିଶେଷଜ୍ଞ ନାହାନ୍ତି। ଜଳପୋଡା ବିଭାଗ ଅଛି। କିନ୍ତୁ ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି। ହସ୍ପିଟାଲର ସବୁଠୁ ଗୁରୁତ୍ବ ବିଭାଗ ଏମ୍‌ଆର୍‌ଡି (ମେଡିକାଲ୍‌ ରେକର୍ଡ ଡିପାର୍ଟମେଣ୍ଟ) ପ୍ରତ୍ୟେକ ବିଭାଗର କାଗଜପତ୍ରଗୁଡ଼ିକ ଠିକ୍‌ ଭାବେ ଦେଖାରେଖା କରାଯାଇପାରୁ ନାହିଁ।

ସମ୍ବନ୍ଧିତ ଖବର