ଖଣ୍ଡଗିରି: ଭିନ୍ନକ୍ଷମ ପିଲାଙ୍କ ପ୍ରତି ବି ଦରଦ ନାହିଁ! ଶ୍ରୁତିବାଧିତ ପିଲାଙ୍କ ପଢିବା ପାଇଁ ଥିବା ଗୋଠପାଟଣା ସ୍ଥିତ ସତ୍ୟଭାମାଦେବୀ ହାୟର ସେକେଣ୍ଡାରି ସ୍କୁଲକୁ ଚାଉଳ ସହିତ ଅନ୍ୟ ସରକାରୀ ଅନୁଦାନ ଗତ ଏପ୍ରିଲ ମାସରୁ ବନ୍ଦ ରହିଛି। ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକଙ୍କ ମଧ୍ୟରେ ଥିବା ବିବାଦ ଯୋଗୁଁ ଏଭଳି ବିଷମ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଶ୍ରୁତିବାଧିତ ଛାତ୍ର ଛାତ୍ରୀଙ୍କ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଠପଢା ପାଇଁ ୨୦୦୭ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା। ଏଠାରେ ବର୍ତ୍ତମାନ ଦ୍ବାଦଶରେ ୨୦୦ ଏବଂ ଏକାଦଶରେ ୧୩୫ ପିଲା ଅଛନ୍ତି। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପିଲାମାନେ ଆସି ଏଠାରେ ଛାତ୍ରାବାସରେ ରହି ପାଠ ପଢୁଛନ୍ତି। ଏହା ସରକାରୀ ଅନୁଦାନ ଉପରେ ନିର୍ଭରଶୀଳ। ତେବେ ଗତ କିଛି ମାସ ହେଲା ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକଙ୍କ ମଧ୍ୟରେ ବିବାଦ ଜଟିଳ ଆକାର ଧାରଣ କରିଛି। ଏହାର ପ୍ରଭାବ ପଡ଼ିଛି ନିରୀହ ପିଲାମାନଙ୍କ ଉପରେ। ଉଭୟ ପକ୍ଷ ପରସ୍ପର ବିରୋଧରେ ସାମାଜିକ ସୁରକ୍ଷା ବିଭାଗକୁ ଜଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍କୁଲ ପରିଚାଳନା କମିଟିକୁ ଅଚଳ କରି ଦିଆଯାଇଛି। ଏହା ବିରୋଧରେ କମିଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଛି। ମାତ୍ର ଏହା ମଧ୍ୟରେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥା କରାନଯାଇ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସ୍କୁଲ ପୋଷାକ, ମେଣ୍ଟେନାନ୍ସ ଅନୁଦାନ ସହିତ ହଷ୍ଟେଲ ଚାଉଳ ମଧ୍ୟ ବନ୍ଦ କରି ଦିଆଯାଇଛି। ଆହୁରି ଦୁର୍ଭାଗ୍ୟର କଥା ହେଉଛି, ଖୋଦ୍ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଚିଠି ଲେଖି ଏସବୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ରାଜ୍ୟରେ ଶ୍ରୁତିବାଧିତ ପିଲାଙ୍କ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପଢ଼ା ପାଇଁ କୌଣସି ସରକାରୀ ଶିକ୍ଷାନୁଷ୍ଠାନ ନାହିଁ। ପ୍ରଥମ କରି ଚଳିତ ବର୍ଷ ବିପିନ ବିହାରୀ ଚୌଧୁରୀ କଲେଜକୁ ସରକାର ମାନ୍ୟତା ଦେଇଛନ୍ତି। ମାତ୍ର ଏହାର କୌଣସି ଭିତ୍ତିଭୂମି ସୃଷ୍ଟି କରା ଯାଇନାହିଁ କିମ୍ବା ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇ ନାହାନ୍ତି। ତେଣୁ ଏହି ପିଲାମାନେ ଚାହିଲେ ମଧ୍ୟ ସତ୍ୟଭାମା ଦେବୀ ହାୟର ସେକେଣ୍ଡାରି ସ୍କୁଲ ଛାଡ଼ି ଅନ୍ୟ କେଉଁଠାକୁ ଯାଇ ପାରିବେ ନାହିଁ। ଏଭଳି ସ୍ଥିତିରେ ଭିନ୍ନକ୍ଷମ ପିଲାଙ୍କୁ ଦିଆଯାଉଥିବା ଅନୁଦାନ ବନ୍ଦ କରିବା ଅର୍ଥ ସେମାନଙ୍କୁ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ କରିବା ବୋଲି ଅଭିଯୋଗ ହେଉଛି। ଅନୁଦାନପ୍ରାପ୍ତ ସ୍କୁଲରେ ଯଦି କୌଣସି ଅନିୟମିତତା ହେଉଛି, ତେବେ ସରକାର ପରିଚାଳନା କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ପିଲାମାନଙ୍କୁ କାହିଁକି ଦଣ୍ଡିତ କରୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଦ୍ବିତୀୟତଃ, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ପ୍ରତ୍ୟେକ ଭିନ୍ନକ୍ଷମଙ୍କୁ ମାଗଣା ଚାଉଳ ପ୍ରଦାନ ସରକାରଙ୍କର କର୍ତ୍ତବ୍ୟ। ଏଭଳି ସ୍ଥିତିରେ କେଉଁ ସ୍ଥିତିରେ ଓ ଆଧାରରେ ଯୋଗାଣ ବିଭାଗ ପିଲାଙ୍କ ଚାଉଳ ବନ୍ଦ କରିଛି, ତା’କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ହାଇକୋର୍ଟଙ୍କ ଜବାବ ତଲବ
କଟକ: ଶ୍ରୁତିବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସତ୍ୟଭାମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲକୁ ପ୍ରଦାନ କରାଯାଉଥିବା ଅନୁଦାନ ହ୍ରାସ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୀନବନ୍ଧୁ ସାମଲଙ୍କ ତରଫରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୁତିବାଧିତଙ୍କ ସ୍ବତନ୍ତ୍ର ଶିକ୍ଷା ଗ୍ରହଣ ପାଇଁ ଥିବା ଏହି ଶିକ୍ଷାନୁଷ୍ଠାନରେ ବହୁ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ପଢୁଛନ୍ତି। ଅନୁଷ୍ଠାନକୁ ପ୍ରଦାନ କରାଯାଉଥିବା ସରକାରୀ ଅନୁଦାନ ହ୍ରାସ ପାଇଛି। ଫଳରେ ବିଦ୍ୟାର୍ଥୀମାନଙ୍କ ପାଇଁ ଉପଯୁକ୍ତମାନର ଖାଦ୍ୟ ଉପଲବ୍ଧ ପ୍ରସଂଗ ପ୍ରଭାବିତ ହୋଇଛି। ଏଥିସହ ଏହି ଶିକ୍ଷାନୁଷ୍ଠାନ ପରିଚାଳନା ନେଇ ସମସ୍ୟା ଦେଖାଦେଇଛି। ଶିକ୍ଷାନୁଷ୍ଠାନରେ ଯେଭଳି ପିଲାମାନେ ଭୋକରେ ନରୁହନ୍ତି, ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି। ଏହି ଶିକ୍ଷାନୁଷ୍ଠାନକୁ ଉପଯୁକ୍ତ ଅନୁଦାନ ପ୍ରଦାନ କରାଯିବା ସହ ଏହା ଯେଭଳି ସ୍ବାଭାବିକ ଭାବେ କାର୍ଯ୍ୟ କରିବ, ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସରକାର, ଖୋର୍ଦ୍ଧା ଜିଲ୍ଲାପାଳ, ସାମାଜିକ ସୁରକ୍ଷା ଅଧିକାରୀ ଓ ଶିକ୍ଷାନୁଷ୍ଠାନର ପରିଚାଳନା ପରିଷଦକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।