ଜୟପାଟଣା: ଜୟପାଟଣା ବ୍ଲକ୍ ରଣମାଲ ମଣ୍ଡିରେ ଚଳିତ ୨୦୨୧-୨୨ ଖରିଫ ବର୍ଷ ପାଇଁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଶତାଧିକ ଚାଷୀଙ୍କ ଗହଣରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଚିଫ୍ ସିଏସ୍ଓ, ଧର୍ମଗଡ଼ ଏସିଏସ୍ଓ, ଏଆର୍ସିଏସ, ବଜାର କମିଟି ସମ୍ପାଦକ ଅନୀଲ ରାଉତ ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ଜଣ ଚାଷୀଙ୍କ ଠାରୁ ୨୦୦.୯୩ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ବ୍ଲକର ୫ ସେବା ସମବାୟ ସମିତି ମାଧ୍ୟମରେ ୧୦,୮୯୩ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହିସବୁ ଚାଷୀଙ୍କ ଧାନ ବ୍ଲକ୍ର ୨୨ ମଣ୍ଡି ମାଧ୍ୟମରେ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି।
କଳାହାଣ୍ଡିର ଚାଷୀ ଉତ୍ତମ ଜ୍ଞାନକୌଶଳ ଏବଂ ଶଙ୍କରା ଜାତୀୟ ବିହନ ସାଙ୍ଗକୁ ଇନ୍ଦ୍ରାବତୀର ଜଳସେଚନ ପାଇ ଭରପୂର ଧାନ ଉତ୍ପାଦନ କରୁଛନ୍ତି। ହେଲେ କ୍ରୟ ପାଇଁ ମାତ୍ର ୧୯ କ୍ବିଣ୍ଟାଲ ଧାର୍ଯ୍ୟ କରାଯାଇଛି। ସରକାର କ’ଣ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ସେହିପରି ଅଧିକାଂଶ ଅଣ ଜଳସେଚିତ ଅଞ୍ଚଳରେ ଭଲ ଫସଲ ହୋଇଛି। କିଣା ଧାର୍ଯ୍ୟ ଏକରକୁ ୧୩ କ୍ବିଣ୍ଟାଲ ରଖାଯାଇଥିବାରୁ ସରକାର ଏହାର ପୁନର୍ବିଚାର କରିବା ପାଇଁ ଦାବି ହୋଇଛି।
ଉଦ୍ଘାନଟନୀ ଉତ୍ସବରେ ଅରେବେଡ଼ା ଓ ଭେଜିଗୁଡ଼ା ଚାଷୀମାନେ ଉପଜିଲ୍ଲାପାଳ ଓ ବିଧାୟକଙ୍କୁ ଭେଟି ରଣମାଲ ଓ ବାଣ୍ଡିଗାଁରେ ସାମିଲ କରିଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରି ନିଜସ୍ୱ ସ୍ଥାନରେ ମଣ୍ଡି ଖୋଲିବା ପାଇଁ ଦାବି କରିଥିଲେ। ଗତବର୍ଷ ଜୟପାଟଣା ବ୍ଲକ୍ର ସମସ୍ତ ମଣ୍ଡିରେ ଖରିଫ ସମୟରେ ମୋଟ୍ ୭,୧୨,୪୭୪.୪୬ କ୍ବିଣ୍ଟାଲ ଧାନ କିଣାଯାଇ ଥିଲା। ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ୮ ପ୍ରତିଶତ ଅଧିକ ହୋଇଥିବାରୁ ଧାନ ସଂଗ୍ରହ ପରିମାଣ ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଲୋଚନା ହେଉଛି। ଉପ ଜିଲ୍ଲାପାଳ ଚାଷୀଙ୍କୁ ଶୁଖା ଓ ସଫା ଧାନ ଆଣି ନିର୍ଦ୍ଧାରିତ ମୂଲ୍ୟ ପାଇ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଥିଲେ।