ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ବର୍ଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟକୁ ପ୍ରଭାବିତ କରିଥିବା ବେଳେ ଅମଳ ସମୟରେ ବାତ୍ୟା ଓ ବର୍ଷା ଫସଲ ଉଜାଡ଼ିଦେଲା। ତଥାପି କଷ୍ଟେମଷ୍ଟେ ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଧାନ ଅମଳ କରିଥିବା ବେଳେ ଏହାର ସଂରକ୍ଷଣ ଚିନ୍ତା ଘାରିବାରେ ଲାଗିଛି। ଠିକ୍ ଏମିତି ସମୟରେ ଚଳିତବର୍ଷ ସରକାରଙ୍କ ବିଳମ୍ବିତ ଧାନକିଣା ହେତୁ ଚାଷୀ ଅମଳ ଧାନକୁ କମ୍ ମୂଲ୍ୟରେ ଆନ୍ଧ୍ର ବେପାରୀ ହାତକୁ ଶାଗମାଛ ଦରରେ ଟେକିଦେବାକୁ ବାଧ୍ୟ ହେଉଛି। ଦିଗପହଣ୍ଡି ବ୍ଲକ୍ ଓ ଉପଖଣ୍ଡ ଅଞ୍ଚଳରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରତିଦିନ ଆନ୍ଧ୍ରପ୍ରଦେଶର ଟ୍ରକ୍ ଲାଗୁଥିବା ବେଳେ ଧାନ ବସ୍ତା ଲୋଡ଼୍ ହୋଇ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଆଉ ଏଭଳି ପରିସ୍ଥିତିରେ ବ୍ଲକ୍ କୃଷି ବିଭାଗ କେବଳ ନିରବଦ୍ରଷ୍ଟା ସାଜିଛି। ସ୍ଥିତି ଏମିତି ହୋଇଛି ଯେ, ଚାଷୀ ମୁଖ୍ୟରାସ୍ତାକୁ ଧାନବସ୍ତା ଆଣି ଆନ୍ଧ୍ର ବେପାରୀଙ୍କ ହାତକୁ ଟେକିଦେଉଛନ୍ତି।
ଗତବର୍ଷ ଡିସେମ୍ବର ୧୬ରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ତାହା ୨୯ ତାରିଖରୁ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଚାଷୀ ବର୍ତ୍ତମାନ ଅଡ଼ୁଆରେ ପଡ଼ିଛି। କାରଣ ଖଳାରେ ସହସ୍ରାଧିକ କ୍ବିଣ୍ଟାଲ୍ ଧାନ ପଡ଼ିରହିଥିବା ବେଳେ ଖୋଲାଆକାଶ ତଳେ ଶୀତକାକରରେ ଚାଷୀ ଏହାକୁ ଜଗି ରହୁଛି। ଗତମାସରେ ଲଗାଣ ବର୍ଷା ଓ ପରେ ଚଳିତମାସରେ ବାତ୍ୟା ‘ଜୱାଦ୍ ସମୟରେ ଫସଲକୁ ଚାଷୀ ସୁରକ୍ଷା ଦେଇ ଅମଳ କରିଥିଲେ। କିନ୍ତୁ ବର୍ତ୍ତମାନ ଆବଶ୍ୟକ ସ୍ଥାନ ଅଭାବରୁ ବହୁଦିନ ଧରି ଧାନ ପାଖରେ ରଖିବା ଚାଷୀ ପକ୍ଷେ ଅସମ୍ଭବ ପାଲଟିଛି। କେଉଁଠି ଘର ବାରଣ୍ଡା ତ, ଆଉ କେଉଁଠି ଖଳାରେ ଧାନ ଗଚ୍ଛିତ ହୋଇ ରହିଛି। ଆଉ ଏଭଳି ପରିସ୍ଥିତିରେ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଘାରିବାରେ ଲାଗିଛି। ଫଳରେ ବ୍ଲକ୍ର ବିଭିନ୍ନ ଗ୍ରାମର ଚାଷୀମାନେ ଆଦାୟ ଧାନକୁ ଆନ୍ଧ୍ରପ୍ରଦେଶ ବେପାରୀଙ୍କୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଦୈନନ୍ଦିନ ଶତାଧିକ ଟ୍ରକ୍ରେ ଧାନ ଚିକିଟି ଦେଇ ଆନ୍ଧ୍ରକୁ ଚାଲାଣ ହେବା ଆରମ୍ଭ ହୋଇସାରିଛି। କାରଣ ଗୋଟିଏପଟେ ମଣ୍ଡି ଖୋଲାଯାଇ ନଥିବା ବେଳେ ଅନ୍ୟପଟେ ରଖିବାକୁ ସ୍ଥାନ ଅଭାବ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତବର୍ଷ ଯୋଗାଣ ବିଭାଗ ଦିଗପହଣ୍ଡି ବ୍ଲକ୍ର ବିଭିନ୍ନ ମଣ୍ଡିରୁ ୨ ଲକ୍ଷ ୮୨ ହଜାର ୯୧୩ କ୍ବିଣ୍ଟାଲ୍ ଧାନ କିଣିଥିଲା। ଚଳିତ ବର୍ଷ ୧୭ ଜଣ ମିଲର୍ ଓ ଦୁଇ ସ୍ବୟଂ ସହାୟିକା ଗୋଷ୍ଠୀ ମଣ୍ଡିରୁ ଧାନ କିଣିବାକୁ ଚୁକ୍ତି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/564h654sf65h4fsh65fhfshfshffh.jpg)