ବିଜେପୁରରେ ଧାନ ହେରଫେର : ମଣ୍ତିରେ ଚଢ଼ଉ, ୮୮ କ୍ବିଣ୍ଟାଲ ଧାନ ଜବତ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ଧାନ ମଣ୍ତିଗୁଡିକ ବେପାରୀଙ୍କ କବଜାରେ। ଏଠାରେ ବ୍ୟାପକ ଧାନ ହେ‌ରଫେର ଘଟଣା ସାମନାକୁ ଆସିଛି। ଏମ୍.ଶ୍ରୀଗିଡା ସମବାୟ ସମିତି ଅନ୍ତର୍ଗତ ବଲଣ୍ତା ମଣ୍ତିରେ ଗୁରୁବାର ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ସେଠାରୁ ୮୮ କ୍ବିଣ୍ଟାଲ ଧାନ ଜବତ ହୋଇଛି। ବିଭାଗୀୟ ଯୁଗ୍ମ ନିେର୍ଦ୍ଦଶକ ଅଜିତ ପାତ୍ର, ଏସିଏସଓ ଦେବବ୍ରତ ମହାପାତ୍ର ଏମ୍‌. ଶ୍ରିଗିଡ଼ା ମଣ୍ତିରେ ଚଢାଉ କରି କାଗଜପତ୍ର ଓ ପଡ଼ି ରହିଥିବା ଧାନ ଯାଂଚ ବେଳେ ୮୮.୮୫ କ୍ବିଣ୍ଟାଲ ଧାନ ବଳକା ରହିଯାଇଥିବା ଜାଣିବାକୁ ପାଇଥିଲେ। ପୂର୍ବରୁ ଉକ୍ତ ପରିମାଣର ଧାନକୁ ପାର୍ବତୀ ଦେବୀ ରାଇସ ମିଲ୍‌ ନାମରେ ଇସ୍ୟୁ ହୋଇଥିବା ବେଳେ ମିଲ୍‌ ମାଲିକ ଧାନ ଉଠାଇ ଥିବା କହିଥିଲେ। ତଥାପି ପଡ଼ି ରହିଥିବା ଧାନର କେହି ଦାବିଦାର ନଥିଲେ। ଫଳରେ ଉକ୍ତ ଧାନକୁ ତ୍ରିବେଣୀ ଫୁଡ ପ୍ରଡକ୍ଟକୁ ହସ୍ତାନ୍ତର କରାଯାଇଛି। ଚଢଉ ବେଳେ ବରଗଡ଼ ସିଏସ୍‌ଓ ଦାଶରଥି ସୋରେନ, ଏସିଏସ୍‌ଓ ଦିବ୍ୟ ସିଂ ବଡମାଲି, ଯୋଗାଣ ନିରୀକ୍ଷକ ପ୍ରମୋଦ ପଣ୍ତା, ଅତାବିରା ନିରୀକ୍ଷକ ବିଶ୍ବରଂଜନ ସାହୁ ଓ ବିଜେପୁରର ପ୍ରମିଲା ତିର୍କି, ଏସିଏସ୍‌ଓ ଶମ୍ଭୁ ପ୍ରସାଦ ହରିପାଲ ସାମିଲ ଥିଲେ।

ସୂଚନା ଯୋଗ୍ୟ, ଏମ୍.ଶ୍ରିଗିଡା ମଣ୍ତିରେ ପ୍ରାୟ ୬୯୯ ଜଣ ଚାଷୀଙ୍କ ୩୫,୭୩୫ କ୍ବିଣ୍ଟାଲ ଧାନ ଉଠିଥିବା ବେଲେ ୨୯୭ଜଣ ଚାଷୀଙ୍କ ୩୦,୯୯୬ କ୍ବିଣ୍ଟାଲ ଧାନ ପଡ଼ି ରହିଛି। ମଣ୍ତିର ମୋଟ ୩୦ ଜଣ ଚାଷୀଙ୍କ ଟୋକନ୍‌ ବାତିଲ ହୋଇଛି। ଏବେ କୌଣସି ମିଲ୍‌ ସହିତ ଟ୍ୟାଗ ନଥିବାରୁ ୪ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି। କେଉଁଟିପାଲି ପେକ୍ସରେ ୬୩୪ ଚାଷୀଙ୍କ ୩୨,୩୦୨ କ୍ବିଣ୍ଟାଲ ଧାନ ଉଠିଥିବା ବେଲେ ୧୭ହଜାର କ୍ବିଣ୍ଟାଲ ପଡ଼ି ରହିଛି। ଲାଉମୁଣ୍ତା ପେକ୍ସରେ ୧୩୩ଜଣ ଚାଷୀଙ୍କ ୬,୪୫୧ କ୍ବିଣ୍ଟାଲ ଉଠିଛି ଓ ୩୩ ଚାଷୀଙ୍କ ୧୨ କ୍ବିଣ୍ଟାଲ ପଡ଼ି ରହିଛି। ଅର୍ଡା ମଣ୍ତିରେ ୭୩ ଚାଷୀଙ୍କ ୮୧୪୧ ପାକେଟ ଧାନ ଉଠି ପାରିନାହିଁ। ଯଦ୍ବାରା ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଣେ ମଣ୍ତିରେ ବସ୍ତା ବସ୍ତା ଧାନ ପଡ଼ି ରହିଛି। ପ୍ରଶାସନକୁ ଅବଗତ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଖରିଫ ଧାନ ବିକ୍ରୟ ପାଇଁ ବିଜେପୁର ବ୍ଳକ ଅନ୍ତର୍ଗତ ୧୧ଟି ମଣ୍ତି ଖୋଲିଛି। ହେଲେ ଧାନ ବିକ୍ରି ଠିକ୍‌ ଭାବରେ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର