ରଣପୁର: ଗ୍ରାମାଂଚଳରେ ଏବେ ଧାନ ଅମଳ ଜୋରସୋରରେ ଚାଲିଥିବା ବେଳେ ଦଲାଲମାନେ ଗାଁମୁହାଁ ହୋଇଛନ୍ତି। ତେବେ ଗତ ସପ୍ତାହରେ ରଣପୁର ବ୍ଲକର ବିଭିନ୍ନ ଅଂଚଳରେ ମଣ୍ତି ଖୋଲିଥିବା ବେଳେ ମଣ୍ତିକୁ ଧାନ ଆସୁନଥିବା ପରିଲକ୍ଷିତ ହୋଇଛି। ଅପରପକ୍ଷେ, ଦଲାଲଙ୍କ ପାଖରେ ଚାଷୀଙ୍କ ଭିଡ଼ ଜମୁଥିବା ବେଳେ ରଣପୁରରେ ଅଭାବୀ ଧାନର ଚୋରା ଚାଲାଣ ବ୍ୟାପକ ମାତ୍ରାରେ ବଢିଚାଲିଛି। ଏ ନେଇ ପ୍ରଶାସନର ନିଷ୍କ୍ରିୟତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଥାଉକି, ସମଗ୍ର ରଣପୁର ବ୍ଲକ ଅଂଚଳରେ ଚଳିତ ବର୍ଷ ୧୮ ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଥିଲା। ଏପରିକି ଅନୁକୂଳ ପାଗ ଯୋଗୁ ଧାନ ଫସଲ ଭଲ ହୋଇଥିଲେ ମଧ୍ୟ ବାରମ୍ବାର ଲଘୁଚାପଜନୀତ ବର୍ଷା ଯୋଗୁ ଧାନ ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଥିଲା। ତେବେ ଖୁବ୍ କମ୍‌ ଆଦାୟ ହୋଇଥିବା ଧାନକୁ ଚାଷୀ ମଣ୍ତିକୁ ବିକିବାକୁ ନେଉଥିବା ବେଳେ ମଣ୍ତି ପାଇଁ ନିୟୋଜିତ ଥିବା ମିଲର୍‌ର ମନମାନୀ ଯୋଗୁ ବିଶେଷ କରି କଟନୀଛଟନୀ ଓ ନିମ୍ନମାନର ଧାନ ଦର୍ଶାଇ କ୍ବିଂଟାଲ ପିଛା ୮/୧୦ କେଜି ଧାନ କାଟୁଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଉଛି।

Advertisment

ଏପରିକି ଟୋକନ ପାଇ ମଧ୍ୟ ଚାଷୀ ଧାନ ଦେବାକୁ ଅପେକ୍ଷା କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଶେଷରେ ବାଧ୍ୟ ହୋଇ ଚାଷୀ ଦଲାଲମୁହାଁ ହେଉଛି। ତେବେ ରଣପୁର, ଗୋପଳପୁର, ବଳଭଦ୍ରପୁର, ସୁର୍କାବାଡି, କେରେଣ୍ତା ଆଦି ସମବାୟ ସମିତି ଅଧୀନସ୍ଥ ସୋସାଇଟିରେ ମଣ୍ତି ଖୋଲାଯାଇଥିଲେ ହେଁ ମିଲରର ମନମୁଖୀ କଟନୀଛଟନୀ ଯୋଗୁ ଚାଷୀ ମଣ୍ତିରୁ ଧାନ ଫେରାଇ ନେଉଥିବା ଅଭିଯୋଗ ହେଉଛି। ତେବେ ଦଲାଲଙ୍କ ଦ୍ବାରା ସଂଗୃହୀତ ଧାନ ଚଣ୍ଡେଶ୍ବର ଭାୟା ରଣପୁର ଦେଇ ଚୋରା ଚାଲାଣ ହେଉଥିବା ଜଣାଯାଇଛି। ଫଳରେ ଅଚଂଳରେ ଅଭାବୀ ଧାନ ବିକ୍ରି ବ୍ୟାପକ ମାତ୍ରାରେ ବଢିଚାଲିଥିବା ପରିଲକ୍ଷିତ ହୋଇଛି। ତେବେ ସରକାରୀ ମୂଲ୍ୟ ୧୯୬୦ ପରିବର୍ତ୍ତେ ୧୦୦୦/୧୧୦୦ରେ ବିକୁ ଥିବାରୁ ଚାଷୀ ନିମ୍ନଗାମୀ ହେଉଛି। ତେବେ ତୁରନ୍ତ ଏହାର ପ୍ରତିକାର କରିବାକୁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।