ଧାନକିଣା କେଳେଙ୍କାରୀର ପର୍ଦ୍ଦାଫାସ: ୫ପ୍ୟାକ୍ସ, ଏସଏଚ୍‌ଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ତଦନ୍ତ ବେଳେ ମଣ୍ଡିରୁ ୧୦ହଜାର ୮୮ କୁଇଣ୍ଟାଲ୍ ଧାନ ଉଭାନ୍

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଖାଲି କାଗଜପତ୍ରରେ ଧାନ କିଣା ହେଉଛି। ମଣ୍ଡିକୁ କୌଣସି ଧାନ ନଆସି ମିଲରଙ୍କ ସହଯୋଗରେ କେବଳ କାଗଜପତ୍ର ପ୍ରସ୍ତୁତ କରି ଅସାଧୁମେଣ୍ଟ ମାଲାମାଲ ହେଉଛନ୍ତି। ‘ସମ୍ବାଦ’ରେ ଏ ସଂପର୍କରେ ଲଗାତାର ତଥ୍ୟଭିତ୍ତିକ ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ ହୋଇଥିଲା। ଆଉ ତଦନ୍ତରୁ ଯାଜପୁର ଜିଲ୍ଲାରେ ଧାନ କିଣାବିକା କେଳେଙ୍କାରୀର ପର୍ଦ୍ଦାଫାସ ହୋଇଛି। ଜିଲ୍ଲାର ୫ଟି ପ୍ୟାକ୍ସ ଓ ଗୋଟିଏ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି।

ତଦନ୍ତ ସମୟରେ ଏହି ମଣ୍ଡିଗୁଡ଼ିକରେ ୧୦ହଜାର ୮୮ କୁଇଣ୍ଟାଲ ୮୬କେଜି ଧାନ ମହଜୁଦ୍‌ ନଥିବା ଧରାପଡିଥିଲା। ତେଣୁ ୧୫ଦିନ ମଧ୍ୟରେ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ସମବାୟ ସମିତି ନିବନ୍ଧକ (ଆରସିଏସ ) ପତ୍ରସଂଖ୍ୟା-୮୩୨୭ / ତା୧୩ /୦୬/୨୦୨୨ ରେ ଯାଜପୁର ମଣ୍ଡଳ ସହକାରୀ ନିବନ୍ଧକ (ଏଆରସିଏସ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୨୦୨୧-୨୨ ଧାନ କିଣା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ସହିତ ହୋଇଥିବା ଚୁକ୍ତି ଖିଲାପ ଓ କାର୍ଯ୍ୟରେ ଅବହେଳା ପାଇଁ ଧାନକିଣା ଦାୟିତ୍ଵରେ ଥିବା ସମବାୟ ସମିତି ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଧାନ କିଣୁଥିବା ସମବାୟ ସମିତି ଓ ଏସଏଚ୍‌ଜିମାନେ ଦଲାଲଙ୍କ ଜରିଆରେ ଚାଷୀଙ୍କୁ ଶୋଷଣ କରିଆସୁଛନ୍ତି।

ଏ ସମ୍ପର୍କରେ ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶନ ସତ୍ତ୍ବେ ଜିଲ୍ଲାସ୍ତରରେ ଅଙ୍କୁଶ ଲଗାଯାଉନାହିଁ। ତେବେ ଗତ ୩ ମାର୍ଚ୍ଚ ୨୦୨୨ରେ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶରେ ରାଜ୍ୟ ତଦନ୍ତକାରୀ ଦଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ମଣ୍ଡଳ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ(ଏଆରସିଏସ) ପ୍ରମୁଖ ଜିଲ୍ଲାର ଧାନକିଣା ସମ୍ପର୍କରେ ତଦନ୍ତ କରିଥିଲେ । ତଦନ୍ତକାରୀ ଦଳ ମଣ୍ଡିଗୁଡିକରେ ଧାନକିଣାରେ ବ୍ୟାପକ ଅନିୟମିତତା ଦେଖିବାକୁ ପାଇଲେ। କେବଳ କାଗଜପତ୍ରରେ ଧାନକିଣି ଦଲାଲଙ୍କ ଜରିଆରେ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ହଡ଼ପ ହେଉଥିବା ତଦନ୍ତରେ ପଦାକୁ ଆସିଥିଲା। ମଣ୍ଡିରେ ଧାନକିଣା ନାମରେ ଚାଷୀଙ୍କୁ କିଭଳି ଶୋଷଣ କରାଯାଉଛି ଏବଂ ଅସାଧୁମେଣ୍ଟ କିଭଳି ମାଲାମାଲ ହେଉଛନ୍ତି ତାହା ମଧ୍ୟ ଜଣାପଡ଼ିଥିଲା। ତଦନ୍ତ ଆଧାରରେ ୫ଟି ପ୍ୟାକ୍ସ ଓ ଗୋଟିଏ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିବାବେଳେ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର