ଚାଉଳ ବିକ୍ରିବଟା: କୋଟି କୋଟି ଟଙ୍କା ମାର୍କେଟ୍ ଫି’ ଫାଙ୍କି

୩ବର୍ଷରେ କ୍ଷତି ୧୩କୋଟି ଟଙ୍କା, ଓଏସ୍ଏଏମ୍‌ ବୋର୍ଡକୁ ଜବାବ ମାଗିଲେ ଲୋକାୟୁକ୍ତ

ଯାଜପୁର/ସଦର : ଚାଷୀମାନଙ୍କ ଆର୍ଥିକ ସ୍ଥିତି ମଜଭୁତ କରିବା ପାଇଁ ସରକାର ଶହ ଶହ କୋଟି ସହାୟତା ଯୋଗାଇ ଦେଉଛନ୍ତି। ଅପରପକ୍ଷରେ ସେମାନଙ୍କ ଉତ୍ପାଦ ଉପରେ ଆରଏମ୍‌ସି ମାର୍କେଟ୍‌ ଫି ଆଦାୟ କରୁଛନ୍ତି। ଚାଷୀମାନଙ୍କ ଠାରୁ ଧାନ ନେଇ ଚାଉଳ କରି ବେଶ ଲାଭବାନ ହେଉଥିବା ରାଇସ୍ ମିଲଗୁଡ଼ିକ ଟଙ୍କାଟିଏ ମଧ୍ୟ ଫି’ ଦେଉନାହାନ୍ତି। ଚାଉଳ ବିକ୍ରିବଟାରେ କୋଟି କୋଟି ଟଙ୍କା ମାର୍କେଟ୍ ଫି ଫାଙ୍କି ହେଉଛି। ଚାଉଳ ଉପରେ ୧ପ୍ରତିଶତ ମାର୍କେଟିଂ ଫି ଆଦାୟ ଉପରେ ସରକାର କାହିଁକି ନିଷ୍ପତ୍ତି ନେଉନାହାନ୍ତି? ସେଥିନେଇ ଲୋକାୟୁକ୍ତରେ ହୋଇଥିବା ମାମଲାରେ ରାଜ୍ୟ ସରକାରଙ୍କ ଏଗ୍ରିକଲ୍‌ଚର ମାର୍କେଟିଂ ନିର୍ଦ୍ଦେଶକ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ ଗତ ୨୦ତାରିଖରେ ନିର୍ଦ୍ଦେଶ ଦେଇଛି।

୨୦୧୭ ମସିହା ପୂର୍ବରୁ ଆରଏମ୍‌ସି ରାସ୍ତାଗୁଡ଼ିକରେ ଥିବା ଫାଟକରେ ଚାଉଳ ଗାଡ଼ିଗୁଡ଼ିକରୁ ମାର୍କେଟିଂ ଫି ୧ ପ୍ରତିଶତ ଆଦାୟ କରୁଥିଲେ। ଫାଟକ ଉଠିଯିବା ପରେ ଏହି ଚାଉଳ ଗାଡ଼ିରୁ ମାର୍କେଟିଂ ଫି ଆଦାୟ ବନ୍ଦ ହୋଇଯାଇଛି। ଏହି ବାବଦରେ କୋଟି କୋଟି ଟଙ୍କା ରାଜ୍ୟ ସରକାର ହରାଉଛନ୍ତି। ଯାଜପୁର ଜିଲ୍ଲାରେ ୧୩ଟି ରାଇସ୍ ମିଲ୍ ଥିବା ବେଳେ ସେଥି ମଧ୍ୟରୁ ୬ଟି ବଡ଼ ରାଇସ୍ ମିଲ ଶହ ଶହ ଟନ ଚାଉଳ ଜିଲ୍ଲା ଠାରୁ ଆରମ୍ଭ କରି ବାହାର ରାଜ୍ୟକୁ ମଧ୍ୟ ଚାଲାଣ କରୁଛନ୍ତି। ଏକ ହିସାବରୁ ଜଣାପଡ଼ିଛି ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଚାଉଳ ବାବଦକୁ ୨୪ଲକ୍ଷ ୩୦ହଜାର ଟଙ୍କା ଓ ରାଜ୍ୟ ଭିତରେ ବିକ୍ରି ଚାଉଳ ବାବଦରେ ୧୧ଲକ୍ଷ ୭୦ହଜାର ଟଙ୍କା ମାସିକ ମାର୍କେଟିଂ ଫି ହରାଉଛନ୍ତି। ଗତ ୩ବର୍ଷରେ ଏହି ବାବଦରେ ପ୍ରାୟ ୧୩କୋଟି ୯୬ଲକ୍ଷ ଟଙ୍କା ଯାଜପୁର ଆରଏମସି ମାର୍କେଟିଂ ଫି ହରାଇଲାଣି। ଚାଉଳ ବିକ୍ରି ବାବଦରେ ସରକାର ରାଜସ୍ବ ହରାଉଥିବା ନେଇ ସୂଚନା କର୍ମୀ ସୁଦିପ୍ତ ପଣ୍ଡା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଲୋକାୟୁକ୍ତ ଏହା ଉପରେ ଜବାବ ଦେବାକୁ ଆରଏମସି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ନୋଟିସ୍ କରିଥିଲେ। ଶ୍ରୀ ମହାନ୍ତି ତାଙ୍କ ଜବାବରେ ଜଣାଇଛନ୍ତି ଯେ ଓଏସ୍‌ଏଏମର ଏଗ୍ରିକଲଚର ମାର୍କେଟିଂ ନିର୍ଦ୍ଦେଶକ ଏହା ଉପରେ ସ୍ପଷ୍ଟ ମତାମତ ରଖିନଥିବାରୁ ଚାଉଳ ଉପରୁ ମାର୍କେଟିଂ ଫି ଆଦାୟ ହୋଇପାରୁନାହିଁ। ଏଥି ନେଇ ଲୋକାୟୁକ୍ତ ଗତ ୨୦ତାରିଖରେ ମାର୍କେଟିଂ ନିର୍ଦ୍ଦେଶକଙ୍କ ଠାରୁ ଜବାବ ମାଗିଛନ୍ତି। ଏହି ଘଟଣାକୁ ବିଳମ୍ବ ନକରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର