ମଧ୍ୟବିତ୍ତଙ୍କ ଉପରେ ଚାଉଳ ଦର ମାଡ଼: ଏକାଥରେ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି

ଜୟପୁର: କେବଳ ପରିବା ବଜାର ନୁହେଁ ଚାଉଳ ଦୋକାନ ଯିବାକୁ ଭୟ କଲେଣି ଗ୍ରାହକ । ମାତ୍ର କିଛି ଦିନ ଭିତରେ ଚାଉଳ ଦର ଉପର ମୁହାଁ ହେବାରେ ଲାଗିଛି । ଉଭୟ ଉଷୁନା ଓ ଅରୁଆ ଚାଉଳ ଦାମ ବଢିଚାଲିଛି । କ୍ୱିଣ୍ଟାଲ ପିଛା ଚାଉଳ ଦର ୨ଶହରୁ ଅଧିକ ଟଙ୍କା ଯାଏଁ ବୃଦ୍ଧି ପାଇଛି । କିଲୋ ପିଛା ୫ ଟଙ୍କାରୁ ୮ ଟଙ୍କା ବଢିଛି । ଏଭଳି ସ୍ଥିତିରେ, ମଧ୍ୟବିତ ପରିବାରକୁ ଚିନ୍ତାରେ ପକାଇଛି ଚାଉଳ ଦର । ପୂର୍ବରୁ ସ୍ଥାନୀୟ ଚାଉଳ କେଜି ପିଛା ୩୫ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୬୫ଟଙ୍କାରେ ପହଞ୍ଚିଲାଣି । ଅର୍ଥାତ୍ ୧୫ରୁ ୨୦% ବୃଦ୍ଧି ପାଇଛି । ଅପରପକ୍ଷରେ ଧାନର ଉତ୍ପତିସ୍ଥଳି ଭାବେ ପରିଚିତ କୋରାପୁଟ ଜିଲାର ଲୋକେ ନିଜେ ଉତ୍ପାଦିତ ଧାନର ଚାଉଳ ଖାଇ ପାରୁ ନାହାନ୍ତି। ଏମାନେ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଆସୁଥିବା ସିଜା ଚାଉଳ ଖାଉଛନ୍ତି।

ପୂର୍ବରୁ ଛତିଶଗଡରୁ ଆସୁଥିବା ଚାଉଳ କାଶ୍ମିର କେଶରୀ, ଆମିଜାନ, କଲମ, ଆବା ହଜୁର, ଲାଜାବାବ ଆଦି ୬ମାସ ତଳେ ୩୦କିଲୋ ପ୍ୟାକେଟ ୧୩୫୦ଟଙ୍କା ରହିଥିବା ବେଳେ ଧିରେ ଧିରେ ଏହାର ଦର ବୃଦ୍ଧି ପାଇ ମାସକ ତଳେ  ୧୯୫୦ଟଙ୍କାରେ ପହଚିଂଥିଲା। ଆଜି ଜୟପୁର ବଜାରରେ କଲମ ୧୧୦୦ଟଙ୍କା, କାଶ୍ମିର କେଶରୀ, ଆମିଜାନ,ଆବା ହଜୁର ୨୦୦୦ଟଙ୍କାରେ ପହଚିଂଛି। ସେଭଳି ଲାଜାବାବ ୧୭୦୦ଟଙ୍କାରେ ପହଚିଂଛି। ଜିଲାରୁ ରବି ଓଖରିଫ ମଣ୍ଡି ସମୟରେ ଧାନ  ପଡ଼ୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରକୁ ଦଲାଲଙ୍କ ମାଧ୍ୟମରେ ଚାଳାଣ ହେଉଛି। ସେଭଳି ମଣ୍ଡିରେ ‌ଚାଷୀଙ୍କ ମାଧ୍ୟମରେ ଯାଉଥିବା ଧାନର ଚାଉଳ ଏଫସିଆଇ ଜରିଆରେ ଦେଶର ବହୁ ରାଜ୍ୟକୁ ଯାଉଛି। କାଁ ଭାଁ ଚାଷୀ ନିଜ ଉତ୍ପାଦିତ ଧାନର ଚାଉଳ ମିଲିଂ କରି ଖାଉଥିବା ବେଳେ ଶତପ୍ରତିଶତ ଚାଷୀ ପଡୋଶୀ ରାଜ୍ୟର ସିଜା ଚାଉଳ ହିଁ ଖାଉଛନ୍ତି। ତେବେ ବଜାରରେ ନିଜେ ଆଣିଲେ ଉପରୋକ୍ତ ଦରରେ ମିଳୁଛି।

ଗତ କିଛି ମାସ ମଧ୍ୟରେ ଜୟପୁରସହରରେ ନୂଆରେ ୨ଟି ହୋଲସେଲ ଓ ୧୦ଟି ଖୁଚୁରା ଚାଉଳ ବିକ୍ରୀ ଦୋକାନ ଖୋଲିଛି। ତେବେ ସାହି ଛକରେ ଆଉ ୫୦ରୁ ୧୦୦ଟଙ୍କା ଅଧିକାରେ ବିକ୍ରୀ ହେଉଛି। ଏହା ବାଦେ ଘରକୁ ଆଣି ବି କିଛି ଚାଉଳ ବ୍ୟବସାୟୀ ପହଚାଂଉଛନ୍ତି। ସେମାନେ ବି ଦୂରତା ଅନୁଯାୟୀ ୧୦୦ଟଙ୍କାରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଅଧିକା ନେଉଛନ୍ତି। ଅପରପକ୍ଷରେ ବ୍ୟବସାୟୀ ମାନେ ମନଇଛା ଦରରେ ବିକ୍ରୀ କରୁଛନ୍ତି।କୌଣସି ଦୋକାନ ସମ୍ମୁଖରେ ଚାଉଳର ନାଁ ସହ ବଜାର ଦର  ବୋର୍ଡ ଟାଙ୍ଗିବା ବି ଦେଖିବାକୁ ମିଳୁନି।  ଅଧିକାଂଶ ଲୋକେ ଏବେ ସରୁ ଚାଉଳର ଭାତ ଖାଇବାକୁ ପସନ୍ଦ କରୁଛନ୍ତି। ଏବଂ ଏହି ଚାଉଳର ଅଧିକା ଚାହିଦା ବି ରହିଛି। ଏହି ସୁଯୋଗରେ ଛତିଶଗଡର ଚାଉଳ ବ୍ୟବସାୟୀ ମାନେ ଜୟପୁରରେ ଡେରା ପକାଇ ଏହି ବ୍ୟାବସାୟକୁ ବ୍ୟାପ୍ତ କରିବାରେ ଲାଗିଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରେୁ ବଜାରଦର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଭାବେ ବିଭାଗ ରହିଥିଲେ ହେଁ ଏମାନେ ଦର ନିୟନ୍ତ୍ରଣ କରିବାରେ ଫେଲ୍ ମାରୁଛନ୍ତି। ଏଦିଗରେ ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେଇ ଦର ନିୟନ୍ତ୍ରଣ କରିବାକୁ ଦାବି ହୋଇଛି।

 

 

ସମ୍ବନ୍ଧିତ ଖବର