ରାଉରକେଲା : ଯେତେ ତାଗିଦ୍ କଲେ ମଧ୍ୟ ଯୋଗାଣ ବିଭାଗ ଚାଲିଥିବା କଳା କାରନାମା ସୁଧୁରୁନି। ବରଂ ଦିନକୁ ଦିନ ବଢ଼ି ଚାଲିଛି। ପିଡିଏସ୍ ସାମଗ୍ରୀ ବଣ୍ଟନ କରୁଥିବା କିଛି କଣ୍ଟ୍ରୋଲ ଦୋକାନୀ, ଏସ୍ଏଚ୍ଜିଙ୍କ ସହ ମିଶି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଗୋଟିଏ ପରେ ଗୋଟିଏ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ପରି ସାଂଘାତିକ ଅଭିଯୋଗ ହେଉଛି। କେତେବେଳେ ଭୂତ କାର୍ଡ ତ ଅନ୍ୟ କେତେବେଳେ ନକଲି ଓଟିପି (ୱାନ୍ ଟାଇମ୍ ପାସ୍ୱାର୍ଡ)ରେ ଚଳୁ କରାଯାଉଛି ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ନକଲି ଓଟିପିର ମଧ୍ୟସ୍ଥତା ସାଜିଛନ୍ତି ଯୋଗାଣ ବିଭାଗର ଜଣେ କରିତକର୍ମା ଡାଟା ଏଣ୍ଟ୍ରି ଅପରେଟର। କିଛି କଣ୍ଟ୍ରୋଲ ଦୋକାନ ଓ ଏସ୍ଏଚ୍ଜିଙ୍କ ସହ ଭିତିରି ସଲାସୁତୁରା କରି ନକଲି ନମ୍ବରକୁ ଏଣ୍ଟ୍ରି କରୁଛନ୍ତି। ସେହି ନମ୍ବରକୁ ବ୍ୟବହାର କରି ମାସକୁ ମାସ ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ ହଡପ କରୁଛନ୍ତି। ଯାହାକୁ ବଜାର ମୂଲ୍ୟରେ ବିକି ମାଲେମାଲ୍ ହେଉଛନ୍ତି।
ଅଭିଯୋଗ ଆସିଲେ ବିଭାଗୀୟ ଅଧିକାରୀ କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜିଙ୍କୁ ନୋଟିସ୍ କରୁଛନ୍ତି। କାର୍ଡରେ ଏଣ୍ଟ୍ରି ହୋଇଥିବା ମୋବାଇଲ ନମ୍ବର ବିସ୍ତୃତ ତଥ୍ୟ ମାଗୁଛନ୍ତି। କିଛି ଦିନ କଲା ପରେ ସ୍ଥିତି ଯେମିତିକୁ ଯେମିତି। ଗତ ୬ ମାସ ତଳେ ଏଭଳି ଖବର ପ୍ରକାଶ ପାଇବାରେ ପରେ ଯୋଗାଣ ବିଭାଗ ସଜାଗ ହୋଇଥିଲା। ପାରିବା ପଣିଆ ଜାହିର କରିବାକୁ ଯାଇ କିଛି କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି କାମ ସାରି ଦେଇଥିଲେ। କିନ୍ତୁ ଜଣେ ହେଲେ କଣ୍ଟ୍ରୋଲ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଏବେ ପୁଣି କିଛି କରିତକର୍ମା କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜି ଗ୍ରୁପ୍ ଏଭଳି ଧନ୍ଦା ଚଳାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2020/05/PDS-ration-1200.jpg)
ସାରା ଜିଲ୍ଲାରୁ ରାଉରକେଲାକୁ ଉଦାହରଣ ରୂପେ ନିଆଯାଉ: ଏ ସହରରେ ମୋଟ୍ ୬୪ ହଜାର ୯୪୫ରୁ ଅଧିକ ରାସନ କାର୍ଡ ରହିଛି। ଏଥିମଧ୍ୟରୁ ୨ ହଜାର ୮୯୮ ହେଉଛନ୍ତି ଏଏୱାଇ କାର୍ଡ। ଏହି କାର୍ଡରେ ଦିବ୍ୟାଙ୍ଗ, ୬୦ ବର୍ଷରୁ ଅଧିକ ବୟସର ଅସହାୟ ବୃଦ୍ଧବୃଦ୍ଧା, ବିଧବା ଓ କିନ୍ନରଙ୍କୁ ମାସକୁ ୩୫ କେଜି ଲେଖାଏଁ ଚାଉଳ ଦିଆଯାଉଛି। ଏହାଦ୍ବାରା ମୋଟ୍ ୬ ହଜାର ୭୦୭ ଲୋକ ଉପକୃତ ହେଉଛନ୍ତି ବୋଲି କୁହା ଯାଉଛି। ଏମାନଙ୍କ ପାଇଁ ମାସକୁ ୧ ହଜାର ୧୪ କ୍ବିଣ୍ଟାଲ ଚାଉଳ ଉଠାଯାଉଛି। ସେମିତି ସହରରେ ରହିଛି ୨୧୧ଟି ଅନ୍ନପୂର୍ଣ୍ଣା କାର୍ଡ। ଯେଉଁ କାର୍ଡ ଜରିଆରେ ମାଗଣାରେ ହିତାଧିକାରୀଙ୍କୁ ମିଳୁଛି ମାସିକ ୧୦ କେଜି ଚାଉଳ। ପ୍ରତିବର୍ଷ ସାଧାରଣ କାର୍ଡଧାରୀଙ୍କ ସଂଖ୍ୟା ବଢ଼ୁଛି ବା କମୁଛି। ‘ୱାନ୍ ନେସନ୍, ୱାନ୍ କାର୍ଡ’ ହେବା ପରେ ବାହାର ସ୍ଥାନ ଓ ବାହାର ରାଜ୍ୟର ଲୋକଙ୍କୁ ବାଦ୍ ଦେବାପରେ ସହରରେ ରାସନ କାର୍ଡ ସଂଖ୍ୟା ପୂର୍ବାପେକ୍ଷା କମିଛି। ବଣ୍ଟନ ଦାୟିତ୍ବରେ ଥିବା ସହରର ୧୬୯ କଣ୍ଟ୍ରୋଲ ଦୋକାନୀ ମଧ୍ୟରୁ ଅଧିକାଂଶଙ୍କ ପାଖରେ କାର୍ଡ ସଂଖ୍ୟା କମିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୨୧ ବର୍ଷ ପରେ ମଧ୍ୟ ଏଏୱାଇ କାର୍ଡ ସଂଖ୍ୟା ଯାହା ଥିଲା, ଏବେ ମଧ୍ୟ ସେଇଆ ଅଛି। ଅର୍ଥାତ୍ ସହରରେ ଏଏୱାଇ କାର୍ଡଧାରୀଙ୍କ ସଂଖ୍ୟା କମୁନି କି ବଢ଼ୁନି। ଏହି ୨୧ ବର୍ଷ ଭିତରେ ଅନେକ କାର୍ଡଧାରୀଙ୍କର ପରଲୋକ ଘଟିଥିବ ନିଶ୍ଚୟ। ଯୋଗାଣ ବିଭାଗ ଓ କଣ୍ଟ୍ରୋଲ ଦୋକାନୀଙ୍କ ଭିତିରି ସଲାସୁତୁରା ଯୋଗୁଁ ବର୍ଷ ବର୍ଷ ଧରି ଏହି କାର୍ଡ ସଂଖ୍ୟା ସେମିତି ରହିଥିବା ଅଭିଯୋଗ ହେଉଛି।
ଜଣେ ଜଣେ କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜି ଅଧୀନରେ ବର୍ଷ ବର୍ଷ ଧରି ୩ଟିରୁ ଆରମ୍ଭ କରି ୨୭୦ ଟି ଏଏୱାଇ କାର୍ଡ ରହିଛି। ଝାତରଙ୍ଗର ଏକ ଏସ୍ଏଚ୍ଜିର ଅଧୀନରେ ୨୭୦ଟି, ୱାର୍ଡ ନଂ ୭ର ଅନ୍ୟ ଏକ ଏସ୍ଏଚ୍ଜି ପାଖରେ ୧୮୦ଟି, ସେକ୍ଟର-୨୦ର ଏସ୍ଏଚ୍ଜି ନିକଟରେ ୧୪୫ଟି ଏଏୱାଇ କାର୍ଡ ରହିଛି। ୱାର୍ଡ ନଂ ୫ରେ ସେମିତି ଏକ ଏସ୍ଏଚ୍ଜି ପାଖରେ ୧୧୨ଟି, ୱାର୍ଡ ନଂ ୩୧ ରେ ଆଉ ଏକ ଏସ୍ଏଚ୍ଜିରେ ୭୩ଟି ଏଏୱାଇ କାର୍ଡ ରହିଛି। ଅନୁରୂପ ଭାବେ ୱାର୍ଡ ନଂ ୧ରେ ଜଣେ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ସର୍ବାଧିକ ୮୮ଟି, ୱାର୍ଡ ନଂ-୫ର ଦୁଇ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ଯଥାକ୍ରମେ ୬୨ ଓ ୪୨ଟି କାର୍ଡ ରହିଛି। ଏମିତି ଭାବେ ଅନ୍ୟ କିଛି କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ୨୬, ୩୨, ୨୫, ୨୨, ୪୦ଟି କରି ଏଏୱାଇ କାର୍ଡ ରହିଛି। ମାସକୁ ମାସ ଏଏୱାଇ କାର୍ଡ ନାଁରେ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ କଣ୍ଟ୍ରୋଲ ଦୋକାନୀଙ୍କୁ ବଣ୍ଟନ କରିବାକୁ ଦିଆଯାଉଛି। ଏଥିରୁ ୬୦% ବଣ୍ଟନ ହେଉଛି, ଅବଶିଷ୍ଟ ୪୦% କଣ୍ଟ୍ରୋଲ ଦୋକାନୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ହେଉଛି। କାରଣ ଯେତିକି ଏଏୱାଇ କାର୍ଡ ରହିଛି, ସେତିକି ହିତାଧିକାରୀ ନାହାନ୍ତି। ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀଙ୍କର ମୃତ୍ୟୁ ହୋଇ ସାରିଲାଣି। ମାତ୍ର ସେମାନଙ୍କ କାର୍ଡରେ ମାସକୁ ମାସକୁ ଚାଉଳ ଉଠା ଚାଲିଛି। ସେମିତି ୨୧ ବର୍ଷ ପୂର୍ବରୁ ଯେଉଁମାନେ ଏଏୱାଇ କାର୍ଡ ପାଇଥିଲେ, ସେମାନେ ଏବେ ଅଛନ୍ତି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉ ନାହିଁ। ଏଥିପ୍ରତି ନାଁ ଯୋଗାଣ ବିଭାଗ ନା ତଦାରଖ ଦାୟିତ୍ବରେ ଥିବା ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କାହାରି ନଜର ନାହିଁ। ମାସକୁ ମାସ ଏଏୱାଇ କାର୍ଡ ନାଁରେ ବାଟମାରଣା ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ଚାଉଳର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।