ଟାର୍ଗେଟ୍‌ ବୃଦ୍ଧି ପରେବି ବିକ୍ରି ହେଉନି ଧାନ

ସମ୍ବଲପୁର/କୁଚିଣ୍ଡା: ସମ୍ବଲପୁର ଜିଲ୍ଲାରେ ଦୂର ହେଉନି ଚାଷୀଙ୍କ ଦୁର୍ଦଶା। ସୋମବାର ସଂଧ୍ୟାରେ ଟାର୍ଗେଟ ବଢିଥିଲେ ବି ଆବଶ୍ୟକତା ଅନୁସାରେ ମଣ୍ଡିମାନଙ୍କରେ ଟାର୍ଗେଟ ବୃଦ୍ଧି ହୋଇନଥିବାରୁ ଧାନ ବିକ୍ରି ପାଇଁ ଆସି ଅନେକ ଚାଷୀ ନିରାଶ ହୋଇଛନ୍ତି। ଏଣେ ଚାଷୀଙ୍କ ଟୋକନ ମଧ୍ୟ ଲେପ୍ସ କରିଯାଇଛି। ଏହାକୁ ନେଇ ଆରଏମସି, ଲ୍ୟାମ୍ପ୍ସର ଦୃଷ୍ଟି ଆକର୍ଷଣ ପରେବି କୌଣସି ଲାଭ ନହେବାରୁ ବିକଳ୍ପ ବ୍ୟବସ୍ଥା ନପାଇ କୁଚିଣ୍ଡା ଉପଖଣ୍ଡ କୁଟରାଚୁଆଁର ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ଜିଲ୍ଲାପାଳ ଆନ୍ଦୋଳନସ୍ଥଳରେ ପହଞ୍ଚି ଧାନ ସଂଗ୍ରହ ହେବ ବୋଲି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଗଲା। ସଂଧ୍ୟା ପର୍ଯ୍ୟନ୍ତ ଧାନ ସଂଗ୍ରହ ହେଲା ନାହିଁ। ଏଠାରେ ଅନେକ ଚାଷୀଙ୍କ ଟୋକନ ଲେପ୍ସ କରିଯାଇଥିବାରୁ ଲକ୍ଷାଧିକ ଟଙ୍କା ହରାଇବା ନେଇ ଆଶଙ୍କା କରିଛନ୍ତି। କୁଚିଣ୍ଡାରେ ଯେତେସଂଖ୍ୟକ ଟୋକନ ରହିଛି, ସେହି ଭାବରେ ସବୁ ମଣ୍ଡି ଏବଂ ଏସଏଚଜି ପାଇଁ ଅଧିକ ଧାନ ସଂଗ୍ରହ ଟାର୍ଗେଟର ଆବଶ୍ୟକତା ରହିଛି।

କୁଚିଣ୍ଡା ବ୍ଲକ ପୁରୁଣାପାଣି ଗାଁର ସରୋଜିନୀ ପଟେଲ କହିଛନ୍ତି, ୧୫ ଦିନ ହେଲା ଧାନ ବିକ୍ରି ପାଇଁ ନିୟମିତ ମଣ୍ଡିକୁ ଆସୁଛନ୍ତି। ମାତ୍ର ଟାର୍ଗେଟ ନଥିବା କହି ଫେରାଇ ଦିଆଯାଉଛି। ଟୋକନ ଅନୁସାରେ ୨୬ ତାରିଖ ଧାନ ବିକ୍ରିର ଶେଷ ତାରିଖ ଥିଲା। ସେଦିନ ମଧ୍ୟ ଟାର୍ଗେଟ ନାହିଁ କହି ଧାନ ଉଠାଇଲେ ନାହିଁ। ସୋମବାର ଟାର୍ଗେଟ ବୃଦ୍ଧି ପରେ ମଙ୍ଗଳବାର ଆସିବା ବେଳକୁ ଟୋକନ ଲେପ୍ସ କରିଯାଇଛି। ୧୨୯ କ୍ବିଣ୍ଟାଲ ଧାନ କେଉଁଠି ବିକ୍ରି କରିବେ ବୋଲି ସରୋଜିନୀ ପ୍ରଶ୍ନ କରିଛନ୍ତି। କୁଟରାଚୁଆଁ ମଣ୍ଡିର ଜଗନ୍ନାଥ ମନୋହରି କହିଛନ୍ତି, ସ୍ତ୍ରୀ ଭାରତୀ ମନୋହରିଙ୍କ ୧୨ କ୍ବିଣ୍ଟାଲ ୩୫ କେଜି, ତାଙ୍କର ୩୮ କ୍ବିଣ୍ଟାଲ ଧାନ ବିକ୍ରିର ଟୋକନ ଲେପ୍ସ କରାଯାଇଛି। ଏଥିଯୋଗୁଁ ଲକ୍ଷାଧିକ ଟଙ୍କା କ୍ଷତି ସହିବେ। ଥରେ ଟୋକନ ଲେପ୍ସ ହୋଇଗଲେ ଏତେ ଧାନ ବିକ୍ରି ହୋଇ ପାରିବ ନାହିଁ। ଏହାକୁ ନେଇ ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। କେବଳ ଏହି ଚାଷୀ ନୁହଁନ୍ତି ସମ୍ବଲପୁର ଜିଲ୍ଲାର ଅଧିକାଂଶ ମଣ୍ଡିରେ ଚାଷୀଙ୍କ ଟୋକନ ଲେପ୍ସ କରିଯାଇଥିବା କହିଛନ୍ତି। ପୂର୍ବରୁ ସେମାନେ ଧାନ ବିକ୍ରି ପାଇଁ ଆସିଛନ୍ତି। ମାତ୍ର ଟାର୍ଗେଟ ନଥିବା କହି ସେମାନଙ୍କୁ ଫେରାଇ ଦିଆଯାଇଛି। ବର୍ତ୍ତମାନ ଟୋକନ ଲେପ୍ସ କରିବାବେଳକୁ କେହି ଶୁଣୁନଥିବା ଚାଷୀମାନେ କହିଛନ୍ତି। ଏଥିମଧ୍ୟରେ ସର୍ବାଧିକ ଦୁର୍ଦଶାଜନକ ସ୍ଥିତିରେ ଥିବା କଟରୁଚୁଆଁ ମଣ୍ଡିରେ ୬୮ଶହ ପ୍ୟାକେଟ ଧାନ ବିକ୍ରି ପାଇଁ ଚାଷୀ ପହଞ୍ଚିଥିଲା। ପୂର୍ବରୁ ମଧ୍ୟ ଏହି ମଣ୍ଡିକୁ ମିଲର୍ସ ଆସୁନଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପୁଣି ଆଜିବି ଧାନ ବିକ୍ରି ନହେବାରୁ କୁଟରୁଚୁଆଁ ପଞ୍ଚାୟତ ସମ୍ମୁଖରେ ଦିନ ୧୨ଟାରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ୧୨.୩୦ରେ ଜିଲ୍ଲାପାଳ ପହଞ୍ଚି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଚାଷୀ ସମସ୍ୟାର ସମାଧାନ ହେଲା ନାହିଁ। ଖଲିଆପାଲି ମଣ୍ଡିରେ ୧୦ ପ୍ୟାକେଟ ଧାନ ପଡ଼ି ରହିଥିଲା।

ଏଥିରୁ ମାତ୍ର ୩ ହଜାର କ୍ବିଣ୍ଟାଲ ଧାନ କ୍ରୟ ହେଲା। ବାକି ଧାନ ଧରି ଚାଷୀ ଫେରିବାକୁ ବାଧ୍ୟ ହୋଇଛନ୍ତି। ଏହି ମଣ୍ଡି ଚାଷୀ ଦିଲ୍ଲୀପ ପଣ୍ଡା କହିଛନ୍ତି, ଶୁକ୍ରବାର ଗାଡ଼ି ଭଡ଼ାକରି ବିକ୍ରି ପାଇଁ ଯାଇଥିଲେ। ବିକି ନପାରି ଫେରି ଆସିଥିଲେ। ଆଜି ମଧ୍ୟ ସେହିଭଳି ସ୍ଥିତି ରହିଛି। ପୁଣି ଗୁରୁବାର ଯିବା ପାଇଁ କୁହାଯାଉଛି। ସରକାର ଚାଷୀଙ୍କ ଠାରୁ ଧାନ କିଣୁଛି ସିନା ଭାରି ହିନସ୍ତା କରୁଥିବା ଚାଷୀମାନେ କହିଛନ୍ତି। ଡିଆରସିଏସ ଲିଙ୍ଗରାଜ ନାଏକ କହିଛନ୍ତି, ଥରେ ଟୋକନ ଲେପ୍ସ କରିଗଲେ ଆଉ ଥରେ ତାକୁ ସଚଳ କରିବା ତାଙ୍କ ହାତରେ ନାହିଁ। ବିକ୍ରି ତାରିଖର ପ୍ରଥମ ସପ୍ତାହରୁ ହିଁ ଚାଷୀ ବିକ୍ରି କରିବା ଉଚିତ। ବିଳମ୍ବ ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର