ରିଆମାଳ : ଅବିବାହିତ ଯୁବକ ସହ ବିବାହ କରିବାକୁ ସ୍ବାମୀ ଓ ଦୁଇ ଝିଅକୁ ଛାଡ଼ି ପଳାଇ ଆସିଥିଲେ ମହିଳା। ସାଙ୍ଗରେ ପୁଅକୁ ନେଇ ଆସିଥିଲେ। ତେବେ ପରବର୍ତ୍ତୀ ସମୟରେ ସଂସାରରେ ବାଧା ସୃଷ୍ଟି କରିବା ଆଶଙ୍କା କରି ପୁଅକୁ ହତ୍ୟା କରିବାକୁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ ଓ ଚାଇଲ୍ଡଲାଇନ୍ କର୍ମକର୍ତ୍ତା ଶିଶୁପୁତ୍ରକୁ ଉଦ୍ଧାର କରିଥିବା ବେଳେ ମା’କୁ ଅଟକ ରଖିଛି। ଏହି ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ ରିଆମାଳ ସୁବର୍ଣ୍ଣପାଲି ଗ୍ରାମରୁ ଗୁରୁବାର ଚାଇଲ୍ଡଲାଇନ କର୍ମକର୍ତ୍ତା ଓ ରିଆମାଳ ପୁଲିସ ଉଭୟ ଶିଶୁ (୬ ବର୍ଷ)କୁ ଉଦ୍ଧାର କରିଛନ୍ତି। ଏଥିସହ ବିବାହ କରିବ କହି ମା’ ଓ ପୁଅକୁ ନେଇ ଆସିଥିବା ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ମହିଳା ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଯୁବକ ଜଣକ ହେଲେ ରିଆମାଳ ଗ୍ରାମର ଦାଶରଥି ବିଶ୍ବାଳଙ୍କ ପୁଅ ଆକାଶ ବିଶ୍ବାଳ ଓରଫ୍ ବୁଥୁଲୁ (୨୫)। ସେ ମହିଳାଙ୍କୁ ବିବାହ କରିବାକୁ କହି ୪ ମାସ ତଳେ ନେଇ ଆସିଥିଲା। ଉଭୟ ସଂସାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ମଝିରେ ପୁଅ ପ୍ରତିବନ୍ଧକ ସାଜୁଥିବାରୁ ତାକୁ ମାରି ଦେବାକୁ ଚକ୍ରାନ୍ତ କରିଥିଲେ।
ଏ ବିଷୟରେ କେହି ଚାଇଲ୍ଡଲାଇନ୍କୁ ଫୋନ୍ କରି ଏ ବିଷୟରେ ସୂଚନା ଦେଇଥିଲେ। ଖବରପାଇ ରିଆମାଳ ଚାଇଲଡ୍ଲାଇନର ଟିମ ଲିଡର ପ୍ରଶାନ୍ତ ନାୟକ, ରିଆମାଳ ଥାନା ପୁଲିସ ଓ ସ୍ଥାନୀୟ ଅଙ୍ଗନବାଡ଼ି ଦିଦି ସବିତା ନାୟକ ପହଞ୍ଚି ମହିଳାଙ୍କୁ ଠାବ କରିଥିଲେ। ପଚରାଉଚରା ପରେ ଉଭୟ ମା’ ପୁଅଙ୍କୁ ଦେବଗଡ଼ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନା କରିଥିଲେ। ପରେ ସୁନ୍ଦରଗଡ଼ ସ୍ଥିତ ତାଙ୍କ ଘରକୁ ନେଇ ନେଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆକାଶକୁ ରିଆମାଳ ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶ ଥାଉ କି, ଆକାଶ ସୁନ୍ଦରଗଡ଼ ଅଞ୍ଚଳରେ କାମ କରିବାକୁ ଯାଇଥିବା ବେଳେ ସେଠାରେ ସଂପୃକ୍ତ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମହିଳାଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ରହିଛି। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆକାଶଙ୍କ ଘର ଲୋକ ମହିଳାଙ୍କୁ ଘରେ ପୂରାଇ ନଦେବାରୁ ସେ ବାରଦ୍ବାର ହୋଇଥିଲେ। କେତେବେଳେ ସ୍କୁଲ ବାରଣ୍ଡା ତ କେତେବେଳେ ଖଳାରେ ଆଶ୍ରୟ ନେଉଥିଲେ। ଏଥି ସହ ତାର ପୁଅକୁ ମଧ୍ୟ ନିର୍ଯାତନା ଦେଉଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଚାଇଲ୍ଡଲାଇନକୁ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/woman.jpg)