ଝାରସୁଗୁଡ଼ା: ଦୁର୍ଘଟଣା ରୋକିବା ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଗତ କିଛି ମାସ ହେଲା ବ୍ୟାପକ ପଦକ୍ଷେପ ନିଆଯାଇଛି। ବିଭିନ୍ନ ଥାନା ଅଧୀନରେ ପ୍ରତିଦିନ ଗାଡ଼ିର କାଗଜପତ୍ର ଓ ହେଲମେଟ ଆଦି ଯାଞ୍ଚ କରିବା ସହିତ ମଦ୍ୟପ ଚାଳକଙ୍କୁ ମଧ୍ୟ ଗିରଫ କରାଯାଉଛି। ଶୁକ୍ରବାର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ବନ୍ଧବାହାଲଠାରେ ଯାନବାହନ ଯାଞ୍ଚ କରାଯାଇଥିଲା। ଏଥିରେ ବାଇକରେ ସ୍କୁଲ ଯାଉଥିବା ଧରାପଡ଼ିଥିବା ଜଣାଯାଇଛି।

Advertisment

କମ୍‌ ବୟସର ଛାତ୍ରଛାତ୍ରୀମାନେ ବାଇକ ନେଇ ବନ୍ଧବାହାଲ ଡିଏଭି ସ୍କୁଲକୁ ଯାଉଥିବା ବେଳେ ପରିବାହନ ବିଭାଗ ହାତରେ ଧରା ପଡ଼ିଥିଲେ। ଏହି ଛାତ୍ରମାନଙ୍କ ବୟସ ହୋଇନଥିବା ବେଳେ ବାଇକ ଚଳାଇବା ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି କହିଛନ୍ତି ଝାରସୁଗୁଡ଼ା ଆଟିଓ ଦୀନବନ୍ଧୁ ସୁଣ୍ଢି। ଚଢ଼ଉ ବେଳେ ୬ ଗୋଟି ବାଇକକୁ ଜବତ କରାଯାଇ ସେମାନଙ୍କ ବିରୋଧରେ ୨୫ ହଜାର ଟଙ୍କା ଲେଖାଁଏ ଚଲାନ କଟାଯାଇ ବାଇକ ଗୁଡ଼ିକ ପୁଲିସ ଜିମାରେ ଦିଆଯାଇଛି । ବନ୍ଧବାହାଲଠାରେ ଛାତ୍ରଛାତ୍ରୀ ବାଇକ ନେଇ ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣା ଆଶଙ୍କା ରହିଛି ବୋଲି ବହୁ ଆଇନଜୀବୀ ଓ ସ୍ଥାନୀୟ ଲୋକ ଅଭିଯୋଗ କରି ଆସୁଥିଲେ। ଆଜି ଚଢ଼ଉ ବେଳେ ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ଆର୍‌ଟିଓ ସୋୟା ହେମ୍ବ୍ରମ, ଟ୍ରାଫିକ ଏସ୍‌ଆଇ ଆନନ୍ଦିତା ମହାରଥା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ସହରର କିଛି ସ୍କୁଲକୁ ମଧ୍ୟ ଅଳ୍ପ ବୟସର ଛାତ୍ରଛାତ୍ରୀ ବାଇକରେ ଯାଉଥିବା ନେଇ ପରିବହନ ବିଭାଗ ପାଖରେ ଅଭିଯୋଗ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆର୍‌ଟିଓ ଶ୍ରୀ ସୁଣ୍ଢି  ଜଣାଇଛନ୍ତି।