ସମ୍ବଲପୁର: ଧାନ ସଂଗ୍ରହ ପାଇଁ ମଣ୍ଡିର ଭିତ୍ତିଭୂମି ସଜାଡ଼ିବାକୁ ନୂଆ ସରକାର ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଅଧିକାଂଶ ସ୍ଥାନରେ ଖୋଲାଆକାଶ ତଳେ ଧାନ ବିକ୍ରି ହେଉଛି। ଏଣେ କିନ୍ତୁ ଧାନର ମାନ ଯାଞ୍ଚ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରେନ୍ ଆନାଲାଇଜର ଏବଂ ଧାନ ସଫା ପାଇଁ ପ୍ୟାଡି କ୍ଲିନର୍ ମେସିନ ଆଣିଛନ୍ତି। ଖାଦ୍ୟ ନୀତି ଅନୁଯାୟୀ ଧାନ ଆଣି ଚାଷୀ ଯଦି କ୍ରୟ କେନ୍ଦ୍ରଗୁଡ଼ିକରେ ଢାଳିଦେଲେ ତାହା କିଣାଯିବ ତ ବୋଲି ପ୍ରଶ୍ନ ଉଠିଛି। ଆବଶ୍ୟକ ଭିତ୍ତିଭୂମି ନଥିବା ବେଳେ ସମ୍ବଲପୁରରେ ଧାନ ସଂଗ୍ରହର ପ୍ରଥମ ଦିନରେ ଏହି ଦୁଇ ମେସିନକୁ ନେଇ ଚାଷୀ ସଙ୍ଗଠନ ଅସନ୍ତୋଷ ବ୍ୟକ୍ତ କରିଛି। ଅନ୍ୟପକ୍ଷରେ ଆଜି ପ୍ରଥମ ଦିନରେ ଜିଲ୍ଲାର ୭ ମଣ୍ଡି ଏବଂ କ୍ରୟକେନ୍ଦ୍ରକୁ ଆସିଥିବା ୪୧୯୮ ପ୍ୟାକେଟ୍ ଧାନ ସଂଗ୍ରହ ହୋଇଥିବା ନେଇ ସମ୍ବଲପୁର ନିୟନ୍ତ୍ରିତ ବଜାର କମିଟି ସଂପାଦକ ସରୋଜ ମେହେର ସୂଚନା ଦେଇଛନ୍ତି। ଚାଉଁରପୁରକୁ ଗୋଟିଏ ଗାଡ଼ିରେ ଆସିଥିବା ୬୦ କ୍ବିଣ୍ଟାଲ ଧାନ ବିକ୍ରି ନହୋଇ ପଡ଼ି ରହିଛି।
ଗ୍ରେନ୍ ଆନାଲାଇଜର୍ ଓ ପ୍ୟାଡି କ୍ଲିନର୍କୁ ନେଇ ଅସନ୍ତୋଷ
ଖଳାରେ ପଡ଼ିଛି ଧାନ, ବଢ଼ିଲା ଟୋକନ୍ ଚିନ୍ତା
ପ୍ରଥମ ଦିନ ସମ୍ବଲପୁରରେ ୪୧୯୮ ପ୍ୟାକେଟ୍ ସଂଗ୍ରହ
ସମ୍ବଲପୁର ଉପଖଣ୍ଡରେ ଥିବା ୫୫ ମଣ୍ଡି ଏବଂ କ୍ରୟକେନ୍ଦ୍ରରେ ଆଜି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଏଥିପାଇଁ ସବୁଠି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏବଂ ପୂଜାର୍ଚ୍ଚନା ହୋଇଥିଲା। ଟୋକନ୍ ଚିନ୍ତା ଅନେକ ଚାଷୀଙ୍କ ନିଦ ହଜାଇ ଦେଇଛି। ମାନେଶ୍ବର ବ୍ଲକ୍ ଜୟଘଣ୍ଟ ଚାଷୀ ପ୍ରଦୀପ ପାତ୍ର କହିଛନ୍ତି, ୫ ଏକରରୁ ଉତ୍ପାଦିତ ୧୫୦ ବସ୍ତା ଧାନ ପ୍ରସ୍ତୁତ ହୋଇ ଖଳାରେ ପଡ଼ିଛି। ଟୋକନ୍ ନଥିବାରୁ ମଣ୍ଡିକୁ ଧାନ ଅଣାଯାଇପାରିନାହିଁ। ପଞ୍ଜୀକରଣ ସମୟରେ ପ୍ରଥମ ପର୍ଯ୍ୟାୟରେ ଧାନ ବିକ୍ରି ପାଇଁ ତାରିଖ ଦେଇଥିଲେ ମଧ୍ୟ ତାଙ୍କୁ ମିଳିପାରିଲା ନାହିଁ। ଡିସେମ୍ବର ୩ ତାରିଖରେ ଧାନ ବିକ୍ରି ପାଇଁ ତାରିଖ ମିଳିଛି। ଏତେ ବସ୍ତା ଧାନ ଏତେ ଦିନ ଧରି ଖଳାରେ କେମିତି ସୁରକ୍ଷିତ ରହିବ ତାକୁ ନେଇ ସେ ଅନିଶ୍ଚିତତା ମଧ୍ୟରେ ଥିବା କହିଛନ୍ତି। ପ୍ରଦୀପଙ୍କ ଭଳି ସ୍ଥିତି କେବଳ ଉଦାହରଣ ମାତ୍ର, ଜିଲ୍ଲାର ଅନେକ ଚାଷୀଙ୍କ ଧାନ ଖଳାରେ ପଡ଼ିଥିଲେ ମଧ୍ୟ କାହାର ଟୋକନ୍ ଆସିନାହିଁ ତ ଆଉ କାହାର ଟୋକନ୍ ଆସିଥିଲେ ଧାନ ପ୍ରସ୍ତୁତ ହୋଇନାହିଁ। ପୂର୍ବ ଘୋଷଣା ଅନୁଯାୟୀ, ଆଜି ସକାଳ ୮ଟାରେ ଧାନ ସଂଗ୍ରହ ପାଇଁ ବରେଇପାଲି ଆର୍ଏମ୍ସି ଖୋଲିଥିଲା। କିନ୍ତୁ ଅନେକ ସମୟ ଧରି ଗ୍ରେନ୍ ଆନାଲାଇଜର ଏବଂ ପ୍ୟାଡି କ୍ଲିନର୍ ନେଇ ବୈଠକ ହୋଇଥିଲା।
ଏଥିପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ବେଳକୁ ବିଳମ୍ବିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସବୁ କିଛି ସୁରୁଖୁରୁରେ ସମ୍ପନ୍ନ ହୋଇଛି। ପ୍ରଥମ ଦିନରେ ବରେଇପାଲି ମଣ୍ଡିରେ ୧୪ ଜଣ ଚାଷୀଙ୍କ ୨୦୯୧ ପ୍ୟାକେଟ୍, ଚାରପାଲିରେ ୫ ଚାଷୀଙ୍କ ୬୫୧, ସିନ୍ଦୁରପଙ୍କରେ ୨ ଚାଷୀଙ୍କଠାରୁ ୩୬୬ ପ୍ୟାକେଟ୍, ତବଲାରେ ୨ ଚାଷୀଙ୍କ ୧୨୦ ପ୍ୟାକେଟ୍, ପରମାଣପୁରରେ ଜଣେ ଚାଷୀଙ୍କ ୧୫୦ ପ୍ୟାକେଟ୍, ଧମାରେ ୨ ଚାଷୀଙ୍କ ୩୨୭ ପ୍ୟାକେଟ୍, ଏମ୍. ଗୁଣ୍ଡେରପୁରରେ ୩ ଜଣ ଚାଷୀଙ୍କଠାରୁ ୪୯୩ ପ୍ୟାକେଟ୍ ଧାନ ସଂଗ୍ରହ ହୋଇଛି। ଗତ ଖରିଫରେ ପ୍ରଥମ ଦିନ ୯୯ ଚାଷୀଙ୍କଠାରୁ ୧୨ ହଜାର ୫୩୦ ପ୍ୟାକେଟ୍ ଧାନ ସଂଗ୍ରହ ହୋଇଥିଲା। ତେଣୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଥମ ଦିନରେ କମ୍ ଧାନ ସଂଗ୍ରହ ହୋଇଛି। ଆର୍ଏମ୍ସି ସଂପାଦକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଉପଖଣ୍ଡକୁ ଗୋଟିଏ ଆନାଲାଇଜର୍ ଏବଂ ୫ ପ୍ୟାଡି କ୍ଲିନର୍ ମେସିନ ଆସିଛି। ଆଜି ପ୍ରଥମ ଦିନରେ ଗ୍ରେନ୍ ଆନାଲାଇଜର ଏବଂ ପ୍ୟାଡି କ୍ଲିନର୍ର ଆବଶ୍ୟକତା ନଥିବାରୁ ଏହାର ଉପଯୋଗ ହୋଇ ନାହିଁ। ଆବଶ୍ୟକ ସ୍ଥଳେ ଆଗାମୀ ଦିନରେ ଏହାର ବ୍ୟବହାର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/23/02qSyUBynugyqKN6kRVt.jpg)