ଧାନ ଗବେଷଣା କେନ୍ଦ୍ରର ବିଚିତ୍ର ଚିତ୍ର : ଖରିଫ ଧାନ ଚାଷ ସମୟରେ ବିଲରେ ଷଢ଼ୁଛି ରବି ପାଚିଲା

ଧାନ ଫାର୍ମ ମ୍ୟାନେଜର ଦାୟିତ୍ବରେ ମତ୍ସ୍ୟ ବିଶେଷଜ୍ଞ
ଫିଲ୍ଡ ଟେକ୍ନିସିଆନ୍‌ଙ୍କୁ ସୁରକ୍ଷା ଓ କ୍ୟାଣ୍ଟିନ୍‌ ଦାୟିତ୍ବ

କଟକ-ବିଦ୍ୟାଧରପୁର, (ସୁକାନ୍ତ ପଣ୍ଡା): ‘ଚାଷ ତରତର ବଣିଜ ମଠ…। ଏହି ଉକ୍ତିର ଯଥାର୍ଥତା ଏବେ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆର‌୍‌ଆର‌୍‌ଆଇ) ପାଇଁ ବଦଳି ଯାଇଛି। ଏବେ ଏଠାରେ ‘ଚାଷ ମଠ ନୀତି ବେଶି ଚାଲିଛି। ରବି ଯାଇ ଖରିଫ ଋତୁରେ ଚାଷୀମାନେ ଜମି ପାଗ କରି ଧାନ ବୁଣିଲେଣି। କିନ୍ତୁ ଏନ୍‌ଆର‌୍‌ଆର‌୍‌ଆଇରେ ଏକର ଏକର ଗବେଷଣା ପାଚିଲା ଧାନ କଟା ନଯାଇ ବର୍ଷାରେ ଷଢୁଛି। ଅଳ୍ପ କେତେକ ବିଲରୁ ଧାନ କଟା ସରିଥିଲେ ମଧ୍ୟ ବିଲକୁ ହଳ ଯାଇନଥିବା ଜଣାପଡ଼ିଛି।

ଏହି କେନ୍ଦ୍ରରେ ୯୦ ଜଣ ବୈଜ୍ଞାନିକ, ୩୫୦ କର୍ମଚାରୀ, ୨୫୦ ଠିକା କୃଷି ଶ୍ରମିକ କାର୍ଯ୍ୟ କରୁଛନ୍ତି। ଟ୍ରାକ୍ଟର ଓ ୩୫ଟି ପାଵାର ଟିଲର କିଣାଯାଇଥିଲାବେଳେ ଏଗୁଡ଼ିକ ଖରାବର୍ଷାରେ ପଡ଼ିରହିଛି। ହଳ ପାଇଁ ହରିଆଣା ବଳଦ ଓ ସେଥିପାଇଁ ଲୋକ ନିଯୁକ୍ତି କରାଯାଇଛି। କିନ୍ତୁ ସବୁ ସୁବିଧାଥିବା ସତ୍ତ୍ବେ ଗବେଷଣା ପାଚିଲା ଧାନ ନଷ୍ଟ ହେବାରେ ଲାଗିଛି। ୭୦ ଏକରରୁ ଅଧିକ ଜମି ଚାଷ ହୋଇନପାରିବାରୁ ଜଙ୍ଗଲ ମାଡ଼ିଗଲାଣି। ଏପରିକି ଏଠାରୁ ସରିସୃପ ବାହାରୁଥିବା ଶ୍ରମିକ ସ˚ଘର ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ ଉଭୟ କେନ୍ଦ୍ର ଓ ରାଜ୍ୟ ଶ୍ରମମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି।

Getty Images

ଅନ୍ୟପକ୍ଷରେ ଫାର୍ମ ମ୍ୟାନେଜର ଭାବେ ଜଣେ ମତ୍ସ୍ୟ ଚାଷ ବିଶେଷଜ୍ଞଙ୍କୁ ଧାନ ଚାଷ ଦାୟିତ୍ବରେ ୨୦୧୨ ମସିହାରୁ ଦାୟିତ୍ବ ଦିଆଯାଇଛି। ଏନ୍‌ଆର‌୍‌ଆର‌୍‌ଆଇର ମୁଖ୍ୟ ଅଙ୍ଗ ହେଉଛି ଫାର୍ମ ଡିଭିଜନ। ଏହା ଅଧିନରେ ପାଖାପାଖି ୧୦୦ ଏକର ଜମି ସହ ଟ୍ରାକ୍ଟର, ଶ୍ରମିକ, ବିହନ ଇତ୍ୟାଦି ରହିଥାଏ। ବୈଜ୍ଞାନିକମାନେ ଉଦ୍ଭାବନ କରୁଥିବା ଧାନ ବିହନକୁ ଫାର୍ମ ଡିଭିଜନ ଚାଷୀଙ୍କୁ ବିକିବା ଓ ବଳକା ଧାନକୁ କର୍ମଚାରୀଙ୍କୁ ବିକ୍ରି କରାଯାଉଥିଲା। କିନ୍ତୁ ଏବେ ଫାର୍ମ ଡିଭିଜନ କୋମା ସ୍ଥିତିକୁ ଆସିଯାଇଛି। ଦାୟିତ୍ବରେ ଥିବା ଅଧିକାରୀ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ, ତାଙ୍କୁ ଅନୁଗୁଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ମତ୍ସ୍ୟ ବିଶେଷଜ୍ଞ ଭାବେ ନିଯୁକ୍ତି ମିଳିଥିଲା। ଏହି କୃଷି ବିଜ୍ଞାନ କେନ୍ଦ୍ରକୁ ରାଜ୍ୟ ସରକାର ନିଜ ଅଧିନକୁ ନେଲାରୁ ତାଙ୍କୁ ଏଠାରେ ଧାନଚାଷ ଦାୟିତ୍ବ ଦିଆଯାଇଛି। ତେଣୁ ଫାର୍ମ ମ୍ୟାନେଜର ତାଲିକାରେ ଜାଣିଶୁଣି ତାଙ୍କ ଯୋଗ୍ୟତା ସ˚ପର୍କରେ ଲେଖି ନାହାନ୍ତି। ଏପରିକି ଧାନଚାଷ ବିଷୟରେ ପଚାରିଲେ ଅନ୍ୟ ବୈଜ୍ଞାନିକଙ୍କ ଉପରେ ନିର୍ଭର କରିବାକୁ ପଡୁଥିବା ସେ ସ୍ବୀକାର କରିଛନ୍ତି।

ସେହିପରି ଫିଲ୍ଡ ଟେକ୍ନିସିଆନ୍‌ ବୈଜ୍ଞାନିକଙ୍କ ଅନ୍ୟତମ ପ୍ରମୁଖ ସହଯୋଗୀ ବୋଲି କୁହାଯାଇପାରେ। ଗବେଷଣା ହେଉଥିବା ଧାନ ରୁଆଠାରୁ କଟାହେବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏହି ଫିଲ୍ଡ ଟେକ୍ନିସିଆନ୍‌ମାନେ ବୈଜ୍ଞାନିକଙ୍କୁ ଦିଅନ୍ତି। କିନ୍ତୁ ଏଠି ଫିଲ୍ଡ ଟେକ୍ନିସିଆନ୍‌ ଏସ୍‌.ଆର‌୍‌. ପାଲ୍‌ ଏବେ ସୁରକ୍ଷା ଅଧିକାରୀ ଏବ˚ ମେଡିକାଲ୍‌ରେ ବିଦ୍ୟୁତ ବିଲ୍‌ କରିବା ଓ କ୍ୟାଣ୍ଟିନ୍‌ ଦାୟିତ୍ବରେ ଅଛନ୍ତି। ଏବେ ଯେଉଁ ବିଲରେ ଧାନ ପଚି ନଷ୍ଟ ହେଉଛି, ତାହାର ତଥ୍ୟ କିଏ ରଖିଛି ବୋଲି ପ୍ରଶ୍ନ ଉଠୁଛି। ଗତ ୧୧ ତାରିଖରେ ଏନ୍‌ଆର‌୍‌ଆର‌୍‌ଆଇ କର୍ମଚାରୀ ସ˚ଘ ସ˚ପୃକ୍ତ ଅଧିକାରୀଙ୍କୁ ଏହି ଦାୟିତ୍ବରୁ ଅଲଗା କରିବା ପାଇଁ ନିର୍ଦ୍ଦେଶକଙ୍କ ନିକଟରେ ଦାବି କରିଥିଲେ। ତେବେ ନିର୍ଦ୍ଦେଶକ ଡକ୍ଟର ଦୀପଙ୍କର ମାଇତି କହିଛନ୍ତି ଯେ, ଫାର୍ମ ମ୍ୟାନେଜରଙ୍କୁ ଧାନ ବିଷୟରେ ତାଲିମ ଦିଆସରିଛି। ଫିଲ୍ଡ ଟେକ୍ନିସିଆନ୍‌ଙ୍କୁ ବର୍ତ୍ତମାନ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପାଖାପାଖି ୭୦ ଏକର ଜମି ପଡ଼ିଆ ପଡ଼ିଥିବାରୁ ସେଗୁଡିକ ତଳିଆ ଅଞ୍ଚଳ ଓ ସେଠାରେ ଚଳିତ ବର୍ଷଠାରୁ ଚାଷ କରିବୁ ବୋଲି ଶ୍ରୀମାଇତି କହିଛନ୍ତି।

ସମ୍ବନ୍ଧିତ ଖବର