ରପ୍ତାନି ଅନୁମତି ଲୋଡ଼ିଲେ ରାଇସ୍‌ ମିଲ୍‌: ‘ସରକାର ଏଫ୍‌ଆର୍‌କେ ମଗାଇ ଆମକୁ ଦିଅନ୍ତୁ’

ଭୁବନେଶ୍ବର: ରାଜ୍ୟରୁ ଚାଉଳ ରପ୍ତାନିର ବ୍ୟାପକ ସୁଯୋଗ ରହିଥିବା ବେଳେ ମିଲରମାନଙ୍କୁ କଷ୍ଟମ୍ ମିଲିଂ ସହ ଚାଉଳ ରପ୍ତାନିର ଅନୁମତି ଦିଆଯାଇନାହିଁ। ସେହି ଅନୁମତି ପ୍ରଦାନ କରିବାକୁ ଅଖିଳ ଓଡ଼ିଶା ଚାଉଳ ମିଲର୍ସ ସଂଘ (ଏଓଆର୍‌ଏମ୍‌ଏ) ପକ୍ଷରୁ ଦାବି କରାଯାଇଛି। ଆଜି ସଂଘର ବାର୍ଷିକ ସାଧାରଣ ବୈଠକରେ ରାଇସ୍‌ ମିଲ୍‌ଗୁଡ଼ିକ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦକ୍ଷିଣ ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକୁ ଚାଉଳ ରପ୍ତାନି କରିବା ଲାଗି ବିପୁଳ ସମ୍ଭାବନା ରହିଛି। ଏନେଇ ‘ଆପେଡା’ ଓ ସରକାରୀ କର୍ତ୍ତୃପକ୍ଷଙ୍କ ସହ ମିଲରମାନେ ଏକାଧିକ ଥର ଆଲୋଚନା କରିଛନ୍ତି। ଏହି ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ବିଚାର କରିବା ଲାଗି ସଂଘ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି।

ସେହିପରି, ଭିଟାମିନଯୁକ୍ତ ଚାଉଳ ପ୍ରସ୍ତୁତ କରିବା ଲାଗି ମଗାଯାଉଥିବା ଫର୍ଟିଫାଏଡ୍‌ ରାଇସ୍‌ କେର୍ଣ୍ଣେଲ୍‌(ଏଫ୍‌ଆର୍‌କେ)କୁ ନେଇ ମଧ୍ୟ ‌ଆଲୋଚନା ହୋଇଛି। ଏନେଇ ରହିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ୍ (ଏସ୍‌ଓପି)ରେ କିଛିଟା ସମସ୍ୟା ରହିଥିବା ବେଳେ ବିଭିନ୍ନ ପରୀକ୍ଷାଗାରର ଫଳାଫଳ ଭିନ୍ନ ରହୁଥିବାରୁ ରାଜ୍ୟ ଭିତରେ ଓ ବାହାରେ ଭିଟାମିନଯୁକ୍ତ ଚାଉଳକୁ ଖାରଜ କରାଯାଇଛି। ଏସ୍‌ଓପିରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ମିଲରମାନେ ଦାବି କରିଛନ୍ତି।

ଏଫ୍‌ଆର୍‌କେର ପୋଷକ ତତ୍ତ୍ବ ସହ ଆମର କୌଣସି ସମ୍ପର୍କ ନଥିବା ବେଳେ ଆମେ ଅନାବଶ୍ୟକ ଭାବେ ଦଣ୍ଡିତ ହେଉଛୁ ବୋଲି ସେ କହିଛନ୍ତି। ସରକାର ନିଜେ ଏଫ୍‌ଆର୍‌କେ ମଗାଇ ମିଲରମାନଙ୍କୁ ଯୋଗାଇଲେ ଗୁଣାତ୍ମକ ମାନ ସମସ୍ୟା ରହିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗତ ଦଶନ୍ଧିରୁ ବର୍ତ୍ତମାନ ସୁଦ୍ଧା ଓଟିଆର୍‌, ମିଲିଂ ଓ ଅନ୍ୟାନ୍ୟ ଶୁଳ୍କର ସମୀକ୍ଷା କରିବା ଲାଗି ମଧ୍ୟ ସଂଘ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।
ଆଜିର ବୈଠକରେ ଏଓଆର୍‌ଏମ୍‌ଏ ସଭାପତି ଭାବେ ମହେଶ କୁମାର ବଂଶଲ ଓ ସମ୍ପାଦକ ଭାବେ ଲକ୍ଷ୍ମୀ ନାରାୟଣ ଦୀପକ ରଞ୍ଜନଙ୍କୁ ଚୟନ କରାଯାଇଛି। ବୈଠକରେ ୩୦ଟି ଜିଲ୍ଲାର ୩୦୦ରୁ ଅଧିକ ମିଲର ଯୋଗ ଦେଇଥିଲେ। ଚାଷୀଙ୍କଠାରୁ ଧାନ ସଂଗ୍ରହ ଲାଗି ପ୍ରାୟ ୧୪୦୦ ରାଇସ୍‌ ମିଲ୍ ପଞ୍ଜୀକୃତ ଥିବା ବେଳେ ସେମାନେ ୭,୦୦,୦୦୦ରୁ ଅଧିକ ପରିବାରକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପ୍ରଦାନ କରିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର