ସାଟେଲାଇଟ୍‌ ସର୍ଭେରୁ ଧରାପଡ଼ିଲା ସତ: ଚାଷ ହୋଇନଥିବା ଜମିରୁ ହେବ ଧାନ ବିକ୍ରି!

ସୁନ୍ଦରଗଡ଼ : ପଞ୍ଜିକୃତ ଜମିରେ ଚାଷହୋଇନି। ମାତ୍ର, ଏହିଜମିରୁ ଧାନ ବିକ୍ରି ହେବ। ପ୍ରାୟ ୨୬ ହଜାରରୁ ଉର୍ଦ୍ଧ୍ବ ଜମିରେ ଧାନଚାଷ ହୋଇଥିବା ଦର୍ଶାଇ ଅତି ଚତୁରତାର ସହ ଚାଷୀ ଅଥବା ଲ୍ୟାମ୍ପ୍ସର ଅସାଧୁ କର୍ମଚାରୀ ବା ଦଲାଲ ପଞ୍ଜୀକରଣ କରିଥିବା ଏବେ ସାଟେଲାଇଟ୍‌ ସର୍ଭେରୁ ଜଣାପଡ଼ିଛି।

ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ-୨୦୨୨-୨୩ର ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ଶେଷ ପର୍ଯ୍ୟାୟରେ। ଗତ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ନଭେମ୍ବର ୧୭ ତାରିଖ ସୁଦ୍ଧା ୫୦ ହଜାର ୮୭ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଅର୍ଥାତ୍ ଏଯାଏଁ ଜିଲ୍ଲାର ୫୦ ହଜାରରୁ ଅଧିକ ଚାଷୀ ଖରିଫ ଧାନ ବିକିବାକୁ ପ୍ରସ୍ତୁତ ହୋଇଛନ୍ତି। କିନ୍ତୁ ଚାଷୀଙ୍କ ପଞ୍ଜିକୃତ ଜମି ଉପରେ ହୋଇଥିବା ସାଟେଲାଇଟ୍‌ ସର୍ଭେ ଭିନ୍ନ ଚିତ୍ର ଦେଇଛି। ସର୍ଭେ କହୁଛି, ଜିଲ୍ଲାର ୨୬୫୦୪ଟି ପ୍ଲଟ୍‌ ବା ଜମିରେ ଆଦୌ ଚାଷ ହୋଇନାହିଁ। କିନ୍ତୁ, ସେସବୁ ପ୍ଲଟ୍‌ରେ ଧାନ ଚାଷ ହୋଇଥିବା ଦର୍ଶାଇ ଅତି ଚତୁରତାର ସହ ଚାଷୀ ଅଥବା ଲ୍ୟାମ୍ପସର ଅସାଧୁ କର୍ମଚାରୀ ବା ଦଲାଲ ପଞ୍ଜୀକରଣ କରି ନେଇଛନ୍ତି।

ଅନ୍ୟପକ୍ଷରେ, ସାଟେଲାଇଟ୍‌ ସର୍ଭେ ରିପୋର୍ଟ ଉପରେ ଏବେ ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ସରଜମିନ ଯାଞ୍ଚ ଆରମ୍ଭ ହୋଇଛି। ଏଯାବତ୍‌ ମାତ୍ର ୨୦୬୪ଟି ପ୍ଲଟ୍‌ର ଯାଞ୍ଚ ଶେଷ ହୋଇଥିବା ବେଳେ ୨୪,୪୪୦ଟି ପ୍ଲଟର ଯାଞ୍ଚ ଖୁବ୍‌ଶୀଘ୍ର କରାଯିବ ବୋଲି ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଦେଶରଞ୍ଜନ ସେଠୀ ପ୍ରକାଶ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଦଲାଲମାନେ ପଡ଼ୋଶୀ ରାଜ୍ୟରୁ ଓ ଅଭାବରେ ପଡ଼ିଥିବା ଚାଷୀଙ୍କଠାରୁ ଖୁବ୍ କମ୍ ଦରରେ ଧାନ କିଣି ଲ୍ୟାମ୍ପସ୍‌ରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଆସୁଛି। ଗତବର୍ଷ ଏହିଭଳି ଅଭିଯୋଗ ଅତିମାତ୍ରାରେ ଶୁଣିବାକୁ ମିଳିଥିଲା। ଏପରିକି ପଡ଼ୋଶୀ ରାଜ୍ୟରୁ ଧାନ କିଣି ଦଲାଲମାନେ ଲ୍ୟାମ୍ପ୍ସରେ ବିକ୍ରି କରିବାର ଅନେକ ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ନିକଟରେ ହୋଇଥିବା ସାଟେଲାଇଟ୍‌ ସର୍ଭେରୁ ମଧ୍ୟ ତାହାର ପ୍ରମାଣ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର