ବାଲିଘାଟରେ ଭିଡିଓ ରେକର୍ଡିଂ କରୁଥିଲେ ରାଜସ୍ବ ନିରୀକ୍ଷକ; ହାତରେ କାମୁଡ଼ି ମୋବାଇଲ ଛଡ଼ାଇ ନେଲେ ଦୁର୍ବୃତ୍ତ

ଡୁଡୁକା: ନଦୀଘାଟରେ ରାଜସ୍ବ ନିରୀକ୍ଷକଙ୍କୁ ଦୁର୍ବୃତ୍ତମାନେ କାମୁଡ଼ି ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲା ସାଲେଭଟା ଫାଣ୍ଡି ମୁଷୁଣ୍ଡି ଗାଁ ନିକଟ ଅଙ୍ଗନଦୀରେ ବାଲି ମାଫିଆମାନେ ଗୁରୁବାର ସକାଳୁ ଗୁଣ୍ଡାରାଜ୍‌ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ବାବୁଫାସତ୍‌ ରାଜସ୍ବ ନିରୀକ୍ଷକ ସୁଶାନ୍ତ ପଟେଲ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ ସାଲେଭଟା ଫାଣ୍ଡି ମୁଷୁଣ୍ଡି ଗାଁ ନିକଟ ଅଙ୍ଗନଦୀରେ ବାଲି ମାଫିଆମାନେ କିଛି ଟ୍ରାକ୍ଟର ମାଧ୍ୟମରେ ବେଆଇନ୍‌ ଭାବେ ବାଲି ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ଏହି ସମୟରେ ରାଜସ୍ବ ନିରୀକ୍ଷକ ସୁଶନ୍ତ ପଟେଲଙ୍କ ସମେତ କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୁର୍ବୃତ୍ତମାନେ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ବିରୋଧ କରିଥିଲେ। ତେବେ ଏହି ସମୟରେ ଶ୍ରୀ ପଟେଲ ତାଙ୍କ ମୋବାଇଲରେ ଦୁର୍ବୃତ୍ତଙ୍କର ଭିଡିଓ ରେକଡିଂ କରିଥିଲେ। ତେଣୁ ଦୁର୍ବୃତ୍ତମାନେ ଅଧିକ କ୍ରୋଧ ପ୍ରକାଶ କରିଥିଲେ। ସେମାନେ ଶ୍ରୀ ପଟେଲଙ୍କ ଠାରୁ ମୋବାଇଲ ଛଡ଼ାଇବାକୁ ପ୍ରଥମେ ଉଦ୍ୟମ କରିଥିଲେ। କିନ୍ତୁ ଏଥିରେ ବିଫଳ ହେବାରୁ ଶ୍ରୀ ପଟେଲ ମୋବାଇଲ ଧରିଥିବା ଡାହାଣ ହାତକୁ କାମୁଡ଼ି ଦେଇଥିଲେ। ଫଳରେ ତାଙ୍କର ହାତର ଆଙ୍ଗୁଠିରେ ଦାନ୍ତ ଚିହ୍ନ ହୋଇଯାଇଥିଲା। ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ଶ୍ରୀ ପଟେଲଙ୍କ ଠାରୁ  ବଳପୂର୍ବକ ମୋବାଇଲ ଛଡ଼ାଇ ନେଇ ପାଖରେ ଜଳୁଥିବା ନିଆଁରେ ଫୋପାଡ଼ି ଦେଇଥିଲେ।

ତେବେ ଏହି ଘଟଣାକୁ ନେଇ ଶ୍ରୀ ପଟେଲ ସାଲେଭଟା ଫାଣ୍ଡିରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତମାନେ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର