ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ସମସ୍ୟା ପିଛା ଛାଡ଼ୁନି। ଏଠାକୁ ନିର୍ଦ୍ଦେଶକ ଓ ଅଧୀକ୍ଷକ ଆସୁଛନ୍ତି। କାର୍ଯ୍ୟରେ ଯୋଗଦେବାର କିଛିଦିନ ପରେ କେହି ବଦଳି ହୋଇ ଚାଲିଯାଉଛନ୍ତି ତ କାହାର ଅବସର ସମୟ ଆସିଯାଉଛି। କେବଳ ଆର୍ଜିଏଚ୍ କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ ଯେ ଏଭଳି ସ୍ଥିତି ଲାଗି ରହିଛି ତାହା ନୁହେଁ ନିର୍ବାଚିତ ପ୍ରତିନିଧି ମଧ୍ୟ ଡାକ୍ତରଖାନାର ବିକାଶ କଥା ଚିନ୍ତା କରୁଛନ୍ତି ସତ, ହେଲେ ସେଇ ଅନୁସାରେ କାମ ହେଉନି। ଏବେ ଆର୍ଜିଏଚ୍ର ଔଷଧ ବିତରଣ କେନ୍ଦ୍ରକୁ ନିଆଯାଉ। ଏହି କେନ୍ଦ୍ର ତଥା ପଛପାର୍ଶ୍ବ ଗୃହ ବିପଦସଙ୍କୁଳ ସ୍ଥିତିରେ ରହିଛି। ଛାତ ଫାଟି ଆଁ କଲାଣି। ମରାମତି ପାଇଁ ଧ୍ୟାନ ଦିଆଯାଉନି। ଅସରାଏ ବର୍ଷା ହେଲେ ଔଷଧ ବିତରଣ କେନ୍ଦ୍ର କାନ୍ଥରୁ ପାଣି ଝରୁଛି। ପଛପାର୍ଶ୍ବ ଗୃହ ସ୍ଥିତି ନ କହିବା ଭଲ। ଉଭୟ ଔଷଧ ବିତରଣ କେନ୍ଦ୍ର ଓ ପଛପାର୍ଶ୍ବ ଗୃହ (ଔଷଧ ମହଜୁଦ ଗୃହ) ଯେମିତି ସ୍ଥିତିରେ ରହିଛି, କେତେବେଳେ ଯେ ଗଳି ପଡ଼ିବ କହି ହେବନାହିଁ।
ଛାତରୁ ଖସୁଛି ଅତଡ଼ା, ଅସୁରକ୍ଷିତ କର୍ମଚାରୀ
ନଷ୍ଟହେବ ଔଷଧ, ଗୁରୁତ୍ବପୂର୍ଣ୍ଣ ଫାଇଲ୍
ଏହି ଗୃ୍ହରେ କେବଳ ଔଷଧ ନୁହେଁ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ମଧ୍ୟ ରହିଛି। ଲଗାଣ ବର୍ଷା ହେଲେ ସ୍ଥିତି ସଙ୍ଗିନ ହେବା ନିଶ୍ଚିତ। ଲକ୍ଷ ଲକ୍ଷ ଟଙ୍କାର ଔଷଧ ଓ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ସବୁ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ଫଳରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଏବେ ଯେଉଁ ସ୍ଥାନରେ ଛାତରୁ ଅତଡ଼ା ଖସୁଛି, ସେଠାରୁ ଫାଇଲ୍ ଓ ଔଷଧକୁ ଅନ୍ୟ ପାର୍ଶ୍ବକୁ ଘୁଞ୍ଚାଇ ଦିଆଯାଇଛି। ଏଭଳି ଉଦ୍ବେଗଜନକ ସ୍ଥିତି ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବର୍ଷା ପୂର୍ବରୁ ଯୁଦ୍ଧକାଳୀନଭିତ୍ତିରେ ଦୁଇଟି ଗୃହର ମରାମତି କରାନଗଲେ ଅଘଟଣ ଘଟିବାର ଯଥେଷ୍ଟ ଆଶଙ୍କା ରହିଛି। ଏ ସଂକ୍ରାନ୍ତରେ ଆର୍ଜିଏଚ୍ କାର୍ଯ୍ୟବାହୀ ନିର୍ଦ୍ଦେଶିକା ଡା. ସୁଧା ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ବିପଦସଙ୍କୁଳ ସ୍ଥିତିରେ ରହିଥିବା ଗୃହଗୁଡ଼ିକୁ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଆର୍ଜିଏଚ୍ ମାତୃଶିଶୁ ହସ୍ପିଟାଲରେ ଅଧିକାଂଶ ଗୃହରେ ମଧ୍ୟ ସମାନ ସ୍ଥିତି ଉପୁଜିଛି।
କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ହେଁ, ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ବିଭିନ୍ନ କୋଠରିରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏହାର ଫଳ ଭୋଗିବାକୁ ପଡୁଛି। ତଳମହଲାର ଡାହାଣ ପାର୍ଶ୍ବରେ ୫/୬ ଗୃହରେ ଅସରାଏ ବର୍ଷା ହେଲେ ପାଣି ଗଳୁଛି। ଉପରମହଲା ଶୌଚାଳୟର ମଇଳା ପାଣି ମାସ ମାସ ଧରି ପଡୁଥିଲେ ହେଁ, ଏହାର ପ୍ରତିକାର ପାଇଁ ଧ୍ୟାନ ନିଆଯାଉନି। ପାଣି ଗଳୁଥିବାରୁ ଔଷଧ ବିତରଣ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରି ବିଭାଗୀୟ ଅଧିକାରୀ ଚୁପ୍ ବସିଛନ୍ତି। ସେହିପରି ସେଣ୍ଟ୍ରାଲ୍ ଲାବ୍ରୋଟୋରି ଖେଲିବା ଦିନଠୁ ବନ୍ଦ ରହିଛି। ନିକଟରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ବୁଲି ଦେଖିଥିଲେ। କାହିଁକି ଲାଇବ୍ରେରି ଖୋଲୁନି ବୋଲି ଆର୍ଜିଏଚ୍ର ତତ୍କାଳୀନ ନିର୍ଦ୍ଦେଶକ ଡାକ୍ତର ମନୋଜ ଉପାଧ୍ୟାୟଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଗଲାନି। ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ଓ ଆସବାପତ୍ର ସେମିତି ପଡ଼ି ଖତ ଖାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/17/oS0ZqDVXWuS3YgP0EIwn.jpg)