ଭୁବନେଶ୍ୱର: କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୮-୧୯ ବର୍ଷ ଖରିଫ ଋତୁରେ ୫୧.୪୪ ଲକ୍ଷ ମାଟ୍ରିକ ଟନ୍ ଧାନ ସଂଗ୍ରହ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ୨୦୧୬-୧୭ ଖରିଫ ଋତୁରେ ୪୩.୮୬ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇ ସର୍ବାଧିକ ରେକର୍ଡ ସୃଷ୍ଟି ହୋଇଥିଲା। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଧାନ ସଂଗ୍ରହ ବୈଠକରେ ଶନିବାର ହୋଇଥିବା ସମୀକ୍ଷାରୁ ଏହା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧାନ ସଂଗ୍ରହ କ୍ଷେତ୍ରରେ ବିଗତ ବର୍ଷ ମାନଙ୍କର କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ହାସଲ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଆଗାମୀ ବର୍ଷମାନଙ୍କରେ ଅଧିକରୁ ଅଧିକ ବୈଷୟିକ କୌଶଳ ଆପଣେଇବାକୁ ନିର୍ଦ୍ଦେଶ ଦେଇଥିଲେ। ସମୁଦାୟ ପ୍ରକ୍ରିୟାକୁ ଅନ୍ଲାଇନ୍ କରାଗଲେ ବ୍ୟବସ୍ଥା ଅଧିକ ଦୃଢ଼ ଓ ଉତ୍ତରଦାୟୀ ହୋଇ ପାରିବ ବୋଲି ଶ୍ରୀ ପାଢ଼ୀ କହିଥିଲେ। ଚଳିତ ରବି ଋତୁରେ ଧାନ କ୍ରୟ ବିଷୟ ତଥ୍ୟ କିଣିବା ଦିନ ହିଁ ଡାଟାବେସ୍ରେ ଅପ୍ଲୋର୍ଡ କରିବା ପାଇଁ ମିଲର୍ସ ଏବଂ ଧାନ ସଂଗ୍ରହ କରୁଥିବା ଏଜେନ୍ସି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଧାନର ମୂଲ୍ୟ କୃଷକ ମାନଙ୍କର ବ୍ୟାଙ୍କ ଖାତାରେ ୨ ଦିନ ମଧ୍ୟରେ ପୈଠ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଚଳିତ ରବି ଋତୁରେ କେତେକ ନିଦ୍ଦିଷ୍ଟ ସ୍ଥାନରେ ତାଲିମ ପ୍ରାପ୍ତ ଏବଂ ଅଭିଜ୍ଞତା ସଂପନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରାଥମିକ ସମବାୟ ସମିତି (ପାକ୍ସ) ପରି ଧାନ ସଂଗ୍ରହରେ ପରୀକ୍ଷାମୂଳକ ଭାବେ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।