ବଡ଼ ବାତ୍ୟା ସତ୍ତ୍ବେ ରାଜ୍ୟରେ ଚାଉଳ ଉତ୍ପାଦନ ବଢ଼ିଛି

ଭୁବନେଶ୍ବର : ରାଜ୍ୟରେ ୧୦ ବର୍ଷ ମଧ୍ୟରେ ୫ଟି ବଡ଼ ବାତ୍ୟା ହୋଇଛି। ଏହାସତ୍ତ୍ବେ ଚାଉଳ ଉତ୍ପାଦନ ବଢି ଚାଲିଛି।

କେନ୍ଦ୍ରୀୟ ଚାଉଳ ଗବେଷଣା କେନ୍ଦ୍ରର ସୂଚନା ଅନୁସାରେ, ୧୦ ବର୍ଷ ପୂର୍ବରୁ ରାଜ୍ୟରେ ହେକ୍ଟର ପିଛା ହାରାହାରି ଚାଉଳ ଉତ୍ପାଦନ ୧.୬ ଟନ ଥିଲା। ବର୍ତ୍ତମାନ ୨.୩ରୁ ୨.୪ ଟନ ରହିଛି। ୨୦୨୫ ସୁଦ୍ଧା ୩ରୁ ୩.୫ ଟନର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଯୋଗୁଁ ଚାଉଳ ଉତ୍ପାଦନ ୮୮ ଲକ୍ଷ ମେଟ୍ରିକ ଟନରୁ ୮୦ ଲକ୍ଷ ମେଟ୍ରିକ ଟନ ହ୍ରାସ ପାଇବା ନେଇ ଆଶଙ୍କା ରହିଛି। ପ୍ରଫେସର ଦାସଙ୍କ ଅନୁସାରେ, ବିଭିନ୍ନ ପ୍ରକାର ପ୍ରତିକୂଳ ସ୍ଥିତି ସାମ୍ନା କରି ରାଜ୍ୟ ଚାଷୀ ଚାଷ କରି ଚାଲିଛନ୍ତି। ଏଥିମଧ୍ୟରେ ପ୍ରଥମତଃ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହାର ଅଭିବୃଦ୍ଧି ସ୍ଥିର ହୋଇ ପାରୁନାହିଁ। ଯାହା ସମଗ୍ର ରାଜ୍ୟକୁ ପ୍ରଭାବିତ କରିଛି। ବର୍ଷା ମଧ୍ୟ କେଉଁଠି ମାତ୍ରାଧିକ ରହୁଛି ତ କେଉଁଠି କମ। ଯେଉଁ ବର୍ଷ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ହୋଇ ନାହିଁ ସେ ବର୍ଷହିଁ କେବଳ ରେକର୍ଡ ଉତ୍ପାଦନ ହେଉଛି। ଦ୍ବିତୀୟତଃ ଏଠାରେ ବିହନ ପ୍ରତିବଦଳ ଯାହା ୪୦ରୁ ୫୦ ପ୍ରତିଶତ ରହିବା କଥା ତାହା ମାତ୍ର ୨୫ ପ୍ରତିଶତ ରହିଛି। ଅଧିକ ଅମଳକ୍ଷମ ବିହନ ବ୍ୟବହାର ହେଉନଥିବାରୁ ଉତ୍ପାଦନ ହୋଇପାରୁ ନାହିଁ।

Genetic Literacy Project

ତୃତୀୟତଃ ସୁଷମ ସାର ବଣ୍ଟନ ମଧ୍ୟ ଚାଷୀଙ୍କ ପାଇଁ ଚ୍ୟାଲେଞ୍ଜ। ଚାଉଳ ଉତ୍ପାଦନ ପାଇଁ ୮୦ କେଜି ନାଇଟ୍ରୋଜେନ ବା ୟୁରିଆ, ୪୦ କେଜି ସୁପର ଫସଫେଟ, ୪୦ କେଜି ପଟାସ ବ୍ୟବହାର କରାଯିବା ଉଚିତ। ନାଇଟ୍ରୋଜେନ ବା ୟୁରିଆରେ ହିଁ ରିହାତି ସହିତ ଦର କମ ଥିବାରୁ ଚାଷୀ କେବଳ ଏହାହିଁ ବ୍ୟବହାର କରେ। ଚଳିତ ବର୍ଷ ସୁପରଫସଫେଟ ଏବଂ ପଟାସ ସାର କେନ୍ଦ୍ର ସରକାର ଯୋଗାଣ କରିପାରି ନାହାନ୍ତି। ଏହା ଚାଷୀ ପାଇଁ ସଙ୍କଟ ସୃଷ୍ଟି କରୁଛି। ଏଥିସହିତ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇପାରୁ ନାହିଁ। ଖରିଫ ଋତୁରେ ଧାନର କୌଣସି ବିକଳ୍ପ ହିଁ ନାହିଁ। ଅନ୍ୟ ଯେକୌଣସି ଅଣଧାନ ଫସଲ ଚାଷ କଲେ ଏହା ସେତେ ଅମଳକ୍ଷମ ହେବନାହିଁ। ଏହାକୁ ଗୁରୁତ୍ବ ଦେବାରେ ଅସୁବିଧା ନାହିଁ। ଉପରୋକ୍ତ ସ୍ଥିତି ନଥିଲେ ଚାଉଳ ଉତ୍ପାଦନ ଆହୁରି ବୃଦ୍ଧି ପାଆନ୍ତା ବୋଲି ସେ କହିଛନ୍ତି।

କେନ୍ଦ୍ରୀୟ ଚାଉଳ ଗବେଷଣା କେନ୍ଦ୍ରର ଅବସରପ୍ରାପ୍ତ ନିର୍ଦେଶକ ପଦ୍ମିନୀ ସ୍ବାଇଁଙ୍କ ଅନୁସାରେ, କେନ୍ଦ୍ରୀୟ ଚାଉଳ ଗବେଷଣା କେନ୍ଦ୍ର ପକ୍ଷରୁ ୧୬୦ ପ୍ରକାର ବିହନ ତିଆରି କରାଯାଇଛି। ଏଥିରୁ ୫୦ ପ୍ରକାର ବିହନ ବର୍ତ୍ତମାନ ମଧ୍ୟ ଉପଯୋଗୀ। ଏହି ଗବେଷଣା କେନ୍ଦ୍ର ପ୍ରସ୍ତୁତ ବିହନକୁ ରାଜ୍ୟ ସରକାର ଯେତେ ବ୍ୟବହାର କରିପାରିବେ ଚାଷୀ ସେତେ ଉପକୃତ ହେବେ। ପ୍ରାକୃତିକ ବିପର୍ଯ୍ୟୟ ସହଣି ବିହନ ତିଆରି କରାଯାଉଛି। ଦେଶରେ ଚାଉଳ ହିଁ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ। କେନ୍ଦ୍ର ସରକାରଙ୍କ ଭିଟାମିନଯୁକ୍ତ ଚାଉଳ ଯୋଗାଣରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଅନ୍ୟଦିଗରେ, ଚାଉଳ ଉତ୍ପାଦନ ବଢୁଥିଲେ ମଧ୍ୟ ଚାଷୀର ଆୟ ବଢୁନାହିଁ। ବିକ୍ରି ବେଳେ ସମସ୍ୟାର ସମ୍ମୁଖୀନ ହେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ମିଳୁଥିବା ଇନପୁଟ୍‌ ସବ୍‌ସିଡି ନାମକୁ ମାତ୍ର ରହୁଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ତ ଅଧିକାଂଶଙ୍କୁ ମିଳୁନାହିଁ।

ସମ୍ବନ୍ଧିତ ଖବର