ଧାନ ଚୋରା ଚାଲାଣ : ଟିକସ ଫା‌ଙ୍କୁଛନ୍ତି ଦଲାଲ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଧାନ ବେପାରୀମାନେ ସରକାରଙ୍କୁ ଟିକସ ଫାଙ୍କୁଛନ୍ତି। ବିନା  ଲାଇସେନସରେ ଧାନ କିଣାବିକା କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହି ବେପାରୀମାନେ କୁଇଣ୍ଟାଲ କୁଇଣ୍ଟାଲ ଧାନ ଚୋରା ଚାଲାଣ କରୁଛନ୍ତି। ଏ ବାବଦରେ ସରକାରଙ୍କୁ ଟଙ୍କାଟିଏ ମଧ୍ୟ ରାଜସ୍ବ ଦେଉନାହାନ୍ତି। ଧାନର କଳାବଜାର ଯୋଗୁଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଟିକସ ହରାଉଥିବା ବେଳେ ଜିଲ୍ଲାର ହଜାର ହଜାର ଚାଷୀ ଅଭାବୀ ଧାନ  ବିକ୍ରିର ଶିକାର ହେଉଛନ୍ତି। ସରକାର ଏ ଦିଗରେ ଦଲାଲଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସରକାରୀ ଧାନ ସଂଗ୍ରହ ମନ୍ଥରତା ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ ସେମାନଙ୍କର ଧାନକୁ ମଣ୍ଡିରେ ବିକ୍ରି କରି ନପାରି ଦଲାଲଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବଧ୍ୟ ହେଉଛନ୍ତି। ଯାହାର ଫାଇଦା  ନେଉଛନ୍ତି ପଡୋଶୀ ରାଜ୍ୟର ଧାନ ଦଲାଲ। ଦଲାଲମାନେ ଏଜେଣ୍ଟଙ୍କ ଜରିଆରେ ଗାଁ ଗାଁରେ ବୁଲି ଚାଷୀଙ୍କଠାରୁ କମ୍ ମୂଲ୍ୟରେ ଧାନ କିଣି ଟ୍ରକ୍  ଟ୍ରକ୍ ଧାନ ବାହାରକୁ ଚୋରା ଚାଲାଣ କରୁଛନ୍ତି।

ଆରଏମସିକୁ ଗତ ବର୍ଷ ମିଳିଥିଲା ୨ କୋଟି

ଚଳିତବର୍ଷ ଟଙ୍କାଟିଏ ହେଲେ ମିଳିନାହିଁ

ଦଲାଲମାନେ ଜିଲ୍ଲାରୁ  ପ୍ରାୟ ୧୦ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ବାହାର ରାଜ୍ୟକୁ ଚୋରା ଚାଲାଣ କରି ମାଲେମାଲ ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ଭାବେ କୁଇଣ୍ଟାଲ ପିଛା ଧାନର ମୂଲ୍ୟ ୧୯୪୦ ଟଙ୍କା ହିସାବରେ ଏହି ଧାନର ମୂଲ୍ୟ  ଦୁଇ ଶହ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ଭଦ୍ରକ ଜିଲ୍ଳାରେ ବିଳମ୍ବିତ ଧାନ ସଂଗ୍ରହ ଯୋଗୁଁ  ଜିଲ୍ଲାରେ ସରକାରୀ ମଣ୍ଡି ଖୋଲିବାର ମାସକ ଆଗରୁ ପଡୋଶୀ ଜିଲ୍ଲାର ଧାନ ବେପାରୀ ଚାଷୀଙ୍କଠାରୁ କମ୍ ମୂଲ୍ୟରେ ଧାନ କିଣି ବାହାର ରାଜ୍ୟକୁ ପଠାଇଥିଲେ। ସରକାରୀ ଭାବେ  ଧାନ କିଣାର ସମୟ ସୀମା ଦୁଇ ମାସ ବିତିବାକୁ ଯାଉଥିବା ବେଳେ ଯୋଗାଣ ବିଭାଗ ଜିଲ୍ଲାର  ୭୯ ହଜାର ୧୮୨ ଜଣ ପଂଜିକୃତ ଚାଷୀଙ୍କଠାରୁ ଧାନ କିଣିବାକୁ  ଥିବାବେଳେ  ଏବେ ସୁଦ୍ଧା ମାତ୍ର ୪୫ ପ୍ରତିଶତ ଚାଷୀଙ୍କଠାରୁ ଧାନ କିଣାଯାଇଛି। ଜିଲ୍ଲାରେ ଆହୁରି ୫୫ ପ୍ରତିଶତ ଚାଷୀଙ୍କଠାରୁ ସରକାରୀ ଭାବେ ଧାନ କିଣାଯାଇ ପାରିନାହିଁ। ତେଣୁ ଚାଷୀ ତା’ର ଧାନକୁ  ଦଲାଲ ହାତରେ ଟେକି ଦେବାକୁ ବାଧ୍ୟ ହୋଇଛି।

ଧାନ କିଣାବିକା କ୍ଷେତ୍ରରେ ସରକାର ଆରଏମ୍‌ସିଙ୍କ ଜରିଆରେ ୨ ପ୍ରତିଶତ କରି  ଟିକସ ସଂଗ୍ରହ କରିଥାନ୍ତି। ଯୋଗାଣ ନିଗମ ଜରିଆରେ ସଂଗୃହୀତ ଧାନରୁ ଆରଏମସି ସିଧାସଳଖ ଟିକସ ସଂଗ୍ରହ କରୁଥିବା ବେଳେ ବାହାର ରାଜ୍ୟକୁ ଯାଉଥିବା ଧାନକୁ ତନଖି ଫାଟକ ନଚେତ ଭ୍ରାମ୍ୟମାଣ ଟିକସ ଆଦାୟକାରୀଙ୍କ ଜରିଆରେ ଟିକସ ସଂଗ୍ରହ କରିଥାନ୍ତି। ଜିଏସଟି  ନିୟମ କାର୍ଯ୍ୟକାରୀ ହେବା ପରେ ତନଖି ଫାଟକଗୁଡିକୁ ଉଠାଇ ଦିଆଯାଇଥିଲେ ମଧ୍ୟ ଆରଏମସି ଭ୍ରାମ୍ୟମାଣ ଟିକସ  ଆଦାୟକାରୀଙ୍କ ଜରିଆରେ ଏଜେଣ୍ଟ ପଏଣ୍ଟରୁ ବାହାର ଗାଡିରୁ ଟିକସ ସଂଗ୍ରହ କରିବା କଥା।  ଚଳିତ ବର୍ଷ ଏଭଳି ଟିକସ ଜିଲ୍ଲାରୁ ଆଦାୟ ହୋଇନାହିଁ। ଟିକସ ଆଦାୟକାରୀଙ୍କ ଜାଣତରେ ଜିଲ୍ଲାରୁ ଦଲାଲମାନେ ବିନା ଟିକସରେ ଟ୍ରକ ଟ୍ରକ ଧାନ ଚାଲାଣ କରୁଛନ୍ତି। ଆରଏମସି ଏହି ଟିକସ୍ ଆଦାୟ କରିଥିଲେ ପ୍ରାୟ ୪ କୋଟି ଟିକସ ଆଦାୟ କରି ପାରିଥାନ୍ତା। ଗତବର୍ଷ ଗେଟ୍ ଉଚ୍ଛେଦ କରାଯାଇଥିବା ବେଳେ ଭଦ୍ରକ ଆରଏମସିକୁ ଏ ବାବଦକୁ ପ୍ରାୟ ଏକ କୋଟି ଟଙ୍କା ଓ ପୂର୍ବ ବର୍ଷ ୨ କୋଟି ଟଙ୍କାର ଟିକସ ମିଳିଥିଲା। ଚଳିତବର୍ଷ ଭଦ୍ରକ ଆରଏମସିକୁ ଧାନ ବାବଦରେ ଟଙ୍କାଟିଏ ମଧ୍ୟ ଟିକସ ମିଳିନାହିଁ।

ସମ୍ବନ୍ଧିତ ଖବର