କେନ୍ଦୁଝର: ଚାଷୀଙ୍କୁ ଅଡ଼ୁଆ ସରକାରୀ ବିହନ। କେବେ ଅଗାଡ଼ି ତ କେବେ ପୋକରା ଯୋଗୁଁ ଗଜା ହେଉନି ବିହନ। ଏବେ ବିହନ ବସ୍ତାରେ ଚାଉଳ ମିଶିଥିବା ଅଭିଯୋଗ କରିଛନ୍ତି ଚାଷୀ। ଏନେଇ ଆଜି କିଛି ଚାଷୀ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତିଙ୍କୁ ଭେଟି ଅବଗତ କରିଛନ୍ତି। ବିହନରେ ଚାଉଳ ମିଶିଥିବାରୁ ଏହାକୁ କ୍ଷେତରେ ପକାଇ ହେବନି ବୋଲି ଚାଷୀ କହିଛନ୍ତି।

Advertisment

କେନ୍ଦୁଝର ଜିଲ୍ଲା ଶୁଆକାଟି ଲ୍ୟାମ୍ପସ ଅଧୀନ ରୁଗୁଡ଼ି ଗ୍ରାମର ରଙ୍ଗାଧର ବାରିକ କହିଛନ୍ତି, ରଜ ସଂକ୍ରାନ୍ତି ପୂର୍ବରୁ ସେ ଶୁଆକାଟି ଲ୍ୟାମ୍ପସରୁ ପ୍ରଥମେ ସୌଭାଗିନୀ ବିହନ କିଣିଥିଲେ। ବିହନ ବସ୍ତା ଖୋଲିଲା ବେଳକୁ ସେଥିରେ ଅଗାଡ଼ି ସାଙ୍ଗକୁ ପ୍ରଚୁର ମାତ୍ରାରେ ସୁରିପୋକ ଲାଗିଥିଲେ। ତଥାପି ସେ ବିହନକୁ ନଷ୍ଟ ନ କରି କ୍ଷେତରେ ବୁଣି ଦେଇଥିଲେ। ହେଲେ, ଏହି ବିହନ ଗଜା ହେବ କି ନାହିଁ ସନ୍ଦେହ ହେବାରୁ ଗତକାଲି ରଙ୍ଗାଧର ପୁଣି ଶୁଆକାଟି ଲ୍ୟାମ୍ପସରୁ ଲଲାଟ କିସମର ବିହନ ପ୍ୟାକେଟ୍‌ କିଣିଥିଲେ। ଏହି ପ୍ୟାକେଟ୍‌ରେ ୨୦ କେଜି ବିହନ ଥିଲା। ଏଥିପାଇଁ ସେ ୭୨୦ ଟଙ୍କା ଦେଇଥିଲେ। ଆଜି କ୍ଷେତରେ ବୁଣିବାପାଇଁ ବସ୍ତା ଖୋଲିଲା ବେଳକୁ ସେଥିରେ ବିହନ ସହ ପ୍ରଚୁର ମାତ୍ରାରେ ଚାଉଳ ମିଶିଥିଲା। ଏନେଇ ସେ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ। ବିହନ ନିଗମ ଯେଉଁ ବିହନ ଦେଇଛି ତାହା ଚାଷୀଙ୍କୁ ଦିଆଯାଇଛି ବୋଲି ଲ୍ୟାମ୍ପସ କର୍ତ୍ତୃପକ୍ଷ କହିଥିଲେ। ଆଜି ମଧ୍ୟାହ୍ନରେ ରଙ୍ଗାଧର ଓ ଅନ୍ୟ କିଛି ଚାଷୀ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହିଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଶ୍ରୀ ପହି ଚାଷୀ ଆଣିଥିବା ବିହନ ଦେଖିବାପରେ ତତ୍କାଳ ବିହନ ନିଗମ ଅଧ୍ୟକ୍ଷଙ୍କ ସହ କଥାହୋଇ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।

କେବଳ ରଙ୍ଗାଧର ନୁହନ୍ତି, ଗୁମୁରା ଗ୍ରାମର ରତ୍ନାକର ଜେନା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଗତବର୍ଷ ସେ ଲଲାଟ କିସମର ବିହନ କିଣିଥି‌ଲେ। କିନ୍ତୁ ତାହା ଗଜା ହୋଇ ନ ଥିଲା। ଏନେଇ ସେ ନରଣପୁର ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେମାନେ ବିହନ ନିଗମ ଉପରେ ଦୋଷ ଦେଇ ଚୁପ୍‌ ରହିଗଲେ ବୋଲି ରତ୍ନାକର କହିଛନ୍ତି। ବିହନକୁ ନେଇ ଚାଷୀ ଦୁଇବର୍ଷ ହେଲା ଅସୁବିଧାରେ ପଡ଼ୁଛନ୍ତି। ଗତବର୍ଷ ବିହନ କିଣାରେ ରିହାତି ବ୍ୟବସ୍ଥା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏବର୍ଷ ପ୍ରି-ବୁକିଂ ଭେଳିକିରେ ଛନ୍ଦି ‌ହୋଇଛନ୍ତି ଚାଷୀ। ଏଭଳି ସ୍ଥିତିରେ ଚାଷୀମାନେ ଘରୋଇ କମ୍ପାନିର ବିହନ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।