ଭୁବନେଶ୍ବର : ରାଇସ୍ ମିଲ୍ଗୁଡ଼ିକୁ ଚାଉଳ ପ୍ରସ୍ତୁତ କରିବା ପାଇଁ ଧାନ ଦେବା ବେଳେ ସରକାର ଶତ ପ୍ରତିଶତ ଜମା ରାଶି ରଖନ୍ତୁ ବୋଲି ଅଖିଳ ଓଡ଼ିଶା ରାଇସ୍ ମିଲ୍ ସଂଘ ପକ୍ଷରୁୁ ଦାବି କରାଯାଇଛି। ଆମ ଦାବିକୁ ଯଦି ସରକାର ନମାନିବେ ତେବେ ଆମେ ମିଲିଂ ବନ୍ଦ କରିଦେବୁ ବୋଲି ସଂଘ ପକ୍ଷରୁ ଧମକ ଦିଆଯାଇଛି। ମିଲର୍ଙ୍କ ଦ୍ବାରା ଟଙ୍କା ଆତ୍ମସାତ କରାଯାଇଛି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାକୁ ସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି। କିଛି ହାତଗଣତି ମିଲର୍ଙ୍କ ଅସାଧୁ କାରବାର ଯୋଗୁ ସବୁ ରାଇସ୍ ମିଲ୍ଗୁଡ଼ିକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଠିକ୍ ନୁହେଁ। ମିଲର୍ଙ୍କ ଠାରୁ ଶତ ପ୍ରତିିଶତ ଜମା ରଖି ଧାନ ବିଲିଙ୍ଗ୍ କରିବାକୁ ଦିଆଯାଉ ବୋଲି ସଂଘର ଚେୟାରମ୍ୟାନ୍ ସନ୍ତୋଷ କୁମାର ଅଗ୍ରୱାଲ୍ କହିଛନ୍ତି। ଯେଉଁ ମିଲର୍ମାନେ ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।
ଆଜି ହୋଟେଲ୍ ଏମ୍ପାୟାର୍ସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଆମେ ଚାହୁଁଛୁ ସରକାର ଆମକୁ ଯେତିକି ପରିମାଣର ଧାନ ଦେଉଛନ୍ତି ସେଥିପାଇଁ ଆଗୁଆ ଜମା ରାଶି ନିଅନ୍ତୁ। ଆମେ ଯେତିକି ଧାନ ଆଣିବୁ ସେତିକି ଚାଉଳ କରି ଦେବା ପରେ ପୁଣି ଥରେ ଟଙ୍କା ଦେଇ ଅନ୍ୟ ଧାନ ଆଣିବୁ। ଯୋଗାଣ ବିଭାଗକୁ ଏବିଷୟରେ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଉନାହାନ୍ତି ବୋଳି ସେ କହିଛନ୍ତି। ଏହା ବ୍ୟତୀତ ପରିବହନ ଚାର୍ଜ , ଗନି ୟୁସେଜ୍ ଚାର୍ଜ ଏବଂ କଷ୍ଟଡି ଆଣ୍ଡ୍ ମେଣ୍ଟେନାନ୍ସ ଚାର୍ଜ ଆଦିର ନୂତନ ଦର ଧାର୍ଯ୍ୟ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ରାଇସ୍ ମିଲ୍ଗୁଡ଼ିକର ଯେଉଁ ଟଙ୍କା ବକେୟା ରହିଛି ତାହା ଶୀଘ୍ର ପ୍ରଦାନ କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ଉପରେ ରାଇସ୍ ମିଲ୍ଗୁଡ଼ିକର ପାଖାପାଖି ୫୦୦ କୋଟି ଟଙ୍କାର ବକେୟା ରହିଛି।
ରାଜ୍ୟରେ ଥିବା ୧୫୦୦ ରାଇସ୍ ମିଲ୍ ଏହି ସଂଘର ସଦସ୍ୟ ରହିଛି। ଏହି ଅବସରରେ ବହୁ ସଂଖ୍ୟାରେ ରାଇସ୍ ମିଲର୍ମାନେ ଅଂଶଗ୍ରହଣ କରି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି।