କୁତ୍ରା: ସୁନ୍ଦରଗଡ ଜିଲ୍ଲାର ଚର୍ଚ୍ଚତ ନାମ ବିରଜୁ କୁଲୁ। ଆଜକୁ ୩ ବର୍ଷ ତଳେ ପାକିସ୍ତାନ ଜେଲରୁ ମୁକୁଳି ଏବେ ନିଜର ଜନ୍ମମାଟିରେ ଅତି ଦୟନୀୟ ସ୍ଥିତିରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗରପଡା ଗ୍ରାମର ବିରଜୁ କୁଲୁ ମାନସିକ ଅନଗ୍ରସର କାରଣରୁ ସେ ହଠାତ ଅନ୍ତର୍ଧ୍ୟାନ ହୋଇ ବୁଲୁବୁଲୁ ଅଜାଣତରେ ଶତ୍ରୁ ଦେଶ ପାକିସ୍ତାନ ସୀମା ଭିତରେ ପହଞ୍ଚିଯାଇଥିଲେ। ସେଠାରେ ପାକିସ୍ତାନୀ ସୌନ୍ୟମାନେ ତାଙ୍କୁ ବନ୍ଦୀକରି ଭାରତର ଗୁପ୍ତଚର ଭାବି ୨୫ ବର୍ଷ ଜେଲରେ ବନ୍ଦୀକରି ରଖିଥିଲେ। ଅବଧି ପୂରିବାପରେ ପାକିସ୍ତାନ ସରକାର ୨୦୨୦ ଅକ୍ଟୋବର ୨୬ ତାରିଖରେ ବିରଜୁକୁ ଭାରତ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ସେ ଭାରତ ମାଟିରେ ପାଦ ଦେଇଥିଲେ। ସେତେବେଳେ ଓଡ଼ିଶା ସରକାର ତଥା ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ତାଙ୍କୁ ଏକ ସ୍ବତନ୍ତ୍ର ଗାଡିଯୋଗେ ପଞ୍ଜାବ ଯାଇ ନଭେମ୍ବର ୧୩ ରେ ନିଜ ଜନ୍ମ ମାଟିରେ ପହଞ୍ଚିଥିଲେ। ତାପରେ କୁତ୍ରା ବ୍ଲକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ଫେରିବାପରେ ୨୦୨୦ ନଭେମ୍ବର ୧୫ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ତ୍ବରିତ ସହାୟତା ଦେଇଥିଲେ।

Advertisment

ସେତିକିବେଳେ ତାର ସମସ୍ତ ମୌଳିକ ସୁବିଧା କରାଇବା ପାଇଁ କୁତ୍ରା ବ୍ଲକ ତଥା ଜିଲ୍ଲା ପ୍ରଶାସନ ତାଙ୍କ ଘରକୁଯାଇ ଅନ୍ନପୂର୍ଣ୍ଣା କାର୍ଡ, ୨୫ କିଲୋ ଚାଉଳ, ଜିଲ୍ଲା ରେଡକ୍ରସରୁ ୩୦ ହଜାର ଟଙ୍କା ଓ ଘର ତିଆରି ପାଇଁ ଘରର କାଗଜପତ୍ର ପ୍ରଦାନ କରାଯାଇଥିଲା। ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା, ଭତ୍ତା ଓ ଜୀବନଜୀବିକା ପାଇଁ ସବୁ ପ୍ରକାର ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିରଜୁ ମଧ୍ୟ ଜନ୍ମମାଟିକୁ ଫେରି ବେଶ ଖୁସିରେ ଥିଲେ। ଏହା ମଧ୍ୟରେରେ ୩ ବର୍ଷ ବିତିଯାଇଥିବା ବେଳେ ତାଙ୍କୁ କେବଳ ୧୦ କିଲୋ ଚାଉଳ ଛଡ଼ା କିଛିବି ମିଳୁନଥିଲା। ବର୍ତ୍ତମାନ ୬ ମାସ ହେବ ତାଙ୍କ ୧୦ କିଲୋ ଚାଉଳ ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ କାହିଁକି ଓ କିଏ ତାଙ୍କ ଚାଉଳକୁ ବନ୍ଦ କରିଛି ତାହା ତଦନ୍ତ ସାପେକ୍ଷ।

ଏସବୁକୁ ଦେଖିଲେ ଲାଗୁଛି ପ୍ରଶାସନର ପ୍ରତିଶ୍ରୁତି ସତେ ଯେମିତି ପାଣିରଗାର। ତାଙ୍କ ପୈତୃକ ଘର ନଥିବାରୁ ସେ ବର୍ତ୍ତମାନ ନିଜ ଭାଇ ବୋହୂ ଅଶ୍ରିତା କୁଲୁଙ୍କ ଘରେ ଆଶ୍ରୟ ନେଇ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ଜିଲ୍ଲା ତଥା ବ୍ଲକ ପ୍ରଶାସନ ଲୋକଙ୍କ ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବିରଜୁ ପାଇଁ ପ୍ରଶାସନ ଏତେ ଉଦାସୀନ କାହିଁକି ? କାହିଁକି ତାଙ୍କ ଚାଉଳ ବନ୍ଦ କରିଦିଆଗଲା ? କାହିଁକି ତାଙ୍କ ଭତ୍ତା ସମେତ ଘର,ପାଇଖାନା ଯୋଗାଇ ଦେଉନି। ତାଙ୍କୁ ଆଣିଲାବେଳେ ପ୍ରଶାସନର ମାଳମାଳ କର୍ମଚାରୀ ତାଙ୍କ ସହ ଫଟୋ ଉଠାଇ ବାହାବା ନେଇଥିଲେ। ଏବେ ଜିଲ୍ଲା ପ୍ରଶାସନ ଭୁଲିଗଲା କେମିତି? ଏଦିଗରେ ସୁନ୍ଦରଗଡ ଜିଲ୍ଲାପାଳ ଅତିଶୀଘ୍ର ଦୃଷ୍ଟିଦେଇ ତାଙ୍କର ସମସ୍ତ ପ୍ରକାର ସୁବିଧା କରିବା ସହିତ ଚାଉଳ ପ୍ରଦାନ କରିବାକୁ ଦାବି ହେଉଛି।