ସୋନପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ଆର୍‌ଆଇ ରାଜେନ୍ଦ୍ର ମିଶ୍ର ଓ ଏଆର୍‌ଆଇ ପଞ୍ଚାନନ ଡାଙ୍ଗ। ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ବୀରମହାରାଜପୁର ତହସିଲ ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ବିଶିକେଶନ ପଧାନ ଏକ ଜମିଜମା ମାମଲାକୁ ନେଇ ସମ୍ବଲପୁର ଜଏଣ୍ଟ କମିସନରଙ୍କ ଅଦାଲତରେ ରିଭିଜନ ଆବେଦନ କରିଥିଲେ। ଏହାକୁ ନେଇ ଜଏଣ୍ଟ କମିସନର ବୀରମହାରାଜପୁର ତହସିଲଦାରଙ୍କୁ ରିପୋର୍ଟ ମାଗିଥିଲେ। ବୀରମହାରାଜପୁର ତହସିଲଦାର ଖଣ୍ଡହତା ଆର୍‌ଆଇଙ୍କୁ କ୍ଷେତ୍ର ପରିଦର୍ଶନ କରି ସମ୍ପୃକ୍ତ ଜମି ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।

Advertisment

ଆର୍‌ଆଇ ଶ୍ରୀ ମିଶ୍ର ୫ ହଜାର ଟଙ୍କା ଦେଲେ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବେ ବୋଲି ଶ୍ରୀ ପଧାନଙ୍କୁ କହିଥିଲେ। ଏହାକୁ ନେଇ ବିଶିକେଶନଙ୍କ ପୁଅ ନେତ୍ରାନନ୍ଦ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଶୁକ୍ରବାର ନେତ୍ରାନନ୍ଦ ଖଣ୍ଡହତା ଆର୍‌ଆଇ କାର୍ଯ୍ୟାଳୟରେ ଆର୍‌ଆଇ ଶ୍ରୀ ମିଶ୍ରଙ୍କୁ ୫ ହଜାର ଟଙ୍କା ନେବାକୁ କହିଥିଲେ। ଆର୍‌ଆଇ ଶ୍ରୀ ମିଶ୍ର ଉକ୍ତ ଟଙ୍କା ଏଆର୍‌ଆଇ ଶ୍ରୀ ଡାଙ୍ଗଙ୍କୁ ଦେବାକୁ କହିଥିଲେ। ଏଆର୍‌ଆଇ ଶ୍ରୀ ଡାଙ୍ଗଙ୍କୁ ନେତ୍ରାନନ୍ଦ ଟଙ୍କା ଦେବା ସମୟରେ ପୂର୍ବ ଯୋଜନାରେ ଅନୁସାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଉଭୟ ଆର୍‌ଆଇ ଶ୍ରୀ ମିଶ୍ର ଏବଂ ଏଆର୍‌ଆଇ ଶ୍ରୀ ଡାଙ୍ଗଙ୍କୁ ଗିରଫ କରିଥିଲେ। ଉଭୟଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟ ଚାଲାଣ କରିଥିବା ସୂଚନା ଦିଆଯାଇଛି।