ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ସନିମାଲ ପଂଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକ ରମେଶ ବେହେରା ମୃତ ବ୍ୟକ୍ତିଙ୍କ ନାମରେ ଆସିଥିବା ୨୭ କ୍ବିଣ୍ଟାଲ ୩୫ କେଜି ଚାଉଳ ହଡ଼ପ୍‌ ଅଭିଯୋଗ ହୋଇଛି। ଏ ନେଇ ମେଲଛାମୁଣ୍ଡା ଥାନାରେ ବିଡିଓ ବିଶ୍ୱରଂଜନ କର ଲିଖିତ ଅଭିଯୋଗ କରିଛନ୍ତି। ଗତ ୧୨ ତାରିଖ ସନିମାଲ ଗ୍ରାମର ପଞ୍ଚାନନ କୁମ୍ଭାର ସୋହେଲା ବିଡିଓଙ୍କ ନିକଟକୁ ଆସି ସନିମାଲ ପଂଚାୟତର କିଛି ହିତାଧିକାରୀ ସେମାନଙ୍କ ପିଡିଏସ୍‌ ଚାଉଳ ପାଉନଥିବା ଅଭିଯୋଗ କରିଥିଲେ।

Advertisment

ଏନେଇ ବିଡିଓ ଶ୍ରୀ କର ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଯୋଗାଣ ନିରୀକ୍ଷକ କବିରାଜ ଧରୁଆଙ୍କୁ ଆଦେଶ ଦେଇଥିଲେ। ଯୋଗାଣ ନିରୀକ୍ଷକ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତରେ ବାଟତେର୍ମା ଗ୍ରାମର ୧୩ଜଣ, ସନିମାଲ ଗ୍ରାମର୧୦ ଜଣ, ଡଙ୍ଗର କେର୍ମେଲି ଗ୍ରାମର ୫ଜଣ ଓ କୁଆମନିଆ ଗ୍ରାମର ୮ଜଣଙ୍କ ନାମରେ ଆସୁଥିବା ଚାଉଳକୁ ହଡ଼ପ କରାଯାଇଥିବା ଜାଣିବାକୁ ପାଇଥିଲେ । ଏହି ବ୍ୟକ୍ତିମାନେ ୨୦୨୦,୨୦୨୧ ଏବଂ ୨୦୨୨ରେ ମୃତ୍ୟୁବରଣ କରି ସାରିଲେଣି । ସରକାରଙ୍କ ତରଫରୁ ଏମାନଙ୍କ ନାମରେ ଚାଉଳ ଆସୁଥିଲେ ମଧ୍ୟ ଯୋଗାଣ ସହାୟକ ଉପରୁ ଚାଉଳ ଇସ୍ୟୁ ହେଉ ନଥିବା ଦର୍ଶାଇ ସବୁତକ ଚାଉଳ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଘଟଣା ଜାଣିବା ପରେ ଯୋଗାଣ ସହାୟକଙ୍କ ବିରୋଧରେ ମାମଲା ରୁଜୁ କରିବା ଚିଠି ଜରିଆରେ ଆଦେଶ ଦେଇଥିବା ସୋହେଲା ବିଡିଓ ବିଶ୍ୱରଂଜନ କର ସୂଚନା ଦେଇଛନ୍ତି । ଏନେଇ ମେଲଛାମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିବା ବିଡିଓ ଶ୍ରୀ କର ସୂଚନା ଦେଇଛନ୍ତି।