ବେତନଟୀ ସଦର: ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ସନ୍ଧ୍ୟାରେ ଆକସ୍ମିକ ଭାବେ ଆସି ବେତନଟୀ ବ୍ଲକ ଅଧୀନ ଜାତୀୟ ରାଜପଥ ପାର୍ଶ୍ୱ ଖଇରିବଣୀ ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ଗଛିତ ଥିବା ଚାଉଳ ବସ୍ତା ସବୁର ଓଜନ ଯାଞ୍ଚ କରିଥିଲେ।
ସୂଚନା ଅନୁଯାଇ ବୈଶିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଚାଉଳ ଦୁର୍ନୀତି ମାମଲା ସମ୍ବନ୍ଧରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବଡ଼ସାହି ବିଧାୟକ ଉକ୍ତ ଦୁର୍ନୀତି ସମ୍ବନ୍ଧରେ ଅବଗତ ହୋଇ ପ୍ରତକ୍ଷ ଭାବେ ଜଡିତ ହୋଇ ଉକ୍ତ ଦୁର୍ନୀତିର ଖୋଳତାଡ ଆରମ୍ଭ କରିଥିଲେ। ପରେ ସମ୍ପୃକ୍ତ ବିଭାଗରେ ଖୋଳତାଡ଼ କରି ଜାଣିବାକୁ ପାଇଥିଲେ କି ମୟୂରଭଞ୍ଜ ଜିଲ୍ଲାରେ କେବଳ ମଧ୍ୟାହ୍ନରେ ୧୭୦କୋଟିର ଚାଉଳ ମହାଦୁର୍ନୀତି ହୋଇଛି।
ଏହି ଘଟଣା ସମ୍ପର୍କରେ ସେ ବିଧାନସଭାରେ ମଧ୍ୟ ଆଲୋଚନା ପୂର୍ବକ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଜଣାଇ ଥିଲେ। ଶ୍ରୀ ପାତ୍ର ଶୁକ୍ରବାର ମୟୂରଭଞ୍ଜ ଗସ୍ତରେ ଆସି ବିଭିନ୍ନ ଗୋଦାମ, ଚାଉଳ ମିଲ ଯାଞ୍ଚ ପୂର୍ବକ ଆଜି ବାରିପଦାରେ ଏକ ସମୀକ୍ଷା ବୈଠକ କରିଥିଲେ। ସେ ଶନିବାର ସନ୍ଧ୍ୟାରେ ଆକସ୍ମିକ ଆସି ବୈଶିଙ୍ଗା ଉପକଣ୍ଠ ଖଇରିବଣୀ ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ପୂର୍ବରୁ ସ୍କୁଲ ଗୋଦାମ ଗୃହରେ ଗଛିତ ଥିବା ଚାଉଳ ବସ୍ତା ସବୁର ଓଜନ ଯାଞ୍ଚ କରିଥିଲେ। ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ, ଆଜିବି କୌଣସି ବସ୍ତାର ଓଜନ ୫୦ କେଜି ନଥିଲା। ସବୁ ବସ୍ତାର ଓଜନ ୪୩ରୁ ୪୫ ଭିତରେ ରହିଥିଲା। ପରେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ କି ଜିଲ୍ଲାରେ ହୋଇଥିବା ସ୍କୁଲ ଏମଡିଏମ ଚାଉଳ ଯୋଗାଣର ହେରଫେର ଅଭିଯୋଗର ତଦନ୍ତ ପୂର୍ବକ ସମ୍ପୃକ୍ତ ଥିବା ସବୁ ଅଧିକାରୀ ଓ ଯୋଗାଣ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମନ୍ତ୍ରୀଙ୍କ ଏହି ଯାଞ୍ଚ ସମୟରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ଥାନୀୟ ବିଡ଼ିଓ, ଯୋଗାଣ ବିଭାଗର ଅଧିକାରୀ, ଲିଗାଲ ମେଟ୍ରୋଲୋଜି ବିଭାଗର ଅଧିକାରୀଙ୍କ ସହିତ ବିଭିନ୍ନ ବିଭାଗର ୩୦ଜଣ ଅଧିକାରୀ ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/38f9f784-8b16-477d-9910-b666a83449ee.jpeg)