ପ୍ରଦୀପ କୁମାର ପାଢ଼ୀ
କୋରାପୁଟ: ପଛୁଆ ତଥା ଗରିବ ଜିଲ୍ଲାର ବିକାଶ ଲାଗି ଆସୁଥିବା ଟଙ୍କାକୁ ହରିଲୁଟ୍ କରୁଛନ୍ତି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ। ମୂଳ ଅଧିବାସୀ ତଥା ହିତାଧିକାରୀଙ୍କ ଜୀବନ ଜୀବିକାରେ କୌଣସି ପରିବର୍ତ୍ତନ ଆସୁନଥିବା ବେଳେ ମାତ୍ର ବର୍ଷ କେଇଟାରେ ସରକାରୀ ବାବୁ ହେଉଛନ୍ତି କୋଟିପତି। ଠୁଳ କରୁଛନ୍ତି ବେନାମୀ ସମ୍ପତ୍ତି। ଯାହାଙ୍କୁ ସ୍କାନର୍ ପରିସରଭୁକ୍ତ କରିଛି କୋରାପୁଟ ଭିଜିଲାନ୍ସ। ଗତ ୧୦ ମାସରେ ଭିଜିଲାନ୍ସ ୩୩ଟି ମାମଲାରେ ୫୬ ସରକାରୀ ଲାଞ୍ଚୁଆ ବାବୁଙ୍କୁ ଗିରଫ କରିଛି। ସେଥିମଧ୍ୟରୁ କେବଳ ମାଲକାନଗିରି ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ନଗଦ ୨.୦୮ କୋଟି ଏବଂ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ ୧.୪୩ କୋଟି ଟଙ୍କା ଜବତ କରାଯାଇଛି।
କୋରାପୁଟ ଭିଜିଲାନ୍ସ ଏସ୍ପି ରବୀନ୍ଦ୍ର କୁମାର ପଣ୍ଡାଙ୍କ ସୂଚନାନୁଯାୟୀ, ଆୟ ବହିର୍ଭୂତ ଏବଂ ଲାଞ୍ଚ ମାମଲାରେ ଗିରଫ ୫୬ ସରକାରୀ ବାବୁଙ୍କ ମଧ୍ୟରେ ରହିଛନ୍ତି ୮ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୨ ଜଣ ଦ୍ବିତୀୟ ଓ ୩୬ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ। ୧୦ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜବତ ହୋଇଛି ୨୨.୫୧ କୋଟି ଟଙ୍କାର ସମ୍ପତ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଯାଞ୍ଚ ବେଳେ ରାୟଗଡ଼ାର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗଙ୍କଠାରୁ ନବରଙ୍ଗପୁରରେ ଥିବା ୨ଟି ଫାର୍ମହାଉସ୍, ୪୬ ଏକର ଜମି, ୨ଟି କୋଠା, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍, ୫୮ ଲକ୍ଷରୁ ଅଧିକ ବ୍ୟାଙ୍କ ଜମା ଏବଂ ବେନାମୀ କାର ସମେତ ମୋଟ ୮୪ ଏକର ଜମି ଠାବ କରିଛି ଭିଜିଲାନ୍ସ।
୨ ବାବୁଙ୍କ ଘରୁ ମିଳିଛି ନଗଦ ୩.୫୧ କୋଟି
ଠାବ ହୋଇଛି ୨୨.୫୧ କୋଟିର ବେନାମୀ ସମ୍ପତ୍ତି
ସେହିପରି ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କଠାରୁ ବହୁତଳ କୋଠା, ୩ଟି ଫ୍ଲାଟ୍, ୨ଟି ଉଚ୍ଚମୂଲ୍ୟର ପ୍ଲଟ୍, ୧.୩୩ କୋଟି ଟଙ୍କା ଜମା, ୧୫୦୪ ଗ୍ରାମ ସୁନା ଅଳଙ୍କାର, ୪.୦୬ କେଜି ରୁପା, ୨ଟି ଚାରିଚକିଆ ଜବତ ହୋଇଥିଲା। ମାଲକାନଗିରି ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ନିକଟରୁ ୪ଟି ପ୍ଲଟ୍, ଗୋଟିଏ ବହୁମହଲା କୋଠା, ୪୨୨ ଗ୍ରାମ ସୁନା ଅଳଙ୍କାର, ୯୧ ଲକ୍ଷରୁ ଅଧିକ ଜମା ଓ ନଗଦ ୨.୦୮ କୋଟି ଟଙ୍କା ଜବତ ହୋଇଥିଲା। ୧୬ ସରକାରୀ କର୍ମଚାରୀ ଓ ମଧ୍ୟସ୍ଥ ୨.୮୫ ଲକ୍ଷ ଲାଞ୍ଚ ନେବା ବେଳେ ଚଢ଼ଉ କରି ୧୨ଟି ଟ୍ରାପ୍ ମାମଲା ରୁଜୁ ହୋଇଛି।
ପ୍ରମୁଖ ଟ୍ରାପ୍ କେସ୍ ମଧ୍ୟରୁ ବିଷମକଟକ ସିଡିପିଓ ସୁଶୀଳା ଶବର ଏବଂ ଆକାଉଣ୍ଟାଣ୍ଟ ରାମଚନ୍ଦ୍ର ପାତ୍ର ଡଙ୍ଗରିଆ କନ୍ଧ ମହିଳାଙ୍କୁ ନିଯୁକ୍ତି ପାଇଁ ୮୦ ହଜାର, ଲକ୍ଷ୍ମୀପୁର ଅଙ୍ଗନବାଡ଼ି ପର୍ଯ୍ୟବେକ୍ଷକ ରେଣୁକା ପଟ୍ଟନାୟକ ପୁରସ୍କାର ବାବଦକୁ ୫୦ ହଜାର ଏବଂ ଜୟପୁର ସ୍ୱତନ୍ତ୍ର କୋଷାଗାର କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର ବିଧବା ମହିଳାଙ୍କ ବକେୟା ପେନସନ୍ ପ୍ରଦାନ ପାଇଁ ୪୭ ହଜାର, ବିସିଂପୁର ଥାନାର ଏଏସ୍ଆଇ ନରସିଂହ ଦୋରା ଘରୋଇ ହିଂସା ମାମଲାରେ ରଫାଦଫା ଲାଗି ୪୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ଗତ ୫ ବର୍ଷରେ (୨୦୨୧ରୁ ୨୭ ଅକ୍ଟୋବର ୨୦୨୫) ମଧ୍ୟରେ ରୁଜୁ ହୋଇଥିବା ମାମଲାର ବିଚାର ସମୟରେ ୫୭ ସରକାରୀ କର୍ମଚାରୀ, ମଧ୍ୟସ୍ଥଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଭିଜିଲାନ୍ସ କୋର୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/28/vigilance-directorate-2025-06-28-08-57-33.jpg)