ରାସୋଳ ପଞ୍ଚାୟତରେ ବି ଚାଉଳ ଯୋଗାଣରେ ଅନିୟମିତା : ଦେଢ଼ବର୍ଷ ହେଲା ଚାଲିଛି ଫାଇଲ୍‌ ଚାଷ

କେନ୍ଦୁଝର : ହରିଚନ୍ଦନପୁର ବ୍ଲକ୍‌ର ଟାଙ୍ଗିରିଆପାଳ ପରି ରାସୋଳ ପଞ୍ଚାୟତରେ ବି ଚାଉଳ ଯୋଗାଣରେ ଅନିୟମିତତା ହୋଇଥିଲା। ବିନା କାଗଜପତ୍ରରେ ଖୋଲା ବଜାରରେ ଚାଉଳ ବିକ୍ରି କରିବା ଉଦ୍ଦେଶ୍ୟରେ ମିଲର ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଶହଶହ କୁଇଣ୍ଟାଇ ଚାଉଳ ମହଜୁଦ ରଖାଯାଇଥିଲା। ମିଲର, ଯୋଗାଣ ବିଭାଗର କିଛି ଅସାଧୁ କର୍ମଚାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସଲାସୁତରାରେ ହୋଇଥିବା ଏହି ଅନିୟମିତା ତଦନ୍ତ ବେଳେ ଧରାପଡ଼ିଥିଲେ ବି କାର୍ଯ୍ୟାନୁ‌ଷ୍ଠାନ ହୋଇନାହିଁ। କେବଳ ଫାଇଲ୍‌ ଚାଷ କରି ଦୀର୍ଘ ଦେଢ଼ବର୍ଷ ଧରି ଏହି ଅନିୟମିତତାକୁ ଚାପି ଦିଆଯାଇଛି।

ଶ୍ୟାମସୁନ୍ଦର ରାଇସ୍‌ ମିଲ ପକ୍ଷରୁ ‌ଯେଉଁ ଚାଉଳ ଯୋଗାଣ ବିଭାଗକୁ ଦିଆଯାଏ, ତାହା ପ୍ରଥମେ ମଣ୍ଡୁଆଠାରେ ଥିବା ଚାଉଳ ଗ୍ରହଣ କେନ୍ଦ୍ର (ଆର୍‌ଆର୍‌ସି)କୁ ଆସିଥାଏ। ସେଠାରେ ଆବଶ୍ୟକ କାଗଜପତ୍ର ଓ ଅଧିକାରୀଙ୍କ ଯାଞ୍ଚ ଦସ୍ତଖତ ପରେ ତାହା ପଞ୍ଚାୟତକୁ ଯାଇଥାଏ। ୨୦୧୯ ଅଗଷ୍ଟ ୨୩ ତାରିଖରେ ଶ୍ୟାମସୁନ୍ଦର ରାଇସ ମିଲ୍‌ରୁ ୧୦୧୦ ବସ୍ତାରେ ଥିବା ୫୦୫ କୁଇଣ୍ଟାଲ ଚାଉଳ ମଣ୍ଡୁଆସ୍ଥିତ ଗୋଦାମକୁ ପ୍ରଥମେ ନ ଆସି ତାହା ହରିଚନ୍ଦନପୁର ବ୍ଲକର ରାସୋଳ ପଞ୍ଚାୟତକୁ ଯାଇଥିଲା। ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଗାପ୍ରସାଦ ମୁର୍ମୁ ଚାଉଳ ଗ୍ରହଣ କରିଥିଲେ। ଯୋଗାଣ ବିଭାଗର ନିୟମ ହେଉଛି, ଯଦି ଚାଉଳ ପଞ୍ଚାୟତକୁ ଯାଏ, ତାହା ଚାଉଳ ଗ୍ରହଣ କେନ୍ଦ୍ରରୁ ଯିବା କଥା। ସିଧାସଳଖ ମିଲ୍‌ରୁ ପଞ୍ଚାୟତକୁ ଯାଇପାରିବ ନାହିଁ। ଏହା ଜାଣିବା ସତ୍ତ୍ବେ ପଞ୍ଚାୟତ ନିର୍ବହୀ ଅଧିକାରୀ ଏହି ଚାଉଳକୁ ବିନା କାଗଜପତ୍ରରେ ଗ୍ରହଣ କରିଥିଲେ। ଏ ସଂପର୍କରେ ଯୋଗାଣ ବିଭାଗର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସପ୍ଲାଇ ଇନ୍ସପେକ୍ଟର ତଥା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଅଧିକାରୀ ଯଶୋଦା ସିଂ, ବର୍ତ୍ତମାନର ସିଏସ୍‌ଓ ପରେଶ ମହାନ୍ତି ପଞ୍ଚାୟତକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ବେଳେ ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସ୍କ୍ବାଡ୍‌ ୨୦୧୯ ଅଗଷ୍ଟ ୨୮ ରେ ଜିଲ୍ଲାପାଳଙ୍କ କୋର୍ଟରେ ଏତଲା ଦାଖଲ କରିଥିଲେ। ଶ୍ୟାମସୁନ୍ଦର ରାଇସ ମିଲ ପକ୍ଷରୁ ହୋଇଥିବା ଅନିୟମିତତା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କିଭଳି ବିନା କାଗଜପତ୍ରରେ ଚାଉଳ ରଖିଥିଲେ ତାହା ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି। ବଡ଼ କଥା ହେଉଛି, ତଦନ୍ତ ରିପୋର୍ଟରେ ଅନିୟମିତତା ହୋଇଥିବା ନେଇ ସ୍ପଷ୍ଟ ଉଲ୍ଲେଖ ରହିଛି ଏବଂ ଏତଲା ହୋଇଥିଲେ ବି ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯୋଗାଣ ବିଭାଗ ଉଦ୍ଦେଶ୍ୟମୂଳକ ଭାବେ ଏହି ମାମଲାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁନଥିବା ଏଥିରୁ ସ୍ପଷ୍ଟ ହୋଇଛି।

ଏ ସଂପର୍କରେ ବାରାମ୍ବାର ଆମେ ତତ୍‌କାଳୀନ ତଦନ୍ତକାରୀ ଟିମ୍‌ର ସଦସ୍ୟ ତଥା ବର୍ତ୍ତମାନର ସିଏସ୍‌ଓ ପରେଶ ମହାନ୍ତିଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର