ଭବାନୀପାଟଣା : ଜୱାଦ ପ୍ରଭାବରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ହୋଇଛି। କଳାହାଣ୍ଡି ଜିଲ୍ଲାରେ ଏହାର ପ୍ରଭାବ ଯୋଗୁଁ ଏଠାକାର ଧାନ, କପା ଓ ପନିପରିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବିଭିନ୍ନ ଧାନମଣ୍ଡିରେ ମଣ୍ଡି ଖୋଲି ନଥିବାରୁ ଚାଷୀଙ୍କ ଟୋକନ ଲେପ୍ସ ହେଉଛି। ହେଲେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ନକରି ନିଦାବିଷ୍ଣୁ ସାଜିଥିବାରୁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।

Advertisment

ଜୱାଦ ପ୍ରଭାବରେ ଭବାନୀପାଟଣା ବ୍ଲକ୍‌ରେ ୧ ମିମି ବର୍ଷା, ମଦନପୁର ରାମପୁର ବ୍ଲକ୍‌ରେ ୮ ମିମି, ନର୍ଲା ବ୍ଲକ୍‌ରେ ୨ ମିମି, ଲାଞ୍ଜିଗଡ଼ ବ୍ଲକ୍‌ରେ ୧୨.୬ ମିମି, ଥୁଆମୂଳ ରାମପୁରରେ ୨.୩ ମିମି ଓ ଧର୍ମଗଡ଼ ବ୍ଲକ୍‌ରେ ୧ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ ଝିପି ଝିପି ବର୍ଷା ଯୋଗୁଁ ଅମଳ ହେବାକୁ ଥିବା ଧାନ ଗୁଡ଼ିକ ଜମିରେ ଭିଜିଯାଇଥିବାରୁ ଚାଷୀ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡ଼ି ରହିଥିବା ଯୋଗୁଁ ଅଧିକ କଟନି ଛଟନି ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲାର ବହୁ ମଣ୍ଡିରେ ଚାଷୀମାନେ ଧାନ ରଖି ଗତ ନଭେମ୍ବର ୨୫ ତାରିଖଠାରୁ ଜଗି ରହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନାହିଁ। ଅନେକ ଚାଷୀଙ୍କ ଟୋକନ୍‌ ଲେପ୍ସ ହେବାରେ ଲାଗିଛି।

ଜୁନାଗଡ଼ ବ୍ଲକ୍‌ର ହାବସପୁର ପଞ୍ଚାୟତ ମଣ୍ଡିରେ ପ୍ରଭଞ୍ଜନ କୁମାର ନାଏକଙ୍କ ୭୫ କୁଇଣ୍ଟାଲ ଧାନର ବିକ୍ରି ତାରିଖ ଡିସେମ୍ବର ୩ ରହିଥିଲା। କିନ୍ତୁ ମଣ୍ଡି ନଖୋଲିବାରୁ ତାଙ୍କ ଟୋକନ୍‌ ଲେପ୍ସ ହୋଇଛି। ସେହିଭଳି ଉର୍ମିଲା ନାଏକଙ୍କ ୭୫ କୁଇଣ୍ଟାଲ, ଚନ୍ଦ୍ରଭାନୁ କୈବର୍ତ୍ତଙ୍କ ୭୫ କୁଇଣ୍ଟାଲ, ଧର୍ମରାଜ କୈବର୍ତ୍ତଙ୍କ ୭୫ କୁଇଣ୍ଟାଲ, ସବିତା ‌କୈବର୍ତ୍ତଙ୍କ ୭୫ କୁଇଣ୍ଟାଲ ସମେତ ବହୁ ଚାଷୀଙ୍କ ଧାନ ଟୋକନ୍‌ ଲେପ୍ସ ହୋଇଛି। ଝିପି ଝିପି ବର୍ଷା ଯୋଗୁଁ ଅମଳ ହେବାକୁ ଥିବା କପା ଚାଷ ମଧ୍ୟ ନଷ୍ଟ ହେବାରେ ଲାଗିଛି। ବହୁ କଷ୍ଟରେ ଚାଷ କରିଥିବା ଚାଷୀମା‌ନେ ଅମଳ ବେଳେ ପ୍ରକୃତିର ଏଭଳି ଦାଉକୁ ସହ୍ୟ କରିପାରୁ ନାହାନ୍ତି। ସେହଭଳି ହରଡ଼ ଓ ଡ଼ାଲି ଜାତୀୟ ଶସ୍ୟ ନଷ୍ଟ ହୋଇଛି। ରୋଗପୋକ ଆଶଙ୍କା ଥିବାରୁ ପନିପରିବା ଚାଷୀମାନେ ଚିନ୍ତାରେ ଅଛନ୍ତି। ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।