ନବରଙ୍ଗପୁର: ରାଜସ୍ବ ଜମି ଜବରଦଖଲକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। ଧନୀ ଓ ପ୍ରଭାବଶାଳୀ ଏଥିରୁ ବାଦ୍‌ ପଡ଼ିବେ ନାହିଁ। ତେବେ ଗରିବ ଭୂମିହୀନଙ୍କ ପ୍ରତି ସହନଶୀଳ ମନୋଭାବ ପ୍ରଦର୍ଶନ କରାଯିବ। ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସହରରେ ସରକାରୀ ଜମି କମ୍‌ ରହିଥିବାରୁ ଆବାସ ଯୋଜନାରେ ଫ୍ଲାଟ୍‌ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବସୁନ୍ଧରା ଯୋଜନାରେ ପ୍ରତି ଗରିବ ପରିବାରକୁ ୪ ଡେସିମିଲ୍‌ ଜମି ଦିଆଯିବ। ଗରିବ ଭୂମିହୀନଙ୍କୁ ଜମି ଦେବା ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ପ୍ରତି ଆର୍‌ଆଇ ଦିନକୁ ଜଣେ ଭୂମିହୀନଙ୍କୁ ଚିହ୍ନଟ କରିବେ। ଆରଆଇଙ୍କୁ ନୂଆ ଲାପ‌୍‌ଟପ୍ ଓ ସବୁ ସ୍କୁଲକୁ ଜମିପଟ୍ଟା ପ୍ରଦାନ କରାଯିବ। ୧ରୁ ୨ଡେସିମିଲ୍‌ ଜମି ଥିବା ପରିବାରକୁ ଚିହ୍ନଟ କରି ୪ଡେସିମିଲ ପର୍ଯ୍ୟନ୍ତ ଜମି ଦିଆଯିବ। ଏହି ଜମି ହସ୍ତାନ୍ତର ଯୋଗ୍ୟ ହେବନାହିଁ। ଜିଲ୍ଲାରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀ ଜବରଦଖଲ କରିଛନ୍ତି। ଯାହା ସଙ୍ଗୀନ ବିଷୟ।  ୧୯୯୧ରୁ ଆଜି ପର୍ଯ୍ୟନ୍ତ ୩୦ବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୧୦୦୦ ନୂତନ ରାଜସ୍ବ ଗ୍ରାମ ଗଠନ ହୋଇଛି। ଯାହା ଅତ୍ୟନ୍ତ ନୈରାଶ୍ୟଜନକ। ଅଧିକ ସଂଖ୍ୟକ ରାଜସ୍ବ ଗାଁ ଗଠନ କରିବାକୁ ସରକାର ଚିନ୍ତା କରୁଛନ୍ତି। 

Advertisment

ସହରରେ ଆବାସ ଯୋଜନାରେ ହେବ ଫ୍ଲାଟ୍‌
ସବୁ ସ୍କୁଲକୁ ଜମିପଟ୍ଟା ପ୍ରଦାନ କରାଯିବ
୫ବର୍ଷ ଭିତରେ କେହି ଭୂମିହୀନ ରହିବେ ନାହିଁ

ସମୟ ସୀମା ମଧ୍ୟରେ ଆଦିବାସୀ ଭୂମିହୀନ ପରବାରକୁ ବସୁନ୍ଧରା କିମ୍ବା ଜଙ୍ଗଲ ଜମି ଅଧିକାରରେ ସାମିଲ କରାଯିବ। ୫ବର୍ଷ ଭିତରେ କେହି ଭୂମିହୀନ ରହିବେ ନାହିଁ। ରାଜ୍ୟରେ ୭୦ପ୍ରତିଶତ ଶିକ୍ଷାନୁଷ୍ଠାନର ଜମିପଟ୍ଟା ନାହିଁ। ଚଳିତ ମାସ ସୁଦ୍ଧା ସମସ୍ତ ସ୍କୁଲକୁ ଜମିପଟ୍ଟା ପ୍ରଦାନ କରାଯିବ। ପ୍ରଭାବଶାଳୀ ଲୋକ ସରକାରୀ ଜମିରେ ମାର୍କେଟ କମ୍ପ୍ଳେକ୍ସ, ଅଡିଟୋରିୟମ, କଲ୍ୟାଣମଣ୍ଡପ ଆଦି କରି ଭଡ଼ାରେ ଲଗାଇଥିବା ବେଳେ ଚାପମୁକ୍ତ ହୋଇ ଏସବୁକୁ ହଟାଇବାକୁ ମନ୍ତ୍ରୀ କହିଛନ୍ତି। ଏଦିଗରେ ଜିଲ୍ଲାପାଳ ମିସନ୍‌ ମୋଡ୍‌ରେ କାମ କରିବାକୁ ପରାମର୍ଶ ଦେଇଥିଲେ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟରେ ଭୂ-ବନ୍ଦୋବସ୍ତ ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ କହିଥିବା ବେଳେ ସମାଧାନ ପାଇଁ ତହସିଲଦାରମାନେ ତଦନ୍ତ କରି ରିପୋର୍ଟ ଦେଲେ ଦୃଷ୍ଟି ଦିଆଯିବ। ସହରରେ ହିତାଧିକାରୀ ଅଧିକ ଓ ସରକାରୀ ଜମି କମ୍‌ ରହୁଛି। ଏଥିପାଇଁ ଆବାସ ଯୋଜନାରେ ଫ୍ଲାଟ୍‌ ନିର୍ମାଣ କରି ଲୋକଙ୍କୁ ‌ଦିଆଯିବ। ଝରିଗାଁ ବିଧାୟକ ଜମି ପଞ୍ଜୀକରଣ ପରେ ପଟ୍ଟା ମିଳୁନାହିଁ ବୋଲି କହିବାରୁ ମନ୍ତ୍ରୀ ସାଙ୍ଘାତିକ ବିଷୟ ବୋଲି କହିଛନ୍ତି। ବୈଠକରେ ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର, ଏସ୍‌ପି ମିହିର କୁମାର ପଣ୍ଡା, ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା, ନବରଙ୍ଗପୁର ନଗରପାଳ କୁନୁ ନାୟକ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।