କେନ୍ଦ୍ରୀୟ ଟିମ୍‌ର ଚାଉଳ ଯାଞ୍ଚ୍‌: ଅଧପନ୍ତରିଆ ଯାଞ୍ଚ୍‌ କରି ଫେରିଗଲେ

ଭୁବନେଶ୍ବର : ଅଧପନ୍ତରିଆ ଭାବେ ଚାଉଳ ଯାଞ୍ଚ କରି ଫେରିଗଲେ କେନ୍ଦ୍ରୀୟ ଟିମ୍‌। କାର୍ଯ୍ୟସୂଚୀ ଅନୁଯାୟୀ ସମ୍ବଲପୁର, ବରଗଡ଼ରେ ଜବତ ହୋଇଥିବା ବିଆର୍‌ଏଲ୍‌ ଚାଉଳ ରଖାଯାଇଥିବା ସମସ୍ତ ଗୋଦାମ ଯାଞ୍ଚ୍‌ ହେଲା ନାହିଁ। ଦେବଗଡ଼ ଜିଲ୍ଲାକୁ ମଧ୍ୟ ଯାଞ୍ଚ ପ୍ରକ୍ରିୟାରୁ ଟିମ୍‌ ବାଦ୍‌ ଦେଇଛି। ଏଥି ସଂକ୍ରାନ୍ତରେ ଅନ୍ତିମ ରିପୋର୍ଟ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବ ଏହି ଟିମ୍‌। ତେବେ କାହିଁକି ଟିମ୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସବୁ ଗୋଦାମ ଯାଞ୍ଚ୍‌ କଲାନାହିଁ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଗତ ବର୍ଷ ଏଫ୍‌ସିଆଇ ଜିଲ୍ଲା ଭୁବନେଶ୍ବର, କଟକ ଏବଂ ଚଳିତ ବର୍ଷ ମାର୍ଚ୍ଚରେ ସମ୍ବଲପୁର, ଟିଟିଲାଗଡ଼ର ଏଫ୍‌ସିଆଇ ଜିଲ୍ଲାରେ ବ୍ୟାପକ ଭାବରେ କେନ୍ଦ୍ରୀୟ ଟିମ୍‌ ଯାଞ୍ଚ୍‌ କରି ଶହଶହ କ୍ବିଣ୍ଟାଲ୍‌ ଚାଉଳକୁ ବିଆର୍‌ଏଲ୍‌(ନିମ୍ନମାନର) ଘୋଷଣା କରିଥିଲା। ଏହା ବଦଳରେ ନୂଆ ଚାଉଳ ମିଲର୍‌ଙ୍କ ଠାରୁ ସଂଗ୍ରହ ପାଇଁ ଯୋଗାଣ ନିଗମକୁ କୁହାଯାଇଥିଲା। ସେହି ପ୍ରତି ବଦଳ ଚାଉଳ ଯାଞ୍ଚ୍‌ ‌ପାଇଁ ୫ ଜଣିଆ ଟିମ୍‌ ଭୁବନେଶ୍ବର ଓ କଟକ ଏଫ୍‌ସିଆଇ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା, ଜଟଣୀ, ମୁଲାଝରି, ମସାକାନି ଏବଂ ଆଉ ଏକ ୫ ଜଣିଆ ଟିମ୍‌ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡିର ବିଭିନ୍ନ ଗୋଦାମ ଯାଞ୍ଚ କରିଥିଲେ। ଉକ୍ତ ଟିମ୍‌ କିଛି ଗୋଦାମର ଚାଉଳ ପ୍ରତିବଦଳ ନେଇ ସନ୍ତୁଷ୍ଟ ହୋଇଥିଲେ ତ ଆଉ କିଛି ଚାଉଳ ପୁନଃ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖୁବ୍‌ ଶୀଘ୍ର ଟିମ୍‌ ଚାଉଳ ଯାଞ୍ଚ ପାଇଁ ଆଉ ଥରେ ଆସିବ। ଚାଉଳ ଠିକ ଭାବରେ ପ୍ରତିବଦଳ ହୋଇନଥିଲେ, ସେହି ବାବଦରେ ସବ୍‌ସିଡି କାଟିଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଯୋଗାଣ ନିଗମକୁ ଚିଠି କରାଯାଇଥିଲା। ଏହି ଯାଞ୍ଚ୍‌ ପରେ ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ସବ୍‌ସିଡି ନେଇ କେନ୍ଦ୍ର କ’ଣ ଆଭିମୁଖ୍ୟ ରଖୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

ସମ୍ବନ୍ଧିତ ଖବର