ଝରିଗାଁ: ଆଗ କାଳରେ ଲୋକମାନେ ଧାନରୁ ଚାଉଳ ବାହାର କରିବା ପାଇଁ ଢ଼ିଙ୍କିର ବହୁଳ ବ୍ୟବହାର କରୁଥିଲେ। ଆଧୁନିକ ଯୁଗରେ ବିଭିନ୍ନ ଯନ୍ତ୍ରପାତି ବାହାରିବା ଦ୍ୱାରା ବର୍ତ୍ତମାନ ଢ଼ିଙ୍କିର ଚାହିଦା କମି ଯାଇଛି। ତେବେ ଝରିଗାଁ ବ୍ଳକର କିଛି ଆଦିବାସୀ ଅଂଚଳରେ ଏବେ ମଧ୍ୟ ପାରମ୍ପରିକ ପଦ୍ଧତିରେ ଧାନରୁ ଚାଉଳ ବାହାର କରିବା ପାଇଁ ଢ଼ିଙ୍କିର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସେହିପରି ପୁରୁଣା ପଦ୍ଧତିକୁ ଆଧୁନିକ ଯୁଗରେ ଜୀବିତ କରି ରଖିଛନ୍ତି।

Advertisment

ଆଗ କାଳରେ କିଛି ନିର୍ଦିଷ୍ଟ ଲୋକଙ୍କ ଘରେ ଢ଼ିଙ୍କି ରହୁଥିଲା। ଗ୍ରାମର ମହିଳାମାନେ ସେହି ଢ଼ିଙ୍କିରେ ଧାନରୁ ଚାଉଳ ବାହାର କରୁଥିଲେ। ବେଳେ ବେଳେ ଅନ୍ୟ ମହିଳାମାନେ ମଧ୍ୟ ସହଯୋଗ କରୁଥିଲେ। ଫଳରେ ନିଜ ନିଜ ମଧ୍ୟରେ ଆତ୍ମୀୟତା ରହୁଥିଲା। ଢ଼ିଙ୍କି ଦ୍ୱାରା ଧାନକୁ କୁଟିବା ପରେ ସେଥିରୁ ଚାଉଳ, ଖୁଦ ଏବଂ କୁଣ୍ଡାକୁ ଅଲଗା ଅଲଗା କରାଯାଉଥିଲା। ଢ଼ିଙ୍କି କୁଟା ଚାଉଳରେ ଅଧିକ ଭିଟାମିନ ରହିବା ସହ ସେହି ଚାଉଳର ଭାତ ଖାଇବା ପାଇଁ ସ୍ୱାଦିଷ୍ଟ ରୁହେ ବୋଲି ମହିଳାମାନେ କହିଛନ୍ତି। ଖୁଦରେ ତିଆରି ପିଠା ମଧ୍ୟ ଅଧିକ ସ୍ୱାଦିଷ୍ଟ ରୁହେ।

ସେହିପରି ଢ଼ିଙ୍କିରେ ଧାନ କୁଟିବା ପରେ ଯେଉଁ କୁଣ୍ଡା ବାହାରେ ସେହି କୁଣ୍ଡା ଗାଇଗୋରୁ ମାନଙ୍କ ଉତ୍ତମ ଖାଦ୍ୟ ହୋଇଥାଏ ବୋଲି କହିଛନ୍ତି। ତେଣୁ ସମସ୍ତେ ଡେଙ୍କି କୁଟା ଚାଉଳ ବ୍ୟବହାର କରିବା ପାଇଁ ଉପଦେଶ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ଓଡ଼ିଶାର ଧାନ ପୋଡ଼ଶୀ ରାଜ୍ୟରେ ଯିବା ପରେ ସେଠାରେ ବିଭିନ୍ନ ଯନ୍ତ୍ରପାତି ଦ୍ୱାରା ଧାନରୁ ଚାଉଳ ବାହାର କରି ସେହି ଚାଉଳକୁ ପୁଲିସ କରି ଦେଇ ଅଧିକା ଦରରେ ଓଡ଼ିଶାରେ ବିକ୍ରି କରୁଛନ୍ତି। ସେହି ଚାଉଳର ଭାତରେ ଭିଟାମିନ ଅଧିକ ନଥିବା ବେଳେ ବାଧ୍ୟ ହୋଇ ଲୋକ ମାନେ ଚାଉଳ କିଣୁଛନ୍ତି।