ରାଜନୀତିର ପଶାପାଲିରେ ଚାଉଳ ଏବଂ ଗହମ

କେନ୍ଦ୍ରୀୟ ଟିମର ଚାଉଳ ଯାଞ୍ଚ, କାହିଁକି ବାଦ ପଡ଼ୁଛି ଗହମ

ଭୁବନେଶ୍ବର : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ରାଜନୀତିର ପଶାପାଲିରେ ଚାଉଳ ଏବଂ ଗହମ ରହିଛି। ଚାଉଳ କ୍ରୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଠିକ ସେହି ସମୟରେ କେନ୍ଦ୍ରୀୟ ଟିମ ଚାଉଳ ଉତ୍ପାଦିତ ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲାର ଯାଞ୍ଚ କରୁଛି। ଇତିମଧ୍ୟରେ ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ାର ଚାଉଳ ନିରୀକ୍ଷଣ କରାଯାଇ ପରୀକ୍ଷା ପାଇଁ ନମୁନା ଦିଲ୍ଲୀକୁ ପଠାଯାଇଛି। ଗୋଦାମକୁ ଯାଉଥିବା ଟିମ ଚାଉଳ ଦେଖୁଥିଲେ ମଧ୍ୟ ସେହି ସ୍ଥାନରେ ରଖାଯାଇଥିବା ଗହମକୁ ବାଦ ଦେବା ନେଇ ବିଭିନ୍ନ ମହଲ ପ୍ରଶ୍ନ ଉଠାଇଲେଣି।

ସୂଚନା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାଜ୍ୟରେ ୯୨ ଲକ୍ଷ କାର୍ଡ ରହିଛି। କାର୍ଡ ଜରିଆରେ ଦିଆଯାଉଥିବା ଖାଦ୍ୟର ସମୁଦାୟ ଆବଶ୍ୟକତାର ୭୫ ପ୍ରତିଶତ ଚାଉଳ ଏବଂ ୨୫ ପ୍ରତିଶତ ଗହମ ପୂରଣ କରେ। ୨୦୨୧-୨୨ ଖରିଫରେ ରାଜ୍ୟ ପ୍ରାୟ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରିଥିଲା। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ସେଥିରୁ ୩୦ ଲକ୍ଷ ମେଟ୍ରିକ ଟନ ଚାଉଳ ରଖି ବଳକା ୨୨ ଟନ ଚାଉଳ ଉଠାଇବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏଫସିଆଇ ଜାଣିଶୁଣି ଚାଉଳ ରଖୁନଥିବା ନିୟମିତ ଅଭିଯୋଗ ହେଉଛି। ଅନ୍ୟଦିଗରେ ରାଜ୍ୟରେ ଗହମ ଉତ୍ପାଦିତ ହେଉନଥିବାରୁ ପ୍ରତି ମାସରେ ୨୪ ହଜାର ମେଟ୍ରିକ ଟନ ଗହମ ବାହାରୁ ରାଜ୍ୟରୁ କ୍ରୟ କରି ଏଫସିଆଇ ରାଜ୍ୟ ଯୋଗାଣ ବିଭାଗକୁ ଦିଏ।
ଅନ୍ୟପକ୍ଷରେ ଧାନ ସଂଗ୍ରହ ହୋଇ ମିଲକୁ ଯାଇ ଚାଉଳ ହୋଇ ପୁଣି ଯୋଗାଣ ନିଗମକୁ ଆସିବାବେଳକୁ ଉପଯୁକ୍ତ ଯାଞ୍ଚ ପ୍ରକ୍ରିୟା ଦେଇ ଆସିଥାଏ। ଏହା ସତ୍ତ୍ବେ ମିଲରଙ୍କ ସହିତ ମଧୁ ଚନ୍ଦ୍ରିକା ଯୋଗୁଁ ଯୋଗାଣ ବିଭାଗ ବଡ଼ ବଡ଼ ଅଧିକାରୀ ଏବଂ କର୍ମଚାରୀ ନିମ୍ନମାନର ଚାଉଳ କ୍ରୟ କରି ତାକୁ ଖାଉଟିକୁ ଦେଇଥାଆନ୍ତି। ବାରମ୍ବାର ଏହା ପ୍ରମାଣିତ ହୋଇଛି। ଏଥିପାଇଁ ଏଫସିଆଇ ବିଭିନ୍ନ ସମୟରେ ଯୋଗାଣ ବିଭାଗର ଚାଉଳ ଗୋଦାମ ଯାଞ୍ଚ କରିଥାଏ। ଏହାବାଦ ମଧ୍ୟ କେନ୍ଦ୍ରୀୟ ଟିମ ଆସି ଦେଖନ୍ତି। ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ। ବିଭିନ୍ନ ସମୟରେ ଏହି ଯାଞ୍ଚ ଯୋଗୁଁ ଚାଉଳର ଗୁଣାତ୍ମକମାନର ସୁଧାର ହେଉଛି। ମିଲ ଏବଂ ଯୋଗାଣ ଅଧିକାରୀଙ୍କ ମନରେ ଭୟ ରହୁଛି।

ଖାଦ୍ୟ ଅଧିକାର ଅଭିଯାନ ସଦସ୍ୟ ସମୀତ ପଣ୍ଡାଙ୍କ କହିବା କଥା ହେଉଛି, ନିଜ ରାଜ୍ୟର ଉତ୍ପାଦିତ ଚାଉଳ ଯଦି ନିମ୍ନମାନର ହୋଇପାରୁଛି, ବାହାରୁ ଆସୁଥିବା ଗହମ କିଭଳି ସ୍ବଚ୍ଛ ହେବ। ଏହା ଆହୁରି ନିମ୍ନମାନର ହେବା ନେଇ ଆହୁରି ଆଶଙ୍କା ରହିଛି। ଏଫସିଆଇ ଏହି ଗହମ ପଞ୍ଜାବ, ହରିୟାଣା କିମ୍ବା ଉତ୍ତରପ୍ରଦେଶରୁ କ୍ରୟ କରି ଓଡ଼ିଶାକୁ ଦିଏ। ନିଜ ଅଞ୍ଚଳର ଲୋକଙ୍କ ପ୍ରତି ଯଦି ଚାଉଳ କଳ ମାଲିକମାନେ ବିଶ୍ବସନୀୟ ହୋଇ ପାରୁ ନାହାନ୍ତି, ନିଜ ରାଜ୍ୟର ଲୋକଙ୍କୁ ଯୋଗାଣ ଅଧିକାରୀମାନେ ଖରାପ ଚାଉଳ ବିକ୍ରି କରୁଛନ୍ତି। ସେବେ ବାହାର ରାଜ୍ୟରୁ ଆସୁଥିବା ଗହମ କେତେ ବିଶ୍ବାସ ଯୋଗ୍ୟ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। ଗହମ ଦୀର୍ଘ ଯାତ୍ରାରେ ଆସେ। ଏଫସିଆଇରୁ ଯୋଗାଣ ବିଭାଗକୁ ହସ୍ତାନ୍ତରଣ ବେଳେ ଏକ ଯୋଗାଣ ବିଭାଗର ଜଣେ କର୍ମଚାରୀ ଯାଞ୍ଚ କରି ନେବାର ନିୟମ ରହିଛି। ମାତ୍ର ବାସ୍ତବିକତା ହେଲା, ଯେତେ ପରିମାଣରେ ଗହମ ଆସେ ଏହାକୁ ଯାଞ୍ଚ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଯେଉଁ ତଳୁଆ କର୍ମଚାରୀ ଏହାର ଯାଞ୍ଚ କରିବେ ସେ ଏଫସିଆଇ ଭଳି ସଂସ୍ଥା ବିରୋଧରେ ଲେଖିବା ତାଙ୍କ ପକ୍ଷରେ କେତେ ସମ୍ଭବ ଏହାକୁ ନେଇ ସର୍ବଦା ପ୍ରଶ୍ନ ଉଠେ। ଏଫସିଆଇ ନିଜେ ଯୋଗାଣ ନିଗମ ଠାରୁ ଚାଉଳ କ୍ରୟ କରୁଥିବାରୁ ତା ବିରୋଧରେ ସ୍ବର ଉଠାଇବା କୌଣସି ଯୋଗାଣ ଅଧିକାରୀ ସାହାସ କରନ୍ତି ନାହିଁ। ଏହାର ପରିଣାମ ସ୍ବରୂପ ନିମ୍ନମାନର ଗହମ ବଜାରରେ ପହଞ୍ଚିଯାଏ। ଏଥିଯୋଗୁଁ ଖାଉଟି କ୍ଷତିଗ୍ରସ୍ତ ହୁଅନ୍ତି। ଚାହିଦା କମ ଥିବାରୁ ଗୋଦାମରେ ବେଶି ଦିନ ରୁହେ। ଖରାପ ହେବାର ଆଶଙ୍କା ଆହୁରି ବଢିଯାଏ।

ସମ୍ବନ୍ଧିତ ଖବର