ବ୍ରହ୍ମଗିରି : ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ଦେଶର ଉପକୂଳ ସୁରକ୍ଷା ପାଇଁ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ବତନ୍ତ୍ର ଥାନା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଲେ। ଉପକୂଳ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କଲେ। ଉପକୂଳ ଥାନା ପ୍ରତିଷ୍ଠା ହେଲା। ଗୋଟିଏ ଥାନାରେ ଶହେରୁ ଅଧିକ କର୍ମଚାରୀ ରହିବାକୁ ନିଷ୍ପତ୍ତି ହେଲା। କର୍ମଚାରୀଙ୍କ ମଧ୍ୟରେ ୬୦ ଜଣ ଅବସରପ୍ରାପ୍ତ ନୈାସେନାର କର୍ମଚାରୀ ଓ ୪୦ ଜଣ ରାଜ୍ୟ ସରକାରଙ୍କର ପୁଲିସ କର୍ମଚାରୀ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଆରକ୍ଷୀ ନିରୀକ୍ଷକ(ଇନ୍‌ସପେକ୍ଟର) ରହିବା ସହିତ ସ୍ବତନ୍ତ୍ର ଇଣ୍ଟର୍‌ସେପ୍ଟର ବୋଟ୍‌ ପାଇଁ ବ୍ୟବସ୍ଥା କରାଯାଇଥିଲା। ନିୟମ ଅନୁଯାୟୀ କୋଷ୍ଟଗାର୍ଡ ସହିତ ମେରାଇନ ପୁଲିସ ମିଳିତ ଭାବରେ ଉପକୂଳ ଜଗିବେ। ଏହି ସ୍ବତନ୍ତ୍ର ବୋଟ୍ ପ୍ରତିଦିନ ପାଟ୍ରୋଲିଂ କରିବ। ଉଭୟ ସ୍ଥଳ ଓ ଜଳଭାଗରେ ପୁଲିସ କାମ କରିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମେରାଇନ ଥାନା ହେଲା। ବୋଟ୍‌ ମଧ୍ୟ ଆସିଲା। କିନ୍ତୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦାରେ ଥିବା ମେରାଇନ୍‌ ଥାନାକୁ ଦେଖିଲେ ଉପକୂଳ ସୁରକ୍ଷାକୁ ଏହି ଥାନା ବ୍ୟବସ୍ଥା ଉପହାସ କରିବା ଭଳି ଲାଗୁଛି।

Advertisment

publive-image Puri Police

ନାହିଁ ନାହିଁରେ ଚାଲିଛି ଏହି ଥାନା। ବୋଟ୍‌ ଖତ ଖାଉଥିବାବେଳେ ଥାନାରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦାଠାରେ ମେରାଇନ୍‌ ଥାନା ପ୍ରତିଷ୍ଠା ହୋଇଛି। ଏହି ଥାନାରେ ଏବେ ଆଇଆଇସିଙ୍କ ସହିତ ଜଣେ ଏସ୍‌ଆଇ, ୪ ଜଣ କନେଷ୍ଟବଳ, ୧୪ ଜଣ ହୋମଗାର୍ଡ ରହିଛନ୍ତି। ସ୍ବତନ୍ତ୍ର ବୋଟ୍‌ ସାତପଡ଼ା ଜେଟିରେ ରହି ଖତ ଖାଉଛି। ବୋଟ୍‌ର ୧୦ ଜଣ କର୍ମଚାରୀ ସାତପଡ଼ାରେ ରହିଛନ୍ତି। କିନ୍ତୁ ବୋଟ୍‌ ଥାନା ପାଖରେ ନାହିଁ। ଏଠାରେ ବୋଟ୍‌ ରହିବାକୁ ବ୍ୟବସ୍ଥା ମଧ୍ୟ ନାହିଁ। ଥାନା ସମ୍ମୁଖରେ ରହିଛି ସମୁଦ୍ର। ଏହା ସହିତ ୬ଟି ପ୍ରାକୃତିକ ମୁହାଣ। ବୋଟ୍‌ ପାଟ୍ରୋଲିଂ ମଧ୍ୟ କରୁ ନାହିଁ। ରାମଭରତିଆଠାରୁ ବାଲିହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଉପକୂଳ ମୁକୁଳା ପଡିଛି। ଏହି ଥାନା ଅଞ୍ଚଳରେ ୧୦ ହଜାରରୁ ଅଧିକ ସାମୁଦ୍ରିକ ମତ୍ସ୍ୟଜୀବୀ ବସବାସ କରୁଥିବା ବେଳେ ପଯ୍ୟଟନସ୍ଥଳୀ ରହିଛି। ଏହା ସହିତ ପୁରୀ-ସାତପଡ଼ା ରାଜପଥର କିଛି ଅଂଶ ମଧ୍ୟ ରହିଛି। ୨୫ କିଲୋମିଟର ଉପକୂଳ ମଧ୍ୟ ରହିଛି। ଏଭଳି ସ୍ଥିତିରେ ଉପକୂଳ ଥାନା ପ୍ରତିଷ୍ଠା ହେବାର ଲକ୍ଷ୍ୟ କିଭଳି ପୂରଣ ହେଉଛି ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

ଗୋଟିଏ ପଟେ କର୍ମଚାରୀଙ୍କ ଅଭାବ ଥିବା ବେଳେ ଅନ୍ୟପଟେ ଇଣ୍ଟର୍‌ସେପ୍ଟର ଖତ ଖାଉଛି। ସ୍ଥାନୀୟ ଅରଖକୁଦା ମେରାଇନ୍‌ ଥାନା ଅଧିକାରୀଙ୍କ କହିବା କଥା ହେଲା ମେରାଇନ ଥାନା ପାଖରେ ବୋଟ୍‌ ରଖିବାକୁ ସୁବିଧା ନାହିଁ। ଅନେକ ସମୟରେ ଉପକୂଳ ଶୁଖିଲା ପଡୁଛି। ସାତପଡ଼ାଠାରୁ ତୁରନ୍ତ ଇଣ୍ଟର୍‌ସେପ୍ଟର ମଧ୍ୟ ଆସି ପାରିବ। ଭିତ୍ତିଭୂମି ସୁବିଧା ନ ଥିବାରୁ ଏଠାରେ ବୋଟ ରହୁ ନ ଥିବା ଅଧିକାରୀ କହିଛନ୍ତି।