ସାରା ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥା, ଅନେକ ସ୍ଥାନରେ ଏବେ ବି ମଣ୍ଡି ଖୋଲିନି

 ଜଣେ ସମ୍ପାଦକଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ, ଦଲାଲଙ୍କ କବ୍‌ଜାରେ ଚାଷୀଙ୍କ ଧାନ

ବାଲେଶ୍ବର: ଚଳିତବର୍ଷର ଅମଳ ହୋଇଥିବା ଖରିଫ୍‌ ଧାନ କିଣା ନେଇ ଡିସେମ୍ବର ୨ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇଥିଲା। ଗତ ନଭେମ୍ବର ମା‌ସ ୨୭ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ କିଣା କମିଟି ବୈଠକ‌ରେ ଖୋଦ୍‌ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ, ଜିଲ୍ଲା ପରିଷଦ ସଭାପତି ଏବଂ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଚାଷୀ ଧାନ ଅମଳ ସାରି ମଣ୍ଡିରେ ବିକିବା ପାଇଁ ଟୋକନ ପାଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ ମଣ୍ଡି ଖୋଲି ନଥିବା ଦେଖିବାକୁ ମିଳିଛି। ତେବେ ବିଭିନ୍ନ କାରଣ ଦର୍ଶାଇ ଚାଷୀମାନଙ୍କୁ ଏଠାରେ ଭୁଆଁ ବୁଲାଯାଉଥିବା ଅଭିଯୋଗ ହୋଇଛି।

ଏହି କ୍ରମରେ ଜିଲ୍ଲାର ସିମୁଳିଅା ବ୍ଲକ ଅନ୍ତର୍ଗତ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡ୍‌ର ସମ୍ପାଦକ ରବିନାରାୟଣ ବାରିକଙ୍କୁ ଆଜି ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଡିସେମ୍ବର ୨, ୪, ୭, ୯ ଓ ୧୧ତାରିଖ ଦିନ ଧାନ ବିକ୍ରି ପାଇଁ ଚାଷୀମାନଙ୍କୁ ଏହି ସମିତି ପକ୍ଷରୁ ଟୋକନ ପ୍ରଦାନ କରାଯାଇଥିବା ବେଳେ ସମିତି ଉକ୍ତ ଚାଷୀଙ୍କଠାରୁ ଧାନ ନକିଣିବାରୁ ୯୫ଜଣ ଚାଷୀ ନିର୍ଦ୍ଧାରିତ ଦିନରେ ସେମାନଙ୍କ ଧାନ ବିକ୍ରି କରିବାରୁ ବଂଚିତ ହୋଇଥିଲେ। ଏ ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ସମିତିର ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବା ସହ ଜିଲ୍ଲା ଯୋଗାଣ ଅଧିକାରୀ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟକୁ ଯାଇ ପ୍ରକୃତ ସ୍ଥିତି ଯାଞ୍ଚ୍‌ କରିଥିଲେ। ତାଙ୍କ ରିପୋର୍ଟକୁ ଆଧାର କରି ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସୂଚନାଯୋଗ୍ୟ, ସିମୁଳିଆ ବ୍ଲକରେ ୬ଟି ସ୍ଥାନରେ ଧାନ କିଣା କେନ୍ଦ୍ର ଖୋଲିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଖିରକୋଣା ସମିତିରେ ୧୫ ତାରିଖ ଦିନ ଧାନ ମଣ୍ଡି ଖୋଲାଯାଇଛି। ସେହିପରି ଅଡ଼ା ଏବଂ ପୁରୁଷୋତ୍ତମପୁର ସମିତିରେ ଏପର୍ଯ୍ୟନ୍ତ ଧାନ କିଣା କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହି ସମିତି ଅଧୀନ‌େର ଥିବା ଶତାଧିକ ଚାଷୀ ୨ ତାରିଖଠାରୁ ବିଭିନ୍ନ ତାରିଖରେ ଟୋକନ ପାଇସାରିଥିବା ବେଳେ ନିର୍ଦ୍ଧାରିତ ତାରିଖଗୁଡ଼ିକରେ ସେମାନେ ମଧ୍ୟ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଧାନ କିଣାକୁ ନେଇ ଏହିପରି ଅବ୍ୟବସ୍ଥା କେବଳ ସିମୁଳିଆ ବ୍ଲକ‌େର ନୁହେଁ ଜିଲ୍ଲାର ୧୨ଟି ଯାକ ବ୍ଲକରେ ଦେଖିବାକୁ ମିଳିଛି। ଜିଲ୍ଲାସ୍ତରୀୟ ବୈଠକ‌େର ୧୨ଟି ବ୍ଲକରେ ୧୬୯ଟି ଧାନ କିଣା କେନ୍ଦ୍ର ଖୋଲିବାକୁ ନି‌ଷ୍ପତି ହୋଇଥିବା ବେଳେ ଏବେ ତନ୍ମଧ୍ୟରୁ କେତୋଟି ଖୋଲାଯାଇଛି ଏବଂ କେତୋଟି ବାକି ଅଛି ତାହା ଜିଲ୍ଲା ଯୋଗାଣ ବିଭାଗକୁ ପଚାରିଲେ ମଧ୍ୟ କହିପାରୁନାହାନ୍ତି।

ସେପଟେ ଚାଷୀ ବାଧ୍ୟ ହୋଇ ଦଲାଲମାନଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଲା‌ଣି। ନୀଳଗିରି, ବାହାନଗା, ବସ୍ତା, ଜଳେଶ୍ବର, ସଦର, ସିମୁଳିଆ, ଖଇରା ଆଦି ଅଞ୍ଚଳରେ ହଜାରହଜାର କ୍ୟୁଣ୍ଟାଲ ଧାନ ଏବେ ଦଲାଲମାନଙ୍କ କବ୍‌ଜାରେ। ସରକାରୀ ଧାନ କିଣା ବ୍ୟବସ୍ଥା ଠିକ୍‌ ନଥିବା କାରଣରୁ କମ୍‌ ମୂଲ୍ୟରେ ହେଲେ ବି ଚାଷୀ ନଗଦ ଅର୍ଥ ପାଇବା ଆଶାରେ ଦଲାଲମାନଙ୍କୁ ତାର ଧାନ ବିକ୍ରି କରିଦେବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛି। ଏନେଇ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଅଜୟ ମଲ୍ଲିକଙ୍କୁ ପଚାରିବାରୁ ଅଧିକାଂଶ ସ୍ଥାନରେ ଚାଷୀ ଧାନ ଅମଳ ସାରି ନଥିବାରୁ ମଣ୍ଡି ଖୋଲାଯାଇନଥିବା କହିଥିଲେ। ତେବେ ଏ ସମ୍ପର୍କରେ ଡିଆରସିଏସ୍‌ଙ୍କ ସହ ସେ ଯୋଗାଯୋଗ କରିବାକୁ କହିଥିଲେ। ମାତ୍ର ଡିଆରସିଏସ୍‌ଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇନଥିଲେ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାର ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଏ ବ୍ୟତିକ୍ରମ ପାଇଁ ଦାୟୀ କିଏ? ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର