ସମ୍ବଲପୁର/କୁଚିଣ୍ଡା : ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତହସିଲ୍ ଅନ୍ତର୍ଗତ ଗୋଛରା ରାଜସ୍ବ ନିରୀକ୍ଷକ ସତ୍ୟନାରାୟଣ କଉଡ଼ି।
ଗୁରୁବାର ଗୁରୁଆଁ ଗ୍ରାମର ଖତୁ କିଷାନଙ୍କ ଜମି ମ୍ୟୁଟେସନ ପାଇଁ ତାଙ୍କ ଠାରୁ ଗୋଛରା କାର୍ଯ୍ୟାଳୟ ପରିସରରେ ପାଞ୍ଚହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଧରିଥିଲା। ତାଙ୍କ ପାଖରୁ ଲାଞ୍ଚ ନେଉଥିବା ସମସ୍ତ ଟଙ୍କାକୁ ଭିଜିଲାନ୍ସ ବିଭାଗ ଜବତ କରିବା ସହ ସତ୍ୟନାରାୟଣଙ୍କୁ ଗିରଫ କରିଛି। ଶ୍ରୀ କିଷାନ ତାଙ୍କ ନିଜ ଜମିର ମ୍ୟୁଟେସନ୍ ପାଇଁ ରାଜସ୍ବ ନିରୀକ୍ଷକ ସତ୍ୟନାରାୟଣଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେ ଏହି କାମ ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ରସାୟନିକ ପ୍ରଲେପ ଥିବା ଟଙ୍କା ଦିଆଯାଇଥିଲା। ଯୋଜନା ମୁତାବକ ସେ ଉକ୍ତ ଟଙ୍କା ସତ୍ୟନାରାୟଣଙ୍କୁ ଦେବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଧରିଥିଲା। ଭିଜିଲାନ୍ସ କେସ ନମ୍ବର- ୫ରେ ଏକ ମାମଲା ରୁଜୁ କରି ସତ୍ୟନାରାୟଣ କଉଡିଙ୍କୁ ଗିରଫ କରିବା ପରେ ଗୁରୁବାର କୋର୍ଟଚାଲାଣ କରିଛି। ତାଙ୍କ କୁଚିଣ୍ଡା ମହୁଲଡ଼ିହିସ୍ଥିତ ବାସଭବନ, ପୈତୃକ ଗାଁ ଜମନକିରାସ୍ଥିତ ଘର ଏବଂ ଗୋଛରା ଆର୍ଆଇ ଅଫିସରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଯାଞ୍ଚ କରିଥିଲା। ଭିଜିଲାନ୍ସ ବିଭାଗର ଡିଏସ୍ପି କବିତା ସାହୁ, ଇନ୍ସପେକ୍ଟର ସନିଆ ବୁଡେକ, ସି. ବିଲୁଙ୍ଗ, ପୁଷ୍ପା ଟିକନ ପ୍ରମୁଖ ଉପସ୍ଥିତ ରହି ଚଢ଼ଉ କରିଥିଲେ।