ରାଉରକେଲା : ଅକ୍ସିଜେନ୍ ଅଭାବରୁ ଯେମିତି କାହାର ଜୀବନ ନ ଯାଉ। ଏଭଳି ଲକ୍ଷ୍ୟ ନେଇ କରୋନାର ଦ୍ବିତୀୟ ଲହର ସମୟରେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ଘୋଷଣା କରିଥିଲେ। ରାଜ୍ୟ ସିଏସ୍ଆର୍ ପାଣ୍ଠିରୁ ୮୩୩ ଏଲ୍ପିଏମ୍ ( ଲିଟର ପର୍ ମିନିଟ୍) ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ର ସିଏସ୍ଆର୍ ପାଣ୍ଠିରୁ ୧୦୦୦ ଏଲ୍ପିଏମ୍ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ପାଖାପାଖି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଦୁଇଟି ପ୍ଳାଣ୍ଟର କାମ ସାରିବାକୁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା। ତୃତୀୟ ଲହର ପୂର୍ବରୁ ଅର୍ଥାତ୍ ଗତ ଜୁନ୍ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଥିଲା। କାମର କଚ୍ଛପ ଗତି ଯୋଗୁ ଅଦ୍ୟାବଧି ଦୁଇଟି ଗୋଟିଏ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ।
ଆଗାମି ମାସେ କିମ୍ବା ଦୁଇ ମାସ ଭିତରେ ଦୁଇଟି ପ୍ଲାଣ୍ଟ ଏକକାଳୀନ କାର୍ଯ୍ୟକ୍ଷମ ହୋଇଯିବ ଡାକ୍ତରଖାନା ପକ୍ଷରୁ କୁହାଯାଇଛି। କିନ୍ତୁ ବାସ୍ତବରେ ଯେତିକି କାମ ବାକି ରହିଛି, ତାହା’ ସରିବାକୁ ଆହୁରି ଢ଼େର ସମୟ ଲାଗିବ ବୋଲି ଜଣାପଡିଛି। ଠିକା ସଂସ୍ଥା ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦୁଇଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ବିଳମ୍ବ ହେଉଛି ବୋଲି ଅଭିଯୋଗ ହେଉଛି। ଦୁଇଟିରୁ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ପୂର୍ବଭି ଜମ୍ବୋ ସିଲିଣ୍ଡରରେ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଉଛି। ଅନେକ ସମୟରେ ରୋଗୀମାନଙ୍କୁ ଅକ୍ସିଜେନ ଦେବାରେ ନାନା ସମସ୍ୟା ଉପୁଜିଛି। ସେପଟେ ଦୁଇଟି ପ୍ଳାଣ୍ଟ କାର୍ଯ୍ୟକ୍ଷମ ହେଲେ ରୋଗୀଙ୍କୁ ଅକ୍ସିଜେନ୍ ଦେବାରେ ବେଶ ସହାୟକ ହେବ।
ଉଲ୍ଲେଖଯୋଗ୍ୟ,ଆର୍ଜିଏଚ୍ ପରିସରରେ ଜାଗା ଅଭାବରୁ ମାତୃ୍ ଶିଶୁ ହସ୍ପିଟାଲ (ଏମ୍ସିଏଚ୍) ବିଲ୍ଡଂ ପାଖରେ ପ୍ଲାଣ୍ଟ ନିର୍ମାଣ ହେଉଛି। ଗୋଟିଏର କ୍ଷମତା ରହିଛି ୮୩୩ ଏଲ୍ପିଏମ୍ (ଲିଟର ପର୍ ମିନିଟ୍)। ଅନ୍ୟଟିର କ୍ଷମତା ରହିଛି ୧୦୦୦ ଏଲ୍ପିଏମ୍। ପୂର୍ତ୍ତବିଭାଗ ବିଭାଗ ଦ୍ବାରା ଏହି କାମ ଚାଲିଛି। ବାୟୁମଣ୍ଡଳରୁ ଅକ୍ସିଜେନ୍ ସଂଗ୍ରହ କରି ପ୍ଲାଣ୍ଟ ଜରିଆରେ ରୋଗୀଙ୍କ ନିକଟରେ ପହଞ୍ଚାଯିବ। ଜୁନ୍ ମାସ ଶେଷ ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହାର ନିର୍ମାଣ ସମ୍ପର୍କିତ ଚିଠି ପାଇବାରେ ସେତେବେଳେ ପିଡବ୍ଲ୍ୟୁଡିର ଚିନ୍ତା ବଢ଼ି ଥିଲା। କାରଣ ଆର୍ଜିଏଚ୍ ଭିତରେ ଏମ୍ସିଏଚ୍ ବିଲ୍ଡିଂ ପାଖରେ ଯେତିକି ଜାଗା ଥିଲା, ସେଠି ରାଜ୍ୟ ସରକାରଙ୍କ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ପରେ ଆଉ ଖାଲି ସ୍ଥାନ ପ୍ରାୟ ନଥିଲା।
ଅନ୍ୟପଟେ ରାଜ୍ୟ ସରକାର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆର୍ଜିଏଚ୍କୁ ପ୍ରାୟ ୪୦ ଏକର ଜାଗା ଦେଇଥିଲେ। ଏଥି ମଧ୍ୟରୁ ପ୍ରାୟ ୧୦ ଏକର ଜାଗାରେ ରହିଛି ହନୁମାନବାଟିକା, ୧୫ ଏକର ଜାଗା ହାଇଟେକ୍ କଲେଜ ଓ ହସ୍ପିଟାଲକୁ ଟେକି ଦିଆଯାଇଛି। ଅବଶିଷ୍ଟ ୧୫ ଏକର ଜାଗାରେ ଆର୍ଜିଏଚ୍ ଚାଲିଛି। ପୁଣି ଏହି ୧୫ ଏକର ଜାଗାରୁ ପ୍ରାୟ ୧ ଏକର ଜବରଦଖଲକାରୀଙ୍କ କବଜାକୁ ଚାଲି ଯାଇଛି। ନିକଟରେ ମାପଚୁପ ବେଳେ ଏହା ଜଣା ପଡ଼ିଥିଲା। ରାଜନୈତିକ ଚାପ ହେଉ ଅବା ବିବାଦ ଯୋଗୁ ଏହି ଜାଗାକୁ ଆର୍ଜିଏଚ୍ ଖାତାକୁ ଆଣା ଯାଇ ପାରିଲା ନାହିଁ। ତେଣୁ ଭୁବନେଶ୍ବରସ୍ଥ କ୍ୟାପିଟାଲ ହସ୍ପିଟାଲ ଭଳି ସମାନ ମାନ୍ୟତା ପାଇଥିବା ଆର୍ଜିଏଚ୍ର ସମ୍ପ୍ରସାରଣର ବାଟ ଏବେଠାରୁ ପ୍ରାୟତଃ ବନ୍ଦ ହୋଇଯାଇଛି।