ବାଧକ ସାଜିଛି ବିଳମ୍ବ ମୌସୁମୀ ବର୍ଷା, ଧିମେଇ ଯାଇଛି ଧାନ ଓ ଅଣ ଧାନ ଚାଷ

ବାକି ଅଛି ୨୪,୨୯୯ ହେକ୍ଟର ଚାଷ ଜମି

ରାଉରକେଲା : ବିଳମ୍ବ ମୌସୁମୀ ବର୍ଷା ଯୋଗୁ ଧିମେଇ ଯାଇଛି ଧାନ ଓ ଅଣଧାନ ଚାଷ। ପୂର୍ବ ବର୍ଷ ଅପେକ୍ଷା ଚଳିତ ଥର ଅପେକ୍ଷାକୃ୍ତ କମ୍‌ ବର୍ଷା ହୋଇଛି। ଏମିତି ସ୍ଥିତି ଉପୁଜିଛି ସୁନ୍ଦରଗଡ ଜିଲ୍ଲା ଲାଠିକଟା, କୁଆରମୁଣ୍ଡା, ନୂଆଗାଁ ଓ ଲାଠିକଟା ବ୍ଲକରେ। ପ୍ରତିକୂଳ ପାଗ ଯୋଗୁ ଗତବର୍ଷ ବର୍ତ୍ତମାନ ସୁଦ୍ଧା ଯେତିକି ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ ହେବା କଥା, ତା’ ଠାରୁ କମ୍ ହୋଇଛି। ଚାରିଟି ବ୍ଲକରେ ମୋଟ ୬୦ ହଜାର ୭୫୯ ହେକ୍ଟର ଜମିରୁ ବର୍ତ୍ତମାନ ସୁଦ୍ଧା ୪୫ ହଜାର ୪୬୬ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଅବଶିଷ୍ଟ ୧୫ ହଜାର ୨୯୩ ହେକ୍ଟର ଜମିରେ ଚାଷ ବାକି ଅଛି। ସେମିତି ୨୩ ହଜାର ୨୯୯ ହେକ୍ଟର ଅଣଧାନ ଚାଷ ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୪ ହଜାର ୩୬୩ ହେକ୍ଟର ଜମି ଚାଷ ହୋଇଛି। ଅବଶିଷ୍ଟ ୮ ହଜାର ୯୩୬ ହେକ୍ଟର ଜମି ବାକି ଅଛି।

ଗତକାଲି ଠାରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷା ଜାରି ରହିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷ କାମ ସରିବ। ନ ହେଲେ କିଛି ଜମି ପଡ଼ିଆ ପାରେ। ଜିଲ୍ଲା ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଲାଠିକଟା ବ୍ଲକରେ ମୋଟ ୧୮ ହଜାର ୩୩୮ ହେକ୍ଟର ଧାନ ଚାଷ ଜମି ରହିଛି। ଗତ ୨୭ ତାରିଖ ସୁଦ୍ଧା ୧୪ ହଜାର ୪୫୮ ହେକ୍ଟର ଜମିରେ ଚାଷ କାମ ସରିଛି। କୁଆରମୁଣ୍ଡାରେ ମୋଟ ୧୫ ହଜାର ୬୬୮ ହେକ୍ଟର ଧାନ ଚାଷ ଜମିରୁ ୧୨ ହଜାର ୨ ହେକ୍ଟର ଜମିରେ ଚାଷ ହୋଇଛି। ନୂଆଗାଁରେ ୨୧ ହଜାର ୨୬୫ ହେକ୍ଟର ଧାନ ଚାଷ ଜମିରୁ ୧୫ ହଜାର ୨୩୬ ହେକ୍ଟର ଜମିରେ ଚାଷ ଚାଷ ସରିଛି। ବିଶ୍ରାରେ ମୋଟ ୫ ହଜାର ୪୮୮ ହେକ୍ଟର ଧାନ ଚାଷ ଜମି ରହିଛି। ଏଥିରୁ ୩ ହଜାର ୭୭୨ ହେକ୍ଟର ଜମିରେ ଚାଷ କାମ ସରିଛି।

ଅନୁରୂପ ଭାବେ ଲାଠିକଟା ବ୍ଲକରେ ମୋଟ ୬ ହଜାର ୩୫୭ ହେକ୍ଟର ଜମିରେ ଅଣ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୩ ହଜାର ୭୩୭ ହେକ୍ଟର ଜମିରେ ଚାଷ କାମ ସରିଛି। କୁଆରମୁଣ୍ଡାରେ ୬ ହଜାର ୮୪୮ ହେକ୍ଟର ଜମିରୁ ୩ ହଜାର ୮୧୩ ହେକ୍ଟର, ନୂଆଗାଁରେ ୬ ହଜାର ୨୧୮ ଏକର ଅଣଧାନ ଜମିରୁ ୪ ହଜାର ୩୨୨ ହେକ୍ଟର ଜମିରେ ଚାଷ କାମ ସରିଛି। ବିଶ୍ରା ବ୍ଲକରେ ମୋଟ ୩ ହଜାର ୮୭୬ ‌ଏକର ଅଣଧାନ ଜମି ରହିଛି। ବର୍ତ୍ତମାନ ସୁଦ୍ଧା ୨ ହଜାର ୪୯୧ ହେକ୍ଟର ଜମିରେ ଚାଷ କାମ ସରିଛି।

ଲାଠିକଟା ବ୍ଲକରେ ଜୁନ୍‌ ମାସରେ ୨୮୨.୨୦, ଜୁଲାଇରେ ୨୩୫.୦୦ ଏମ୍‌ଏମ୍‌ ବର୍ଷା ହୋଇଥିବାବେଳେ କୁଆରମୁଣ୍ଡାରେ ଜୁନ୍‌ରେ ୨୮୧.୬୦ ଏମ୍‌ଏମ୍‌ ଓ ଜୁଲାଇରେ ୨୬୫ ଏମ୍‌ଏମ୍‌ ବର୍ଷା ହୋଇଛି। ନୂଆଗାଁ ବ୍ଲକରେ ଜୁନ୍‌ ମାସରେ ଗତବର୍ଷ ଠାରୁ ଢ଼େର କମ୍‌ ବର୍ଷା ହୋଇଛି। ଜୁନ୍‌ ମାସରେ ୧୪୪.୯୦ ଏମ୍‌ଏମ୍‌ ବର୍ଷା ହୋଇଥିଲାବେଳେ ଜୁଲାଇ ମାସରେ ୨୪୩.୪୦ ଏମ୍‌ଏମ୍‌ ବର୍ଷା ହୋଇଛି। ବିଶ୍ରା ବ୍ଲକରେ ଜୁନ୍‌ରେ ୨୬୯.୧୦ ଏମ୍‌ଏମ୍ ଓ ଜୁଲାଇରେ ୧୮୭.୨୦ ଏମ୍‌ଏମ୍‌ ବର୍ଷା ହୋଇଛି।

ବ୍ଳକ        ଧାନ ଚାଷ ଲକ୍ଷ୍ୟ           ଅଣଧାନ ଚାଷ ଲକ୍ଷ୍ୟ
ଲାଠିକଟା ୧୮,୩୮୮ ହେକ୍ଟର       ୧୪,୪୫୮ ହେକ୍ଟର
କୁଆରମୁଣ୍ଡା ୧୫,୬୬୮ ହେକ୍ଟର     ୧୨୦୦୨ ହେକ୍ଟର
ନୂଆଗାଁ ୨୧,୨୬୫ ହେକ୍ଟର          ୧୫,୨୩୪ ହେକ୍ଟର
ବିଶ୍ରା ୫,୪୮୮ ହେକ୍ଟର                ୩,୭୭୨ ହେକ୍ଟର
ମୋଟ ୬୦,୭୫୯ ହେକ୍ଟର           ୨୩,୨୯୯ ହେକ୍ଟର

ସମ୍ବନ୍ଧିତ ଖବର