ରିକ୍ସାରେ ଆଖି ବୁଜିଲେ ରିକ୍ସା ଚାଳକ

ବାଲେଶ୍ବର : ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଭୋକ, ତା ସହିତ ଅସୁସ୍ଥତାର ଯନ୍ତ୍ରଣା। ପାଖରେ ନା ପରିବାର ନା ଆତ୍ମୀୟସ୍ବଜନ। କେହି ଆହା ପଦେ କରିବାକୁ ବି ନାହାନ୍ତି। ୪ ଦିନ ଧରି ଏମିତି ରାସ୍ତାକଡ଼ରେ ଅଖିଆଅପିଆ ଅବସ୍ଥାରେ ପଡ଼ିବା ପରେ ଜଣେ ରିକ୍ସା ଚାଳକଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ଯେଉଁ ରିକ୍ସା ଟାଣି ସେ ପରିବାର ପ୍ରତିପୋଷଣ କରୁଥିଲେ, ଶେଷରେ ସେଇ ରିକ୍ସାରେ ହିଁ ତାଙ୍କ ଜୀବନର ଶେଷନିଶ୍ବାସ ଅଟକିଗଲା।

ସବୁଠାରୁ ପରିତାପର ବିଷୟ ହେଉଛି, ମୃତ୍ୟୁ ପରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଶବ ସେମିତି ପଡ଼ିରହିଲା। ସହରରେ ଆତ୍ମଘୋଷିତ ସ୍ବେଚ୍ଛାସେବୀ ହାଉଯାଉ ହେଉଥିଲେ ମଧ୍ୟ କେହି ପାଖ ମାଡ଼ିନଥିଲେ। ଦାରିଦ୍ର୍ୟ ଓ ରୋଗ ଯନ୍ତ୍ରଣାର ଏଭଳି କରୁଣ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ବାଲେଶ୍ବର ସହରର ଛାତି କୁହାଯାଉଥିବା ରେଳ ଷ୍ଟେସନ୍‌ ଛକଠାରେ। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ୫୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ପୁରୀରୁ ଆସି ୩ ବର୍ଷ ହେଲା ଏଠାରେ ରିକ୍ସା ଟାଣୁଥିଲେ। ମଝିରେ ମଝିରେ ଘରକୁ ବି ଯାଉଥିଲେ। ଦୈନିକ ଭଡ଼ାସୂତ୍ରରେ ଚଳାଉଥିବା ରିକ୍ସା ବ୍ୟତୀତ ତାଙ୍କର ଆଉ କିଛି ସମ୍ବଳ ନ ଥିଲା।

ସମ୍ବନ୍ଧିତ ଖବର