ଭୁବନେଶ୍ବର / କଟକ / ବ୍ରହ୍ମପୁର: ପରିବା ଦର ଆକାଶ ଛୁଆଁ। ଅଧିକାଂଶ ପରିବା ଦର କିଲୋ ପିଛା ୫୦/୬୦ ଟଙ୍କା ରହିଛି। ଟମାଟୋ ୧୫୦ ଟଙ୍କା ଉପରେ। ଠିକ୍ ଏମିତି ସମୟରେ ରାଜ୍ୟବାସୀଙ୍କ ମୁଖ୍ୟ ଖାଦ୍ୟ ଭାବେ ପରିଚିତ ଚାଉଳ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ସାଧାରଣ କିସମ ଚାଉଳ ଦର ମଧ୍ୟ ଇତିମଧ୍ୟରେ କିଲୋଗ୍ରାମ ପିଛା ୧୦ରୁ ୧୨ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ହାଣ୍ଡିଶାଳ ଉପରେ ଏଭଳି ମାଡ଼ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଲାଣି। ଭୁବନେଶ୍ବରରେ ସାଧାରଣ କିସମ ଚାଉଳ ମୂଲ୍ୟ ପୂର୍ବରୁ କ୍ବିଣ୍ଟାଲ୍‌ ପିଛା ୨୫୦୦ ଟଙ୍କା ଥିଲା। ଏବେ ଏହା ୩୫୦୦ ଟଙ୍କାରେ ପହଞ୍ଚିଛି। ବ୍ରହ୍ମପୁର ହୋଲସେଲ୍ ବଜାରରେ ଏଚ୍‌ଏମ୍‌ଟି ଚାଉଳ (୨୬କେଜି ପ୍ୟାକେଟ୍‌) ଦର ୧୩୪୦ ଟଙ୍କା ରହିଛି। ଏହି ଚାଉଳ ଦର ପୂର୍ବରୁ ୧୧୦୦ରୁ ୧୨ଶହ ଟଙ୍କା ରହିଥିଲା। କେବଳ ଭୁବନେଶ୍ବର କିମ୍ବା ବ୍ରହ୍ମପୁର ନୁହେଁ, ବ୍ୟବସାୟ ପେଣ୍ଠସ୍ଥଳ କଟକ ସମେତ ସାରା ରାଜ୍ୟରେ ଚାଉଳ ଦର ହଠାତ୍ ଉପରମୁହାଁ ହୋଇଛି।

Advertisment

ବ୍ରହ୍ମପୁର ହେଉଛି ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳ। ଏଠାକୁ ବିଭିନ୍ନ ରାଜ୍ୟରୁ ଖାଦ୍ୟ ସାମଗ୍ରୀ ସହିତ ଅନ୍ୟାନ୍ୟ ଜିନିଷ ଆମଦାନି ହୋଇଥାଏ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ସେହି ସାମଗ୍ରୀ ରପ୍ତାନି ହୋଇଥାଏ। ବ୍ରହ୍ମପୁର ବଡ଼ବଜାରରେ ଚାଉଳ ହୋଲସେଲ୍‌ ଗୋଦାମ ରହିଛି। ସେହି ଗୋଦାମର ବ୍ୟବସାୟୀଙ୍କ କହିବା ଅନୁସାରେ, ଭଲ ସରୁ ଏଚ୍‌ଏମ୍‌ଟି ଚାଉଳ କ୍ବିଣ୍ଟାଲ୍‌ ପିଛା ପ୍ରାୟ ୧ହଜାରରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଚ୍‌ଏମ୍‌ଟିଠାରୁ କମ୍‌ ମୂଲ୍ୟର ଚାଉଳ ମଧ୍ୟ ଉପଲବ୍ଧ ରହିଛି। ସେହିପରି ଲଚ୍‌କରି ଚାଉଳ କିଲୋ ପ୍ରତି ୬୫ ଟଙ୍କା ହୋଇଥିବା ବେଳେ ତାହା ହୋଲସେଲ୍‌ରେ ୨୬ କିଲୋକୁ ୧୬୯୦ ଟଙ୍କା ପଡ଼ୁଛି। ଏଭଳି ଦରବୃଦ୍ଧି ଯୋଗୁଁ ‌ଅଧିକାଂଶ ଲୋକ ଏଚ୍‌ଏମ୍‌ଟି ବ୍ରାଣ୍ଡ୍‌ ଚାଉଳ ଛାଡ଼ି ସାଧାରଣ ଚାଉଳ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା କିଛି ବ୍ୟବସାୟୀ କହିଛନ୍ତି। ବ୍ରହ୍ମପୁର ସହରକୁ ଆନ୍ଧ୍ର, ବିହାର ସହିତ ବିଭିନ୍ନ ରାଜ୍ୟରୁ ଚାଉଳ ଆସୁଛି। ଯେଭଳି ଚାଉଳ ଆସିବା କଥା ସେହି ପରିମାଣର ଆସୁଛି। କିନ୍ତୁ ଦରବୃଦ୍ଧି ଯୋଗୁଁ ଖାଉଟି ପ୍ରିମିୟମ୍‌ କ୍ବାଲିଟି ଚାଉଳ ନେବାରେ କିଛିଟା ପଛଘୁଞ୍ଚା ଦେଉଛନ୍ତି। ଧାନ ଉପରେ କେନ୍ଦ୍ର ସରକାର ଲାଗୁ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦରବୃଦ୍ଧିର ଏକ କାରଣ ବୋଲି ବ୍ରହ୍ମପୁରର ବ୍ୟବସାୟୀ କହିଛନ୍ତି। ଚାଉଳର ଏଭଳି ଚଢ଼ା ଦର ଆଗାମୀ ଦିନରେ ବଳବତ୍ତର ରହିବ ବୋଲି ଅନୁମାନ କରାଯାଉଛି।

ଅସ୍ବାଭାବିକ ଦରବୃଦ୍ଧିରେ ଖାଉଟି ଅତିଷ୍ଠ
ଡାଲି, ଜିରା, ଅଦା ଦର ବି ବଢ଼ିଲାଣି
ପାଗ ପରିବର୍ତ୍ତନ, ଯୁଦ୍ଧ, ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଦାୟୀ

ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ବିଭିନ୍ନ କାରଣ ପାଇଁ ଚାଉଳ ଦରବୃଦ୍ଧି ହୋଇଛି। ସେହି କାରଣ ଗୁଡ଼ିକ ହେଲା ୟୁକ୍ରେନ-ରୁଷ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ, ବଡ଼ ବଡ଼ କର୍ପୋରେଟ୍‌ ହାଉସ ବିପୁଳ ମାତ୍ରାରେ ଚାଉଳ ମହଜୁଦ ରଖିବା, କୋଭିଡ ସମୟରେ ସରକାର ମାଗଣାରେ ଲୋକଙ୍କୁ ଖାଦ୍ୟଶସ୍ୟ ‌ବଣ୍ଟନ କରିବା ପରେ ଏଫ୍‌ସିଆଇରେ ମହଜୁଦ ଥିବା ଚାଉଳ ପରିମାଣ ହ୍ରାସ ଏବଂ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଆଦି ଦେଶକୁ ଭାରତରୁ ଚୋରାରେ ଚାଉଳ ରପ୍ତାନି। ସେମାନଙ୍କ କହିବାନୁଯାୟୀ, ଚଳିତବର୍ଷ ଉତ୍ତର ଭାରତରେ ଭୟଙ୍କର ବନ୍ୟା ଦେଖାଦେଇଛି। ଏଥିସହିତ ମୌସୁମୀ ବର୍ଷା ବର୍ତ୍ତମାନ ସୁଦ୍ଧା କେବଳ ନିଅଣ୍ଟିଆ ନାହିଁ ଅସ୍ବାଭାବିକ ମଧ୍ୟ ରହିଛି। ଫଳରେ ବୁଣାବୁଣି ବ୍ୟାହତ ହୋଇଛି। ଚଳିତବର୍ଷ ଧାନ ଉତ୍ପାଦନ କ’ଣ ରହିବ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇଥିଲେ ମଧ୍ୟ ପଡ଼ୋଶୀ ବାଂଲା‌ଦେଶ, ନେପାଳ ଏବଂ ଶ୍ରୀଲଙ୍କାରେ ଚାଉଳ ଦର ଉଚ୍ଚା ରହିଥିବାରୁ ସେଠାକୁ ଭାରତରୁ ଚୋରାରେ ଚାଉଳ ରପ୍ତାନି କରାଯାଉଛି। ଏଥିସହିତ ଡିଜେଲ ଦର ୧ ବର୍ଷରୁ ଅଧିକ ସମୟ ଧରି ଉଚ୍ଚାସ୍ତରରେ ଥିବାରୁ ପରିବହନ ବାବଦ ଖର୍ଚ୍ଚ ଅଧିକ ରହୁଛି। ଡିଜେଲ ଦର କମିପାରିଲେ ଚାଉଳ ଓ ପନିପରିବା ଦର କିଛିମାତ୍ରାରେ କମିପାରନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି। ୟୁକ୍ରେନ ବିଶ୍ବର ଏକ ପ୍ରମୁଖ ଗହମ ଉତ୍ପାଦନକାରୀ ଦେଶ। ସେଠାରେ ଯୁଦ୍ଧ ଯୋଗୁ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି। ତେଣୁ ଏହାର ସିଧା ପ୍ରଭାବ ବିଶ୍ବର ଅନ୍ୟତମ ପ୍ରମୁଖ ଖାଦ୍ୟଶସ୍ୟ ଉତ୍ପାଦନକାରୀ ଦେଶ ଭାରତ ବଜାର ଉପରେ ପଡ଼ିଛି।

ଚାଉଳ ସମେତ ଡାଲି, ଜୀରା ଏବଂ ବିଭିନ୍ନ ପ୍ରକାର ମସଲା ଦାମ ମଧ୍ୟ ଗତ କିଛିଦିନ ହେଲା ଅସ୍ବାଭାବିକ ଭାବେ ବଢ଼ିଯାଇଛି। ଏହା ସାଧାରଣ ଖାଉଟିର ପକେଟକୁ ବାଧୁଛି। ସୀମିତ ରୋଜଗାରରେ ଜୀବନଯାପନ କରୁଥିବା ବ୍ୟକ୍ତିମାନେ ବଜାରକୁ ଗଲାବେଳକୁ ସାମଗ୍ରୀ କିଣିବାକୁ ଡରୁଛନ୍ତି। ୫୦୦ ଟଙ୍କା ଦେଲେ ମଧ୍ୟ ବ୍ୟାଗ ଭର୍ତ୍ତି ପରିବା ହେବା କଷ୍ଟ ହେଉଛି। ସେହିଭଳି ତେଜରାତି ଦୋକନକୁ ଗଲେ କିଛିଦିନ ତଳେ ଯେଉଁ ହରଡ଼ ଡାଲି ଦାମ କିଲୋଗ୍ରାମ ପିଛା ୧୩୦ ଟଙ୍କା ଥିଲା ଏବେ ତାହା ୧୫୦ ଟଙ୍କା ହୋଇଯାଇଛି। ୧୮୦ ଟଙ୍କାରେ ବିକ୍ରି ହେଉଥିବା ଜିରା ଏବେ କିଲୋଗ୍ରାମ ପିଛା ୮୦୦ ଟଙ୍କା ହୋଇଯାଇଛି। ଅଦା କିଲୋଗ୍ରାମ ପିଛା ୨୫୦ରୁ ୩୦୦ ଟଙ୍କାରେ ପହଞ୍ଚିଛି। ଟମାଟୋ ଦର କିଲୋଗ୍ରାମ ପିଛା ୧୫୦ରୁ ୧୬୦ ଟଙ୍କାରେ ବିକ୍ରି େହଉଛି।

ଚାଉଳ ସମେତ ଅନ୍ୟାନ୍ୟ ସାମଗ୍ରୀର ଅସ୍ବାଭାବିକ ଦରବୃଦ୍ଧିକୁ ଖାଉଟିଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ବି ଗ୍ରହଣ କରିପାରୁନାହାନ୍ତି। ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କୁହନ୍ତି, ଆସନ୍ତା ୧୫ରୁ ୨୦ ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତାହା ପରେ ଜଣାପଡ଼ିବ ଦରଦାମ୍‌ର ଗତି କଣ ରହିବ। ତେବେ ସରକାର ଦେଶରେ ପର୍ଯ୍ୟାପ୍ତ ମାତ୍ରାର ଖାଦ୍ୟଶସ୍ୟ ମହଜୁଦ ରଖିବା ସହିତ ରପ୍ତାନି ପାଇଁ ଅନୁମତି ଦେଇଥିବା ସାମଗ୍ରୀର ପୁନଃସମୀକ୍ଷା ତୁରନ୍ତ କରିବା ଜରୁରୀ ବୋଲି ସେ କହିଛନ୍ତି। ସେହିଭଳି ଓଡ଼ିଶା ବ୍ୟବସାୟୀ ମହାସଂଘ ସଭାପତି ସି.ଏଚ୍‌ ରବୀନ୍ଦ୍ରନାଥ କହନ୍ତି, ଚାଉଳ ଦରବୃଦ୍ଧିର ବିଭିନ୍ନ କାରଣ ରହିଛି। ବିଶେଷ କରି ପ୍ରିମିୟମ୍‌ କ୍ବାଲିଟି ଚାଉଳ ଅଧିକ ବଢ଼ିଛି। ବର୍ତ୍ତମାନ କେନ୍ଦ୍ର ସରକାର ବାହାର ଦେଶକୁ ଚାଉଳ ରପ୍ତାନି ବନ୍ଦ କରି ଦେଇଛନ୍ତି। ଏଣୁ ଆଗାମୀ ଦିନରେ ଏହାର ପ୍ରଭାବ ଦେଖାଦେବ ଓ ଚାଉଳ ଦର କମିବ ବୋଲି ଆଶା କରାଯାଉଛି। ଚାଉଳ ଦାମ ବଢ଼ିବା ପଛରେ ଏମ୍‌ଏସ୍‌ପି ବୃଦ୍ଧିକୁ ସମ୍ପୂର୍ଣ୍ଣ ଦାୟୀ କରାଯାଇ ନପାରେ। ଦୀର୍ଘଦିନ ହେଲା ଚାଉଳ ଦର ସ୍ଥିର ଥିଲା। ଏବେ କିଲୋ ପ୍ରତି ୧୦/୧୨ଟଙ୍କା ବୃଦ୍ଧି କିଛି ବଡ଼ କଥା ନୁହେଁ। ଚାଉଳ ଦରବୃଦ୍ଧି ସାଧାରଣ ପ୍ରକ୍ରିୟା। ଏ ଦିଗରେ ସରକାର ଅବଗତ ଅଛନ୍ତି ବୋଲି ସେ କହିଛନ୍ତି।