ଭୁବନେଶ୍ବର: ରାସନ କାର୍ଡକୁ ନେଇ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଯେଉଁମାନେ ନିଜର ଇ-କେୱାଇସି କରି ନାହାନ୍ତି ସେମାନଙ୍କୁ ଆସନ୍ତା ମାସରୁ ଆଉ ଚାଉଳ ମିଳିବନି। କେନ୍ଦ୍ର ସରକାର ଇ-କେୱାଇସିକୁ ବନ୍ଦ କରିଛନ୍ତି। ଯେଉଁମାନେ ଇ-କେୱାଇସି ନ କରି ମଧ୍ୟ ଚାଉଳ ପାଉଛନ୍ତି, ଆସନ୍ତାମାସରୁ ଏହାକୁ ବନ୍ଦ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଶ୍ରୀ ପାତ୍ର କହିଛନ୍ତି, ଗତ ୭-୮ ମାସ ଧରି ଇ-କେୱାଇସି ପ୍ରକ୍ରିୟା ଚାଲିଥିଲା। ତେଣୁ ଆଉ ବଢ଼ିବାର ନାହିଁ। କେନ୍ଦ୍ର ସରକାର ଯଦି ଇ-କେୱାଇସି ଅବଧି ବଢ଼ାଇବେ ତା’ହେଲେ ରାଜ୍ୟ ସରକାର ମଧ୍ୟ ଏହି ଅବଧିକୁ ବୃଦ୍ଧି କରିବେ। ଏହା ସହ ଯେଉଁମାନେ ରାସନ କାର୍ଡରୁ ବାଦ୍ ପଡ଼ିଥିବେ ସେମାନେ ଲିଖିତ ଭାବେ ଜଣାଇଲେ ସେମାନଙ୍କ କଥା ବିଚାର କରାଯିବ। ରାଜ୍ୟରେ ଏବେ ବି ୧୫ ଲକ୍ଷ ୬୭ ହଜାରରୁ
ଅଧିକ ରାସନକାର୍ଡଧାରୀ ଇ-କେୱାଇସି କରି ନଥିବା ସେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ୩୦ ତାରିଖ ଇ-କେୱାଇସି କରିବାର ଶେଷ ତାରିଖ ରହିଥିଲା। କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି। ବିଜେଡି ସରକାର ସମୟରେ ଅନେକ ଭୂତ ହିତାଧିକାରୀ ଚାଉଳ ଉଠାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ବିଜେପି ସରକାର କ୍ଷମତାକୁ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ଧରପଗଡ଼ ଆରମ୍ଭ ହୋଇଥିଲା। ରାଜ୍ୟର ଲକ୍ଷାଧିକ ଲୋକ ଇ-କେୱାଇସି ନ କରିବା ପଛରେ ଅନେକ କାରଣ ରହିଛି। ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି। ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ବହୁ ହିତାଧିକାରୀ ଅପ୍ଡେଟ୍ କରିପାରିନାହାନ୍ତି। ଏହା ସହ ଦାଦନ ଖଟିବାକୁ ଯାଇ ବାହାରେ ରହୁଥିବା ଶ୍ରମିକମାନେ ମଧ୍ୟ ଇ-କେୱାଇସି କରିନାହାନ୍ତି।