ବରଗଡ଼ : ଖରିଫ ଧାନକିଣା ସୁରୁଖୁରୁରେ ହେବ। ଚାଷୀ ହଇରାଣ ହେବେ‌ନି। ମିଲର୍ସଙ୍କ ମନମାନୀ ଚଳିବନି। ବ୍ୟବସ୍ଥିତ ଭାବେ ସବୁକିଛି ଚାଲିବ। ଏଭଳି ନାନାଦି ଆଲୋଚନା ହୋଇଥିଲା ଖରିଫ ଧାନକିଣା ପ୍ରସ୍ତୁତି ବୈଠକରେ। ହେଲେ ବାସ୍ତବରେ ଏସବୁ ପ୍ରସ୍ତୁତିର ଫସର ଫାଟି ଯାଇଛି। ମଣ୍ଡିରେ ଲକ୍ଷାଧିକ କ୍ବିଣ୍ଟାଲ ଧାନ ଖରାକାକରରେ ପଡ଼ି ରହିଛି। ମିଲର୍ସ ଧାନ ଉଠାଉ ନାହାନ୍ତି କି ଯୋଗାଣ ବିଭାଗ ନଜର ପକାଉ ନାହିଁ। କେବଳ ଫାଇଲ ଚାଷ ଭିତରେ ଧାନକିଣା ସୁରୁଖୁରୁରେ ଚାଲୁଥିବା ଦର୍ଶାଯାଉଛି।

Advertisment

ଗତ ମାସ ୯ ତାରିଖରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମ ଦୁଇ ସପ୍ତାହ ମଣ୍ଡି ସ୍ଥିତି ମାନ୍ଦା ରହିଥିଲା। ପରେ ଧାନ ପହଂଚିବା ଆରମ୍ଭ କରିଥିଲା। ଇତିମଧ୍ୟରେ ଏହି ପ୍ରକ୍ରିୟାକୁ ମାସେ ପୂରିଛି। କିନ୍ତୁ ଧାନ କିଣା ବ୍ୟବସ୍ଥିତ ଢଙ୍ଗରେ ଚାଲିନାହିଁ। ବୁଧବାର ସୁଦ୍ଧା ଜିଲ୍ଲାରେ ୮,୯୦,୯୫୨ ପାକେଟ୍ ଧାନ ମଣ୍ଡିଗୁଡ଼ିକରେ ପଡ଼ି ରହିଛି। ଯାହାର ପରିମାଣ ୩,୯୧,୨୨୩ କ୍ବିଣ୍ଟାଲ ହେବ। ସବୁ ମଣ୍ଡି ଏବଂ କ୍ରୟ କେନ୍ଦ୍ରରେ ଏଭଳି ଅଚଳାବସ୍ଥା ଲାଗି ରହିଛି। ଜିଲ୍ଲାରେ ମୋଟ୍‌ ୫୮ଟି ପେକ୍ସ ଏବଂ ୧୩ଟି ଏସ୍‌ଏଚ୍‌ଜି ଗୋଷ୍ଠୀ ଏବେ ଧାନ କିଣା କାରବାରରେ ସଂପୃକ୍ତ ଅଛନ୍ତି। ମୋଟ୍‌ ୧,୩୦,୯୭୯ ଜଣ ଚାଷୀ ଧାନ ବିକିବେ ବୋଲି ଚିହ୍ନଟ ହୋଇଛନ୍ତି। କିନ୍ତୁ ଏଯାଏଁ କେବଳ ୪୮୩୯୮ ଚାଷୀ ହିଁ ଧାନ ବିକିଛନ୍ତି। ବୁଧବାର ଯାଏ ଅତାବିରା ଆର୍‌ଏମ୍‌ସି ଅଧିନରେ ୧,୮୦,୦୦୨ ପାକେଟ୍‌, ବରଗଡ଼ ଆର୍‌ଏମ୍‌ସି ଅଧିନରେ ୫୬,୭୮୧ ଏବଂ ପଦ୍ମପୁର ଆର୍‌ଏମ୍‌ସି ଅଧିନରେ ସର୍ବାଧିକ ୬,୫୪,୧୬୯ ପାକେଟ୍‌ ଧାନ ପଡ଼ି ରହିଛି। ବୁଧବାର ଯାଏଁ ମୋଟ୍‌ ୨୨,୪୧,୯୩୬ ପାକେଟ୍‌ ଧାନ ବିକ୍ରି ପାଇଁ ଆସିଥିବା ବେଳେ ଏଥିରୁ ୮,୯୦,୯୫୨ ପାକେଟ୍‌ ପଡ଼ି ରହିଥିଲା। ଏସବୁ ଅବ୍ୟବସ୍ଥାରେ ମିଲର୍ସଙ୍କ ଭୂମିକା ରହିଛି। ମିଲର୍ସମାନେ ଟାର୍ଗେଟ ପୂରଣ ନକଲେ ସେମାନଙ୍କୁ କଳା ତାଲିକାଭୂକ୍ତ କରାଯିବା ନିୟମ ରହିଛି। କିନ୍ତୁ ଏଯାବତ୍‌ କୌଣସି ମିଲର୍ସ ଉପରେ ପ୍ରଶାସନ କିମ୍ବା ଯୋଗାଣ ବିଭାଗ ହାତ ମାରିନାହିଁ। ବରଂ ଏସବୁ ଚାଷୀଙ୍କୁ ଶୋଷିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି। ଧାନ ମଣ୍ଡିରେ ପଡ଼ି ରହିଲେ ଚାଷୀ ହତାଶ ହେବେ। ବାଧ୍ୟ ହୋଇ କମ୍ ମୂଲ୍ୟରେ ମିଲର୍ସଙ୍କୁ ଧାନ ଟେକିଦେବେ। ଏସବୁ ଚକ୍ରାନ୍ତ ଭିତରେ ଜିଲ୍ଲାର ଚାଷୀ ଫସି ରହିଛି।