କେନ୍ଦୁଝର ଚାଉଳ ଦୁର୍ନୀତି; ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ଯୁଗ୍ମ ସଚିବଙ୍କ ଚିଠିକୁ ଚାପିଦେଲେ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଟାଙ୍ଗିରିଆପାଳ ଓ ରାସୋଳ ପଞ୍ଚାୟତରେ ହୋଇଥିବା ଚାଉଳ ଯୋଗାଣ ଅନିୟମିତତାରେ ଯୋଗାଣ ବିଭାଗର ଯୁଗ୍ମ ସଚିବ ଗତ ଜାନୁଆରି ମାସ ୧୩ ତାରିଖରେ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ପ୍ରୋସିକ୍ୟୁସନ ରିପୋର୍ଟ କରିବା ସହ ତତ୍‌କାଳ ସିଏସ୍‌ଓ ଏବଂ ଏସିଏସ୍‌ଓଙ୍କୁ କାରଣଦର୍ଶାଅ ନୋଟିସ ପାଇଁ ଉଲ୍ଲେଖ କରିଥିଲେ। ମାତ୍ର ଏଯାବତ୍‌ ଏହି ଚିଠି ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ହରିଚନ୍ଦନପୁର ବ୍ଲକର ଟାଙ୍ଗିରିଆପାଳ ଓ ରାସୋଳ ପଞ୍ଚାୟତ ଚାଉଳ ଯୋଗାଣରେ ଅନିୟମିତତା ଅଭିଯୋଗ ପରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ରିପୋର୍ଟ ଓ ଏହି ଅନିୟମିତତା ସହିତ ଯୋଗାଣ ବିଭାଗ କର୍ମଚାରୀଙ୍କ ସନ୍ଦେହଜନକ ଭୂମିକାକୁ ନେଇ ତତ୍‌କାଳୀନ ସିଏସ୍‌ଓ ଖୋଦ୍‌ କମିସନରଙ୍କୁ ଚିଠିରେ ଜଣାଇଥିଲେ। ଏହାପରେ ଯୋଗାଣ ବିଭାଗର ଯୁଗ୍ମ ସଚିବ ୧୩.୧.୨୦୨୦ ତାରିଖରେ ଚିଠି ନଂ-୯୯୧ରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଏକ ଚିଠି କରିଥିଲେ। ଏଥିରେ ‌ଉଲ୍ଲେଖ‌ ଥିଲା ଯେ ୨୦୧୯ ଅଗଷ୍ଟ ୨୩ ତାରିଖରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରାସୋଳ ଓ ଟାଙ୍ଗିରିଆପାଳ ପଞ୍ଚାୟତରେ ତଦନ୍ତ କରିବା ସମୟରେ ଶ୍ୟାମସୁନ୍ଦର ରାଇସ ମିଲର ଟ୍ୟାଗ୍‌ ଥିବା ଯଥାକ୍ରମେ ୫୧୦ କୁଇଣ୍ଟାଲ ଓ ୪୧୪ କୁଇଣ୍ଟାଲ ଚାଉଳ ଜବତ କରିଥିଲେ। ଏହି ମାମଲାରେ ସ୍କ୍ବାଡ୍‌ ଯେଭଳି ଭାବେ ତୁରନ୍ତ ଶ୍ୟାମସୁନ୍ଦର ରାଇସ ମିଲ‌ ଉପରେ ତତ୍‌କାଳ ଚଢ଼ଉ କରି ତଦନ୍ତ କରିବା କଥା ତାହା କରାଯାଇନାହିଁ। ଏମିତିକି ୨୩.୮.୨୦୧୯ ରେ ଚାଉଳ ଜବତ ହୋଇଥିଲେ ବି ଶ୍ୟାମସୁନ୍ଦର ରାଇସ ମିଲ୍‌ରେ ୧୦.୯.୨୦୧୯ ରେ ସ୍କ୍ବାଡ୍‌ ତଦନ୍ତ କରିଥିଲେ। ଏ ଘଟଣାରେ ସ୍କ୍ବାଡ୍‌ର କାର୍ଯ୍ୟକଳାପ ସନ୍ଦେହଘେରକୁ ଆସୁଛି। ତେଣୁ ତୁରନ୍ତ ଏ ଦିଗରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଅଧିକାରୀ ତଥା ତଦନ୍ତ ଅଧିକାରୀ ଯଶୋଦା ସିଂହ ଏହି ମାମଲାରେ ପ୍ରସିକ୍ୟୁସନ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେବାକୁ ଉଲ୍ଲେଖ ଥିଲା। ଖାଲି ସେତିକି ନୁହେଁ, ସଂପୃକ୍ତ ରାଇସ୍‌ ମିଲ୍‌, ପଞ୍ଚାୟତ ନିର୍ବାହୀ ଅଧିକାରୀ, ରାଇସ୍‌ ରିସିଭିଙ୍ଗ ସେଣ୍ଟରର ସଂଗ୍ରହକାରୀ ଇନ୍‌ସପେକ୍ଟର, ପରିବହନ ଠିକାଦାରଙ୍କର ଏହି ମଧୁଚନ୍ଦ୍ରିକା ସଂପର୍କରେ ଫାଇନାଲ ରିପୋର୍ଟ କରିବାକୁ ତଦନ୍ତକାରୀ ଅଧିକାରୀ ଯଶୋଦା ସିଂହଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଲ୍ଲେଖ‌ ଥିଲା। ସେହିପରି ତତ୍‌କାଳୀନ ସିଏସ୍‌ଓ ଏବଂ ଏସିଏସ୍‌ଓଙ୍କୁ ମଧ୍ୟ ଏଥିନେଇ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଉଲ୍ଲେଖ ରହିଥିଲା। ଏତେ ସବୁ ସତ୍ତ୍ବେ ଏହି ଚିଠି କୌଣସି ଫାଇଲ ଭିତରେ ଚପିଗଲା। ଯେଉଁଥିପାଇଁ ଆଜିଯାଏ ଏହି ଅନିୟମିତା ଘଟଣାର କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଏ ସଂପର୍କରେ ଆମେ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ପଚାରିଥିଲୁ। ସେ କହିଥିଲେ, ଏହି ଘଟଣା ସଂପର୍କରେ ମୁଁ ଅବଗତ ଅଛି। ଏଥିନେଇ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ହରିଚନ୍ଦନପୁର ବ୍ଲକର ଟାଙ୍ଗିରିଆପାଳ ଓ ରାସୋଳ ପଞ୍ଚାୟତରେ ଚାଉଳ ଯୋଗାଣ ଅନିୟମିତତା ହୋଇଥିଲା। ନିୟମ ମୁତାବକ ଶ୍ୟାମସୁନ୍ଦର ରାଇସ ମିଲ୍‌ ପକ୍ଷରୁ ‌ଯେଉଁ ଚାଉଳ ଯୋଗାଣ ବିଭାଗକୁ ଯୋଗାଇ ଦିଆଯାଏ, ତାହା ପ୍ରଥମେ ମଣ୍ଡୁଆଠାରେ ଥିବା ରାଇସ୍‌ ରିସିଭିଙ୍ଗ ସେଣ୍ଟରକୁ ଆସିଥାଏ। ଏହାପରେ ଏଠାରୁ ଆବଶ୍ୟକ କାଗଜପତ୍ର ଓ ଅଧିକାରୀଙ୍କ ନିରୀକ୍ଷଣ ତଥା ଦସ୍ତଖତ ପରେ ତାହା ପୁଣି ପିଡିଏସ୍‌ ଚାଉଳ ଭାବେ ରାସୋଳ ଓ ଟାଙ୍ଗିରିଆପାଳ ପଞ୍ଚାୟତକୁ ଯାଇଥାଏ। ୨୦୧୯ ଅଗଷ୍ଟ ୨୩ ତାରିଖରେ ଶ୍ୟାମସୁନ୍ଦର ରାଇସ ମିଲ୍‌ରୁ ୧୦୧୦ ବସ୍ତାରେ ଥିବା ୫୦୫ କୁଇଣ୍ଟାଲ ଚାଉଳ ମଣ୍ଡୁଆସ୍ଥିତ ଗୋଦାମକୁ ପ୍ରଥମେ ନ ଆସି ତାହା ହରିଚନ୍ଦନପୁର ବ୍ଲକର ରାସୋଳ ପଞ୍ଚାୟତକୁ ଏବଂ ସେହିଦିନ ୮୨୮ ବସ୍ତାରେ ୪୧୪ କୁଇଣ୍ଟାଲ ଚାଉଳ ଟାଙ୍ଗିରିଆପାଳ ପଞ୍ଚାୟତକୁ ଯାଇିଥଲା। ଯାହାକୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଜବତ କରିଥିଲା।

ସମ୍ବନ୍ଧିତ ଖବର