ଭୁବନେଶ୍ବର: ସମସ୍ତ ରାସନ୍କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି କରିବା ବାଧ୍ୟତାମୂଳକ କରାଯାଇଛି। ସରକାର ବାରମ୍ବାର ସମୟ ବଢ଼ାଇବା ସତ୍ତ୍ବେ ୨୦.୫୮ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ତେଣୁ ଏବେ ଇ-କେୱାଇସି କରିନଥିବା ସମସ୍ତ ହିତାଧିକାରୀଙ୍କର ଚାଉଳ ବନ୍ଦ କରିଦିଆଯାଇଛି। ଯେତେବେଳେ ଇ-କେୱାଇସି କରିବେ ସେତେବେଳେ ଚାଉଳ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଆମେ ଏବେ ଇ-କେୱାଇସି କରିନଥିବା ଲୋକଙ୍କ ପାଇଁ ୩ମାସ ଅପେକ୍ଷା କରିବୁ। ଏହି ୩ ମାସ କାର୍ଡ ସସ୍ପେଣ୍ଡ ଅବସ୍ଥାରେ ରହିବ। ଏହି ସମୟରେ ଇ-କେୱାଇସି କଲେ ସଙ୍ଗେସଙ୍ଗେ ଚାଉଳ ମିଳିବ। କିନ୍ତୁ ୩ ମାସ ଭିତରେ ଇ-କେୱାଇସି ନକଲେ କାର୍ଡ କଟିଯିବ। ଏହାପରେ ତାଙ୍କୁ କାର୍ଡ ପାଇଁ ପୁଣି ଆବେଦନ କରିବାକୁ ପଡ଼ିବ ଏବଂ ଇ-କେୱାଇସି କରିବାକୁ ପଡ଼ିବ।
ଇ-କେୱାଇସି ନ କରିବା ମହଙ୍ଗା ପଡ଼ିଲା
ଇ-କେୱାଇସି ନକଲେ ୩ମାସ ପରେ କାର୍ଡ କଟିବ: ଯୋଗାଣ ମନ୍ତ୍ରୀ
ଏହାସହ ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବିଭିନ୍ନ ସ୍ଥାନରେ ମୋବାଇଲ୍ ନେଟୱର୍କ ସମସ୍ୟା ଯୋଗୁ ଇ-କେୱାଇସି କରିବାରେ ସମସ୍ୟା ହେଉଥିଲା। ହେଲେ ଏବେ କେଉଁଠି ବି ନେଟ୍ୱର୍କ ଜନିତ ସମସ୍ୟା ନାହିଁ। ଇ-କେୱାଇସି କରିବା ସମୟରେ ଯେପରି କୌଣସି ସମସ୍ୟା ହେବନି ସେଥିପାଇଁ ବୁଷ୍ଟ୍ର ଲଗାଯାଇଛି। ଏଣିକି ୫ବର୍ଷରୁ ଅଧିକ ବୟସର ପିଲାଙ୍କୁ ରାସନ୍ କାର୍ଡରେ ସାମିଲ କରିହେବ। ବିଭିନ୍ନ ସ୍ଥାନରେ ପୋକରା ଗହମ ଯୋଗାଣ ହେଉଥିବା ନେଇ ଅଭିଯୋଗ ଉପରେ ମନ୍ତ୍ରୀ କହିଛନ୍ତି ଯେ ଏହି ଗହମଗୁଡ଼ିକ କିଛିଦିନ ତଳେ ଆସିଥିଲା। ହେଲେ ଏହାକୁ ଠିକ୍ ଭାବେ ଗୋଦାମରେ ରଖାଯାଇ ନ ପାରିବାରୁ ନଷ୍ଟ ହୋଇଥାଇପାରେ। କୌଣସି ପରିସ୍ଥିତିରେ ଲୋକଙ୍କୁ ପୋକରା/ଗମରା ଗହମ ନ ଦେବାକୁ ଅଧିକାରୀଙ୍କୁ କୁହାଯାଇଛି। ରାଜ୍ୟରେ ଯେପରି ପୁଣି ଥରେ ରାସନ୍ କାର୍ଡରେ ଗହମ ଯୋଗାଣ ହୋଇପାରିବ ସେଥିପାଇଁ ଆମେ ଖୁବ୍ଶୀଘ୍ର ବୈଠକ କରି ନିଷ୍ପତ୍ତି ନେବୁ।