ଝାରସୁଗୁଡ଼ା, (ପ୍ରଶାନ୍ତ କୁମାର ମିଶ୍ର) : ଝାରସୁଗୁଡ଼ା ଯୋଗାଣ ବିଭାଗରେ ଗତ ବର୍ଷେ ହେଲା ଡିପୋରେ ରଖା ଯାଇଥିବା ଚାଉଳକୁ ନେଇ ଟଣାଓଟରା ଲାଗି ରହିଛି। ଗତବର୍ଷ କେନ୍ଦ୍ରୀୟ ଟିମ୍ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗୋଦାମରେ ଥିବା ଚାଉଳର ମାନ ପରୀକ୍ଷା କରିବା ବେଳେ ଝାରସୁଗୁଡ଼ା ବମ୍ବେ ଛକରେ ଥିବା ପୁରୁଣା ଡିପୋ ଓ ବଡ଼ମାଲ ଗୋଦାମରେ ଗଚ୍ଛିତ ଥିବା ଚାଉଳ ନିମ୍ନମାନର ବୋଲି କହିଥିଲେ। କେନ୍ଦ୍ରୀୟ ଟିମ୍ ଚାଉଳର ମାନ ପରୀକ୍ଷା କରିବା ପରେ କେନ୍ଦ୍ର ସରକାର ଏହି ଚାଉଳକୁ ଖାଦ୍ୟନୁପଯୋଗୀ ବୋଲି ଘୋଷଣା କରିବା ସହିତ ଏହି ଚାଉଳ ଯୋଗାଣକୁ ସ୍ଥଗିତ ରଖିଥିଲେ। ଯୋଗାଣ ବିଭାଗ ଏହି ଉଭୟ ଗୋଦାମରେ ରଖିଥିବା ଚାଉଳର ପରିମାଣ ପ୍ରାୟ ୩୦ ରୁ ୩୭ ହଜାର କ୍ବିଣ୍ଟାଲ ହେବ। ଏହି ଚାଉଳ ଅଖାଦ୍ୟ ବୋଲି ଦର୍ଶାଇବା ପରେ ଏହାକୁ ଯୋଗାଇଥିବା ମିଲର୍ସ ମାନଙ୍କ ପ୍ରାପ୍ୟ ମଧ୍ୟ ସ୍ଥଗିତ ରହିଛି। ଏହି ଚାଉଳକୁ ସାରସମାଲର ମହାଲକ୍ଷ୍ମୀ ରାଇସ ମିଲ, ମହାଲକ୍ଷ୍ମୀ ଅରୁଆ ରାଇସ ମିଲ, ପୁଡ଼ାମାଲ ଶାରଦା ରାଇସ ମିଲ, ବାଗଡିହି ଆର୍ଏନ୍ଏସ୍ଏନ୍ ରାଇସ ମିଲ, ସମଲେଶ୍ବରୀ ରାଇସ ମିଲ ଓ କନକତୋରା ଶାଙ୍ ଖୋଲିଆ ରାଇସ ମିଲ ଯୋଗାଇ ଥିବା ବେଳେ ସେମାନେ ତାଙ୍କ ପ୍ରପ୍ୟ ପାଇବାରୁ ଅଦ୍ୟାବଧି ବଞ୍ଚିତ ହୋଇଛନ୍ତି। ଫଳରେ ସଂପୃକ୍ତ ରାଇସ୍ ମିଲର୍ସ ମାନେ ହାଇକୋର୍ଟର ଆଶ୍ରୟ ନେଇଛନ୍ତି।
୩୦ ହଜାର କ୍ବିଣ୍ଟାଲ ଖାଦ୍ୟନୁପଯୋଗୀ ଚାଉଳ ଡିପୋକୁ ଆସିଲା କେମିତି?
ଲମ୍ବା ଛୁଟିରେ ଥିବା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବଦଳି
ମିଲର୍ସ ମାନେ ତାଙ୍କର ୧୩ ରୁ ୧୭ କୋଟି ଟଙ୍କା ପ୍ରାପ୍ୟ ପାଇବା ପାଇଁ ହାଇ କୋର୍ଟରେ ମାମଲା ଦାୟାର କରିବା ପରଠାରୁ ଝାରସୁଗୁଡ଼ା ଯୋଗାଣ ଅଧିକାରୀ ରମେଶ ଚନ୍ଦ୍ର ସ୍ବାଇଁ ମାସାଧିକ କାଳ ହେଲା ଛୁଟିରେ ଅଛନ୍ତି। ଶନିବାର ତାଙ୍କୁ ଯୋଗାଣ ବିଭାଗ ରାଜ୍ୟ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ଏଠାରେ ଅତିରିକ୍ତ ଯୋଗାଣ ଅଧିକାରୀ ଥିବା ବିଦୁର ବଛରଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଗୋଦାମରେ ଖାଦ୍ୟ ପାଇଁ ଅନୁପଯୋଗୀ ଚାଉଳକୁ ନେଇ ନାନା କଥା ଶୁଣା ଯାଉଛି। ଏତେ ପରିମାଣରେ ଚାଉଳ ନଷ୍ଟ ହେଲା କେମିତି ତାର ତଦନ୍ତ ମଧ୍ୟ ଆଜି ପର୍ଯ୍ୟନ୍ତ କରା ନଯାଇ ଯୋଗାଣ ବିଭାଗ ନିରବ ରହିଥିବା ନେଇ ପ୍ରଶ୍ନ ଉଠୁଛି। ଯୋଗାଣ ବିଭାଗର କ୍ରୟ ନିରୀକ୍ଷକ ଚାଉଳର ମାନ ଯାଞ୍ଚ ପରେ ତାକୁ ଗୋଦାମରେ ରଖା ଯାଇଥାଏ। ଏହି ଚାଉଳ ଗୋଦାମରେ ବେଶୀ ଦିନ ମଧ୍ୟ ରହି ନଥାଏ। ଫଳରେ ଚାଉଳ ଏତେ ଶୀଘ୍ର ଖରାପ ହେବା କଥା ନୁହେଁ। ମାତ୍ର ଝାରସୁଗୁଡ଼ାର ଏହି ଉଭୟ ଗୋଦାମରେ ଥିବା ଚାଉଳ କେମିତି ନଷ୍ଟ ହୋଇଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2021/11/pds.jpg)
ମିଲର୍ସ ମାନେ ତାଙ୍କ ମିଲରେ ନଷ୍ଟ ହୋଇ ଯାଇଥିବା ଚାଉଳକୁ ଯୋଗାଣ ବିଭାଗର କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ଯୋଗାଣ ବିଭାଗକୁ ଟେକି ଦେଇଥିବା କଥା ଅଭିଯୋଗ ହେଉଥିବା ବେଳେ ଗୋଦାମରେ ଥିବା ଚାଉଳ ଉଠାଇ ନିଆଯାଇ ସେହି ସ୍ଥାନରେ ସମ୍ବଲପୁର ଓ ଅନ୍ୟ ସ୍ଥାନରୁ ଖରାପ ଚାଉଳ ଆଣାଯାଇ ଭରି ଦିଆଯାଇଥିବା ମଧ୍ୟ ଅଭିଯୋଗ ହେଉଛି। ଫଳରେ ଏହି ଅଖାଦ୍ୟ ଚାଉଳ ପଛରେ ଏକ ବଡ଼ ଘୋଟାଲା ଥିବା ସଂଦେହ ଘନୀଭୂତ ହେବାରେ ଲାଗିଛି। ଏହି ଘଟଣା ବର୍ଷ ବର୍ଷ ଧରି ସମାଧାନ ହେଉନଥିବା ମଧ୍ୟ ଅଧିକ ସଂଦେହ ସୃଷ୍ଟି କରୁଛି। ଯୋଗାଣ ଅଧିକାରୀ ଲମ୍ବା ଛୁଟିରେ ଚାଲିଯିବା ବେଳେ ଏହି ଘଟଣା ସଂପର୍କରେ ଯୋଗାଣ ବିଭାଗର କେହି ମୁହଁ ଖୋଲୁ ନଥିବା ମଧ୍ୟ ଅଧିକ ସଂଦେହ ସୃଷ୍ଟି କରିଛି। ଗତ ୨୦୧୭ ମସିହାରେ କିଛି ମିଲର କଷ୍ଟମ ମିଲିଂ ଚାଉଳ ଯୋଗାଣରେ ହେରଫେର ଓ ବିଭାଗକୁ ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟିରେ ଚଞ୍ଚକତା କରିଥିବା ଘଟଣାରେ ସେତେବେଳେ ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟ ୨ ଜଣ କର୍ମଚାରୀ ନିଲମ୍ବିତ ହୋଇଥିଲେ। ଡିପୋରେ ଏହି ବିପୁଳ ପରିମାଣର ଚାଉଳ ନଷ୍ଟ ହେବା ପଛରେ ଏକ ରୢାକେଟ କାମ କରୁଥିବା ନେଇ ଅଭିଯୋଗ ହେଉଛି। ଏହି ଘଟଣା ଏକ ବଡ଼ ଧରଣର ଦୁର୍ନୀତିକୁ ଇସାରା କରୁଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ରହସ୍ୟ ପଦାରେ ପଡ଼ିବା ଆଶା କରାଯାଉଛି।
ଏବେ ଯୋଗାଣ ବିଭାଗକୁ ଏହି ଅଖାଦ୍ୟ ଚାଉଳ କଣ୍ଟା ସାଜିଥିବା ବେଳେ କୋଟି କୋଟି ଟଙ୍କାର ଚାଉଳ ପାଇଁ କାହାକୁ ଦାୟୀ କରାଯିବ ତାକୁ ନେଇ ସମସ୍ତେ ଆତଙ୍କିତ ଥିବା ଜଣାଯାଇଛି। ଏ ସଂପର୍କରେ ଯୋଗାଣ ଅଧିକାରୀ ଶ୍ରୀ ବଛର କହିଛନ୍ତି ଯେ, କେନ୍ଦ୍ର ସରକାର ଚାଉଳକୁ ଖାଇବା ଉପଯୋଗୀ ନୁହେଁ ବୋଲି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର କିଛି ନିଷ୍ପତ୍ତି ନେଇ ନାହାନ୍ତି। ସରକାର ଏହି ଚାଉଳକୁ ନିଲାମ କରିବେ ବା ଆଉ କଣ କରିବେ ତାଙ୍କ ନିର୍ଦ୍ଦେଶକୁ ବିଭାଗ ଅପେକ୍ଷା କରିଥିବା ବେଳେ ହାଇକୋର୍ଟ ରାୟ ଉପରେ ମଧ୍ୟ ନିଷ୍ପତ୍ତି ନିର୍ଭର କରୁଛି ବୋଲି ସେ କହିଛନ୍ତି।